ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଜୁନାଗଡର ଅରକ୍ଷିତ ପରାଭୋଇ : ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା

37

କନକ ବ୍ୟୁରୋ : ଦାଦନର ଦୁଃଖ । ଚେନ୍ନାଇ ଦାଦନ ଖଟିବାକୁ ଯାଇ ସେଠାରେ ଦୁର୍ଘଟଣାର ଶିକାର ହେବା ପରେ ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗୋଡ ଓ ହାତର ହାଡ ଭାଙ୍ଗି ଯାଇଥିବାରୁ ଅର୍ଥ ଅଭାବରୁ ଅପରେସନ ମଧ୍ୟ ହୋଇପାରୁନାହିଁ । ଫଳରେ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି କଳହାଣ୍ଡି ଜୁନାଗଡର ଅରକ୍ଷିତ ପରାଭୋଇଙ୍କ ପରିବାର ।

ବିଛଣାରେ ଶୋଇ ରହି ଜୀବନ ସହ ସଂଗ୍ରାମ କରୁଛନ୍ତି କଳାହାଣ୍ଡି ଦାସି ଗାଁ ପଂଚୟତର ଅରକ୍ଷିତ ପରଭୋଇ । ରୋଜଗାର ଆଶାରେ ଚେନ୍ନାଇ ଯାଇଥିଲେ ଦାଦନ ଖଟିବାକୁ । କିନ୍ତୁ ସେଠାରେ ଏକ ଦୁର୍ଘଟଣା ଘଟି ଅରକ୍ଷିତଙ୍କର ବାମ ଗୋଡ ଓ ଡାହାଣ ହାତ ଭାଙ୍ଗିଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଦୁର୍ଘଟଣା ପରେ ଅରକ୍ଷିତ କାମ କରୁଥିବା କମ୍ପାନୀ ତାଙ୍କୁ ଗାଁକୁ ପଠାଇଦେଇଥିଲେ । କିନ୍ତୁ ଅର୍ଥ ଅଭାବରୁ ଏବେ ଚିକିତ୍ସା କରିନପାରି ବିଛଣାରେ ଶୋଇରହିଛନ୍ତି ଅରକ୍ଷିତ ।

ଝାଟିମାଟି କୁଡିଆ ଘରେ ଅରକ୍ଷିତ ତାଙ୍କ ସ୍ତ୍ରୀ, ଦୁଇ ଝିଅ ଓ ବୁଢୀ ମା ରହୁଛନ୍ତି । ଘରର ଏକମାତ୍ର ରୋଜଗାରିଆ ଅରକ୍ଷିତ ବିଛଣାରେ ପଡିରହିଥିବା ବେଳେ ଘରର ଅବସ୍ଥା ନକହିବା ଭଲ । ସେପଟେ ଅରକ୍ଷିତଙ୍କ ଗୋଡ ଓ ହାତରେ ଶକ୍ତ ଆଘାତ ଲାଗିଥିବାରୁ ଅପରେସନ ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି । ଗୋଟେ ପଟେ ପରିବାରର ଆର୍ଥିକ ଅନଟକ ଅନ୍ୟ ପଟେ ଅରକ୍ଷିତଙ୍କ ସ୍ୱାସ୍ଥ୍ୟବସ୍ଥା ବୋଝ ଉପରେ ଲଳିତ ବିଡା ସଦୃଶ୍ୟ । ସେପଟେ ସମସ୍ତ ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି ଜୁନାଗଡ ବିଡିଓ । ସରକାରୀ ସହାୟତାକୁ ଅନାଇ ବସିଛନ୍ତି ପରିବାର ଲୋକ । ଅରକ୍ଷିତଙ୍କ ଚିକିତ୍ସା ପାଇଁ ଯଦି ସରକାର କିଛି ସାହାର୍ଯ୍ୟ କରନ୍ତେ ତେବେ ପୁଣି ଥରେ ଅରକ୍ଷିତ ନିଜ ଗୋଡରେ ଛିଡା ହୋଇପାରନ୍ତେ ।