ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଦେଶୀ ପ୍ରଜାତିର କୁକୁର, ‘ମୁଧୋଲ ହାଉଣ୍ଡ ବ୍ରିଡ’ ବାବଦରେ ପଢନ୍ତୁ ଅଧିକ …

256

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଦାୟିତ୍ୱ ସ୍ୱତନ୍ତ୍ର ସୁରକ୍ଷା ବଳ ବା ଏସପିଜିର ସ୍ୱତନ୍ତ୍ର କମାଣ୍ଡୋ କରିଥାନ୍ତି । ତେବେ ଏସପିଜିରେ ସାମିଲ ହେବାକୁ ଯାଉଛି ଦେଶୀ ପ୍ରଜାତିର ମୁଧୋଲ ହାଉଣ୍ଡ କୁକୁର । ଏସପିଜିରେ ସାମିଲ ହେବା ସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହି ପ୍ରଜାତିର କୁକୁର ସାମିଲ ହେବ । ମୁଧୋଲ ହାଉଣ୍ଡ ପ୍ରଜାତିର ଏହି କୁକୁର ପୂର୍ବରୁ ଭାରତୀୟ ସେନା ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିରେ କାମକରି ସାରିଛନ୍ତି । ବର୍ତ୍ତମାନ ତାଙ୍କୁ ପିଏମଙ୍କ ସୁରକ୍ଷା ପାଇଁ ଏସପିଜି ନିଜ ଦଳରେ ସାମିଲ କରିଛି । କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏ ବିଷୟରେ କହିସାରିଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ବ୍ରିଡ ବା ପ୍ରଜାତିର କୁକୁର କେତେ ମାତ୍ରାରେ ହିଂସ୍ର ହୋଇଥାନ୍ତି । ଏମାନଙ୍କ କଣ ସବୁ ସ୍ୱତନ୍ତ୍ରତା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ମସିହାରେ ନିଜର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶୀ ପ୍ରଜାତିର ମୁଧୋଲ ହାଉଣ୍ଡ ବିଷୟରେ କହିଥିଲେ । ଏହା କର୍ଣ୍ଣାଟକର ଏକ ଦେଶୀ ପ୍ରଜାତିର କୁକୁର । ୨୦୧୮ରେ ମଧ୍ୟ ଏକ ରାଲିରେ ପ୍ରଧାନମନ୍ତ୍ରୀ ଏହି କୁକୁର ପ୍ରଜାତି ବିଷୟରେ କହିଥିଲେ । ଏହା ପରେ ଏହି ବ୍ରାଣ୍ଡର କୁକୁରଙ୍କ ଚାହିଦା ବଢିଯାଇଥିଲା । ମୁଧୋଲ ହାଉଣ୍ଡ ଜର୍ମାନ ସେଫଡ୍ ଭଳି ପ୍ରଜାତି ସହ ସମକକ୍ଷ । ଏହା ଅପରାଧୀଙ୍କୁ ଖୋଜିବାରେ ମଧ୍ୟ ସଫଳତା ହାସଲ କରିଛି ।

କହିରଖିବାକୁ ଚାହିଁବୁ କି, ବିଏସଏଫ ଏବଂ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଏବଂ ବାନ୍ଦିପୁରରେ ବନ ବିଭାଗର ଟିମରେ ପ୍ରଥମ ଥର ମୁଧୋଲ ହାଉଣ୍ଡ ପ୍ରଜାତିର କୁକୁରକୁ ସାମିଲ କରାଯାଇଥିଲା । ଏହା ପୂର୍ବରୁ ଭାରତୀୟ ସ୍ଥଳସେନା, ସିଆରପିଏଫ ଏବଂ ବିଭିନ୍ନ ରାଜ୍ୟର ପୋଲିସ ସ୍କ୍ୱାର୍ଡରେ ମଧ୍ୟ ଏହି କୁକୁର ସେବା ଦେଇସାରିଛି ।

ଏହି କୁକୁର ବିଶେଷତଃ ଖୋଜିବାରେ କଳାରେ ମାହିର । କୁହାଯାଏ ମୁଧୋଲ ହାଉଣ୍ଡର ନାମ ସେତେବେଳର ମୁଧୋଲ ଆଉ ବର୍ତ୍ତମାନର ବାଗଲକୋଟର ତତକାଳୀନ ସାମ୍ରାଜ୍ୟରୁ ଆସିଛି । ଏହାର ଶାସକ ପ୍ରଥମ ଥର ଏହି କୁକୁରଙ୍କ ପାଳନ ଆରମ୍ଭ କରିଥିଲେ । ଏହି କୁକୁର ଦେଖିବାକୁ ପତଳା । ତେବେ ଖୋଜାଖୋଜି କରିବାରେ ଏହା ଅନ୍ୟମାନଙ୍କ ଠାରୁ ଆଗରେ । ଏହି ପ୍ରଜାତିର କୁକୁର ଦୌଡିବାରେ ମଧ୍ୟ ଆଗରେ ଥିବାବେଳେ ଚାଲାକ ମଧ୍ୟ । ସେହିଭଳି ତାଙ୍କର ଦେଖିବା ଏବଂ ଶୁଙ୍ଘିବା ଶକ୍ତି ମଧ୍ୟ ପ୍ରଖର ।

ମୁଧୋଲ ହାଉଣ୍ଡ କୁକୁର ସର୍ବପ୍ରଥମେ ମୁଧୋଲର ତତକାଳୀନ ଦକ୍କନ ସାମ୍ରାଜ୍ୟର ରାଜା ମାଲାଜିରାଓ ଘୋରପଡେ ରଖିଥିଲେ । ଏହି କୁକୁର ସେବେଠାରୁ ହିଂସ୍ର ଥିଲେ ତେଣୁ ଆଦିବାସୀ ସମ୍ପ୍ରଦାୟ ମଧ୍ୟ ରଖିବାକୁ ପସନ୍ଦ କରୁଥିଲେ । କେବଳ ଏତିକି ନୁହେଁ ସେତେବେଳେ ରାଜା ଏହାକୁ ଇଂଲଣ୍ଡରୁ ଆସିଥିବା ଅତିଥିଙ୍କୁ ଉପହାର ଭାବେ ପ୍ରଦାନ କରିଥିଲେ ।