ତେଲେଙ୍ଗାନାରେ ପୁଣିଥରେ ଚାଲିବ କେସିଆରଙ୍କ ଯାଦୁ! ସରକାର ଗଢିପାରେ ଟିଆରଏସ, ପାଖ ମାଡିପାରିବେନି କଂଗ୍ରେସ ଓ ବିଜେପି!

166

କନକ ବ୍ୟୁରୋ : ୨୦୧୯ ନିବାର୍ଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିବାର୍ଚନ ଏକଜିଟ ପୋଲ ସର୍ଭେ ରିପୋର୍ଟ ସାମନାକୁ ଆସିଛି । ରାଜସ୍ଥାନ,ତେଲେଂଗାନାରେ ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ତାଙ୍କର ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି । ସମସ୍ତଙ୍କ ସର୍ଭେ ରିପୋର୍ଟ ଅନୁଧ୍ୟାନ କଲେ ବିଜେପିକୁ ଏକ ବଡ ଧରଣର ଝଟକା ଲାଗିବ ବୋଲି ଅନୁମାନ କରାଯାଉଛି ।  ବିଭିନ୍ନ ସଂସ୍ଥାର ସର୍ଭେ ରିପୋର୍ଟ ଅନୁଯାୟୀ, ତେଲେଙ୍ଗାନାରେ ପୁଣିଥରେ କେସିଆରଙ୍କ କମାଲ ଦେଖିବାକୁ ମିଳିବ । ତେଲେଙ୍ଗାନାରେ କେସିଆରଙ୍କ ଟିଆରଏସ ପୁଣିଥରେ ସରକାର ଗଢିପାରେ ବୋଲି ଅଧିକାଂଶ ସର୍ଭେ ରିପୋର୍ଟ କହୁଛି । ଅନ୍ୟପଟେ ମିଜୋରାମରେ ଦେଖିବାକୁ ମିଳିପାରେ ଝୁଲା ସରକାର ।

ଟାଇମସ ନାଓ-ସିଏନଏକ୍ସ ସର୍ଭେ ରିପୋର୍ଟ  ଅନୁଯାୟୀ, ତେଲଙ୍ଗାନାରେ  ପୁଣିଥରେ କେସିଆର କରିବେ କମାଲ, ମୋଟ ୧୧୯ଟି ଆସନରୁ ୬୬ଟି ଆସନରେ ଟିଆରଏସର ବାଜିମାତ୍ ସମ୍ଭାବନା । ତେଲେଙ୍ଗାନାରେ କଂଗ୍ରେସ ମେଣ୍ଟକୁ ୩୭ଟି ଆସନ ମିଳିବା ସମ୍ଭାବନା, ବିଜେପିକୁ ମାତ୍ର ୭ଟି ଓ ଅନ୍ୟାନ୍ୟ ଦଳକୁ ୯ଟି ଆସନ ମିଳିବା ସମ୍ଭାବନା  ।

ରିପବ୍ଲିକ ଟିଭିର ସର୍ଭେ ରିପୋର୍ଟରେ ମଧ୍ୟ ତେଲେଙ୍ଗାନାରେ ଟିଆରଏସକୁ ବହୁମତ ମିଳିବ ବୋଲି କୁହାଯାଇଛି । ମୋଟ ୧୧୯ଟି ଆସନରୁ ଏକାକୀ ଟିଆରଏସ ୫୦ରୁ ୬୫ଟି ଆସନରେ ବାଜିମାତ କରିବ ବୋଲି କୁହାଯାଇଛି । ସେହିଭଳି କଂଗ୍ରେସକୁ ୩୮ରୁ ୫୨ଟି ସିଟ୍ ମିଳିବାର ସମ୍ଭାବନା ରହିଛି । ତେଲେଙ୍ଗାନାରେ ବିଜେପି ସେମିତି ଆଖିଦୃଶିଆ ପ୍ରଦର୍ଶନ କରିପାରିବ ନାହିଁ । ମାତ୍ର ୪ରୁ ୭ଟି ଆସନରେ ବିଜେପିକୁ ମିଳିବ ବୋଲି ସର୍ଭେରେ କୁହାଯାଇଛି ।

ସେହିଭଳି ଟିଭି ୯ର ସର୍ଭେ ରିପୋର୍ଟରେ ମଧ୍ୟ କେସିଆରଙ୍କ ଯାଦୁ ଦେଖିବାକୁ ମିଳିବ ବୋଲି କୁହାଯାଇଛି । ୭୫ରୁ ୮୫ଟି ଆସନରେ ବିଜୟୀ ହୋଇ ଏକାକୀ ଟିଆରଏସ ସରକାର ଗଢିବ ବୋଲି ଅନୁମାନ କରାଯାଇଛି । କଂଗ୍ରେସକୁ ୨୫ରୁ ୩୫ ଓ ବିଜେପିକୁ ମାତ୍ର ୨ରୁ ୩ଟି ସିଟ୍ ମିଳିବ ବୋଲି ଆକଳନ କରାଯାଇଛି ।  ଅନ୍ୟାନ୍ୟ ଦଳ ୭ରୁ ୧୧ଟି ସିଟରେ ବାଜିମାତ କରିବେ ବୋଲି ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି ।

ଅନ୍ୟପଟେ ରିପବ୍ଲିକ ସି ଭୋଟର ସର୍ଭେ ରିପୋର୍ଟ ଅନୁଯାୟୀ, ମିଜୋରାମରେ ଦ୍ୱନ୍ଦ ବଢାଉଛି ମ୍ୟାଜିକ ନମ୍ବର, ସରକାର ଗଢିବାକୁ କଂଗ୍ରେସ ଓ ଏମଏନଏଫ ମଧ୍ୟରେ ହେବ କଡା ଟକ୍କର । ମିଜୋରାମର ମୋଟ ୪୦ଟି ଆସନରୁ କଂଗ୍ରେସ ପାଇପାରେ ୧୪ରୁ ୧୮ଟି ଆସନ, ଏମଏନଏଫକୁ ମିଳିପାରେ ୧୬ରୁ ୨୦ ଆସନ । ବିଜେପିକୁ ମିଳିନପାରେ ଗୋଟିଏ ବି ଆସନ । ସରକାର ଗଢିବାକୁ ଅନ୍ୟାନ୍ୟ ଦଳ ସାଜିବେ ଟ୍ରମ୍ପକାର୍ଡ ।