ଗଂଜାମ ପାତ୍ରପୁର ବ୍ଲକର ୮ଟି ଗାଁରେ ଆନ୍ଧ୍ରର ଭୋଟ୍ । ତଥ୍ୟ ସଂଗ୍ରହ ବେଳେ କନକ ନ୍ୟୁଜ ପ୍ରତିନିଧିଙ୍କୁ ଆକ୍ରମଣ କଲେ ଆନ୍ଧ୍ର ପୋଲିସ ଓ ଅଧିକାରୀ ।

78

କନକ ବ୍ୟୁରୋ: ଓଡ଼ିଶା ମାଟିରେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କରିବା ପାଇଁ ସବୁସୀମା ଟପି ଯାଇଛି । କାହାକୁ ଖାତିର୍ ନକରି, ବଳପୂର୍ବକ ନିର୍ବାଚନ ପ୍ରକ୍ରିୟା ସାରିଦେବାକୁ ଉଦ୍ୟମ କରୁଥିବା ଆନ୍ଧ୍ର ପୁଲିସ ଓ ପ୍ରଶାସନ । ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ବି ଛାଡ଼ି ନାହିଁ । ଶନିବାର ଗଜପତି ସୀମାନ୍ତରେ ଆନ୍ଧ୍ର ପୁଲିସ୍ କନକ ନ୍ୟୁଜର ଗଜପତି ଜିଲ୍ଲା ପ୍ରତିନିଧି ସୀତାନାଥ ପଣ୍ଡାଙ୍କୁ ଅଟକ ରଖିଥିଲା ।

କାହିଁକି ଆନ୍ଧ୍ର ସୀମାରେ ପଶି ଖବର ସଂଗ୍ରହ କରୁଛ କହି ଧମକ୍ ଦେଇଛି ପଡୋଶୀ ପୋଲିସ । କେବଳ ଏତିକି ନୁହେଁ ତାଙ୍କ ଠାରୁ ମୋବାଇଲ ଓ ଆଇଡି କାର୍ଡ ଛଡାଇ ନେଇଥିଲେ । ଆନ୍ଧ୍ର ଅଧିକାରୀ ଓଡିଶା ଲୋକଙ୍କୁ ପ୍ରଲୋଭନ ଦେଖାଉଥିବା ବେଳେ ମୋବାଇଲରେ ସୁଟ୍ ହୋଇଥିବା ସମସ୍ତ ଭିଡିଓକୁ ଡିଲିଟ୍ କରି ଦେଇଥିଲେ ଏବଂ ଆନ୍ଧ୍ର ସୀମାରୁ ବାହାରି ଯିବାକୁ କହି ଗିରଫଦାରିର ଧମକ ଦେଖାଇଥିଲେ ।

ଆନ୍ଧ୍ର ପ୍ରଦେଶ ସାବା କୋଟା ପଂଚାୟତରେ ନିର୍ବାଚନ କରିଥିବା ବେଳେ ଏଥିରେ ଓଡ଼ିଶାର ୫ଟି ଗାଁର ପ୍ରାୟ ଶହେ ଭୋଟରଙ୍କୁ ସାମିଲ କରିଛି । ମାଣିକପାଟଣା, ଚଂପାପୁର, ଗୁଡ଼ିଖୁଡ଼ି ଭଳି ୫ଟି ଗାଁର ଲୋକଙ୍କ ନାଁ ଏଥିପାଇଁ ଭୋଟର୍ ତାଲିକାରେ ପ୍ରକାଶ ପାଇଥିଲା । ଆଉ ଓଡ଼ିଶା ଭୋଟର୍ଙ୍କୁ ଆନ୍ଧ୍ର ନିର୍ବାଚନରେ ସାମିଲ କରିବା ପାଇଁ ଭରପୁର ପ୍ରୟାସ କରିଛନ୍ତି ଆନ୍ଧ୍ର ପ୍ରଶାସନ ।

ଅନ୍ୟପଟେ ସାମ୍ବାଦିକଙ୍କୁ ଅଟକ ରଖିବା ଏବଂ ଦୁର୍ବ୍ୟହାର କରିବା ଘଟଣାରେ ଗଜପତି ଜିଲ୍ଲା ପ୍ରତିନିଧି ସୀତାନାଥ ପଣ୍ଡା ଥାନାରେ ଏତଲା ଦେଇଛନ୍ତି । କୋରାପୁଟ କୋଟିଆ ଓ ଗଞ୍ଜାମର ପାତ୍ରପୁର ଭଳି, ଗଜପତି ଜିଲ୍ଲାର ସୀମାବର୍ତ୍ତୀ ଗାଁରେ ମଧ୍ୟ ନିର୍ବାଚନ କରିଛି ଆନ୍ଧ୍ର । ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ଏକାଧିକ ଗାଁ ଆନ୍ଧ୍ର ସୀମାକୁ ଲାଗି ରହିଛି । ଏହାର ସୁଯୋଗ ନେଇ ଏହି ସବୁ ଗାଁକୁ ଆନ୍ଧ୍ରପ୍ରଦେଶ ଆନ୍ଧ୍ର ସାବା କୋଟା ପଂଚାୟତ ଭୋଟର ତାଲିକାରେ ସାମିଲ କରି ନିର୍ବାଚନ କରିଛି ।