୭୦ ବର୍ଷ ପରେ ଲେଖାହେଲା ନୂଆ ଇତିହାସ । କାଶ୍ମୀରକୁ ନେଇ ମୋଦିଙ୍କ ଐତିହାସିକ ନିଷ୍ପତିକୁ ଜୋରଦାର ସମର୍ଥନ । ଦେଶବାସୀ କହିଲେ, ‘ମୋଦି ଥିଲେ ସବୁ ସମ୍ଭବ’ ।

441

କନକ ବ୍ୟୁରୋ : ଦୀର୍ଘ ୭୦ ବର୍ଷ ପରେ ବଦଳିଲା ଜାମ୍ମୁକାଶ୍ମୀରର ଇତିହାସ । ଜାମ୍ମୁକାଶ୍ମୀରରୁ ଉଚ୍ଛେଦ ହୋଇଛି ଧାରା ୩୭୦ । ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା ସହ କାଶ୍ମୀରକୁ ନେଇ ଗତ ୨ ସପ୍ତାହ ଧରି ଯେଉଁ ଚର୍ଚ୍ଚା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଜାମ୍ମୁକାଶ୍ମୀରକୁ ଭାଗ କରି ଲଦାଖକୁ ଅଲଗା ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ମୋଦି ସରକାର । ସେହିଭଳି ଜମ୍ମୁ-କାଶ୍ମୀରକୁ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗୃହରେ ଘୋଷଣା କରିଛନ୍ତି ଶାହା । ଏହାସହ ଜାମ୍ମୁକାଶ୍ମୀରର ଆଇନ ଶୃଙ୍ଖଳା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ହାତରେ ରହିବ । ଆତଙ୍କବାଦୀଙ୍କୁ ସମୂଳେ ନାଶ କରିବାକୁ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଥିବା କହିଛନ୍ତି ଅମିତ ଶାହା ।

ତେବେ ମୋଦି ସରକାରଙ୍କ ଏଭଳି ଐତିହାସିକ ନିଷ୍ପତି ପରେ ସୋସିଆଲ ମିଡିଆରେ ମୋଦିଙ୍କୁ ସମର୍ଥନର ସୁଅ ଛୁଟୁଛି । ଏପରିକି ପୂର୍ବରୁ ଯେଉଁମାନେ ମୋଦିଙ୍କୁ ବିରୋଧ କରୁଥିଲେ, ସେମିତି ମଧ୍ୟ ଅନେକ ଲୋକ ଏହି ନିଷ୍ପତିକୁ ସ୍ୱାଗତ ଜଣାଇଛନ୍ତି । ଏହା ସହ ସୋସିଆଲ ମିଡିଆରେ ମୋଦିଙ୍କୁ ସମର୍ଥନ କରି ହଜାର ହଜାର ଲୋକ ଲେଖିଛନ୍ତି, ‘ମୋଦି ହେ ତୋ ମୁମକିନ୍ ହେ’ । ଅର୍ଥାତ ଯେଉଁଠି ମୋଦି ଅଛନ୍ତି, ସେଠାରେ ସବୁକିଛି ସମ୍ଭବ ଅଟେ ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁକାଶ୍ମୀରରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ଦୀର୍ଘ ୭୦ ବର୍ଷ ଧରି ବିବାଦରେ ରହିଥିବା କାଶ୍ମୀର ପ୍ରସଙ୍ଗରେ ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତି ତାଙ୍କ ଛବିକୁ ଆହୁରି ଉଜ୍ୱଳିତ କରିଛି । ଆଉ କୁହାଯାଉଛି, ଯାହା ୭୦ ବର୍ଷ ଧରି ହୋଇପାରୁନଥିଲା, ତାହା ମୋଦି ସରକାରଙ୍କ ସମୟରେ ସମ୍ଭବ ହେଲା । ସୋସିଆଲ ମିଡିଆରେ ମୋଦିଙ୍କୁ ସମର୍ଥନର ଅନେକ ମିମ୍ସ ମଧ୍ୟ ଦେଖିବାକୁ ମିଳିଛି ।