ଓଡ଼ିଶାରେ ଗାଁରେ ପଡୋଶୀ କଲା ନିର୍ବାଚନ । ସୁପ୍ରିମକୋର୍ଟରେ ମାମଲା, ହେଲେ ନିର୍ବାଚନ ପାଇଁ ଅଟଳ ରହିଲା ଆନ୍ଧ୍ର । ପ୍ରତିବାଦରେ ରାସ୍ତାରୋକ କଲେ ସ୍ଥାନୀୟ ନେତା ଓ ଜନତା ।

76

କନକ ବ୍ୟୁରୋ: କୋଟିଆର ନିର୍ବାଚନ କାହାଣୀ ସତେ ଯେମିତି କଟା ଘା’ରେ ଚୂନ ସଦୃଶ ସାମ୍ନାକୁ ଆସିଛି । ଷଢ଼େଇକଳା ଓ ଖରସୁଆଁର ଦୁଃଖ ମନରୁ ଲିଭି ନଥିବା ବେଳେ ପଡ଼ୋଶୀ ଆନ୍ଧ୍ର, ଓଡ଼ିଶା ମାଟିରେ କରିଛି ପଂଚାୟତ ନିର୍ବାଚନ । ଆନ୍ଧ୍ର ପ୍ରଦେଶ ଯୋଜନାର ବୁଢ଼ିଆଣୀ ଜାଲରେ ଓଡ଼ିଶାର ସୀମାନ୍ତ ଲୋକଙ୍କୁ ଏମିତି ଛନ୍ଦି ଦେଇଛି ଯେ, ସକାଳୁ ସକାଳୁ ଲୋକ ମତଦାନ କେନ୍ଦ୍ରରେ ପହଂଚିଯାଇଛନ୍ତି । କୋରାପୁଟ ଜିଲ୍ଲା କୋଟିଆ ଫାଟୁସିନେରି ପଂଚାୟତରେ ଶହ ଶହ ଓଡ଼ିଶା ଭୋଟର ଆନ୍ଧ୍ର ନିର୍ବାଚନ ପାଇଁ ଭୋଟ୍ ଦେଇଛନ୍ତି ।

ଓଡ଼ିଶାର ଫାଟୁସିନେରି ଅଂଳଚକୁ ମାଡ଼ି ବସିବା ପାଇଁ କେବଳ ନିର୍ବାଚନ କରିନି ଆନ୍ଧ୍ର ବରଂ ନିର୍ବାଚନକୁ ସଫଳ କରିବା ପାଇଁ ଓଡ଼ିଶା ଲୋକଙ୍କ ଜୀବନକୁ ବାଜି ଲଗାଇବାକୁ ପଛାଇ ନାହିଁ ଆନ୍ଧ୍ର ପ୍ରଶାସନ । ଘାଟି ରାସ୍ତାରେ ଅତି ବିପଦପୂର୍ଣ୍ଣ ଭାବେ ଗାଡିରେ ଭୋଟରଙ୍କୁ ସାମଗ୍ରୀ ଭଳି ବୋହି, ମତଦାନ କେନ୍ଦ୍ରକୁ ନେଇଛି ଆନ୍ଧ୍ର ପ୍ରଶାସନ । ଗୋଟିଏ ଗାଡିରେ ଲୋକ ଠିଆ ହୋଇଯାଉଥିବା ବେଳେ ଆଉ କିଛି ଲୋକ ବିପଦସଂକୁଳ ଭାବେ ଓହଳି ରହିଥିଲେ ।

କୋରାପୁଟ ଜିଲ୍ଲା କୋଟିଆର ୩ଟି ପଂଚାୟତ ତଳଗଞ୍ଜେଇପଦର, ଫଗୁଣସିନେରି ଓ ଫାଟୁସିନେରିରେ ନିର୍ବାଚନ କରିଛି ଆନ୍ଧ୍ର । ତଳଗଂଜେଇପଦର ଓ ଫଗୁଣସିନେରିରେ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଫାଟୁସିନେରି ନିର୍ବାଚନ ସରିଛି । ଫାଟୁସିନେରି ପଂଚାୟତରେ ଆନ୍ଧ୍ରର ମାତ୍ର ଦୁଇଟି ଗାଁ ରହିଥିବାବେଳେ ଓଡିଶାରୁ ରହିଛି ୬ଟି ଗାଁ । ଓଡିଶାର ଗାଁଗୁଡିକ ହେଉଛି କନାଦୋରା, ବର୍ଣ୍ଣାପାଡୁ, ଫାଟୁସିନେରି, ମାଡକା, ଡୋଲିଆମ, ଚିକାପାରୁ । ଏହି ପଂଚାୟତରେ ମୋଟ ୧୦୨୫ ଭୋଟର ଥିବାବେଳେ ୬୧୫ ଜଣ ଭୋଟ୍ ଦେଇଛନ୍ତି ।

ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ନିର୍ବାଚନ ନକରିବାକୁ ଶୁକ୍ରବାର ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ କୋରାପୁଟ ଜିଲ୍ଲାପାଳ । ହେଲେ, ବିଜୟନଗରମ ଜିଲ୍ଲାପାଳ ଏହି ଚିଠିକୁ ଖାତିର୍ ନକରି ପୂର୍ବ ଘୋଷଣା ଅନୁଯାୟୀ ନିର୍ବାଚନ କରିଛନ୍ତି । ନିର୍ବାଚନରେ ଭାଗ ନେବା ପାଇଁ ଓଡିଶାର ଲୋକଙ୍କୁ ଆନ୍ଧ୍ର ବିଭିନ୍ନ ଲୋଭ ଦେଖାଇ ଟାଣିବାକୁ ଉଦ୍ୟମ କରିଥିବାବେଳେ ଏହାକୁ ରୋକିବାରେ କିଛି ମାତ୍ରାରେ ସଫଳ ହୋଇଛି କୋରାପୁଟ ଜିଲ୍ଲାପ୍ରଶାସନ । ନିର୍ବାଚନ ହେଉଥିବା ଗାଁଠାରୁ ଅଳ୍ପଦୂରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଭତ୍ତା ଓ ଚାଉଳ ବାଂଟିଛି କୋରାପୁଟ ପ୍ରଶାସନ । ଫଳରେ ବହୁ ସଂଖ୍ୟାରେ ଲୋକ ଭୋଟ ଦେବାକୁ ଯାଇନଥିବା ଜଣାପଡିଛି ।