ଜୁଲାଇ ୫ରୁ ଆରମ୍ଭ ହୋଇଥିଲା ଶାହାଙ୍କ ସିକ୍ରେଟ ମିଶନ: ଫୋନ କରି ର’ ଓ ସ୍ପାଏ ଏଜେନ୍ସିର ମୁଖ୍ୟଙ୍କ ସହ କଥା ହୋଇଥିଲେ ଗୃହମନ୍ତ୍ରୀ

କହିଥିଲେ, ହାତରେ ରହିଛି ମାତ୍ର ଗୋଟିଏ ମାସ, ବଡ ପଦକ୍ଷେପ ପାଇଁ ରୁହ ପ୍ରସ୍ତୁତ

267

କନକ ବ୍ୟୁରୋ: ମୋଦି ସରକାର ୩୭୦ ହଟାଇ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହି ମିଶନ ପାଇଁ ଅମିତ ଶାହାଙ୍କ ପ୍ରସ୍ତୁତି ହଠାତ ହୋଇନଥିଲା । ଏଥିପାଇଁ ଦୀର୍ଘଦିନ ହେବ ପ୍ରସ୍ତୁତି ଚଳାଇଥିଲେ ଶାହା । ଜୁଲାଇ ୫ରୁ ଆରମ୍ଭ ହୋଇଥିଲା ଅମିତ ଶାହାଙ୍କ ଏ ସିକ୍ରେଟ ମିଶନ । କିଛି ଅଳ୍ପ ବରିଷ୍ଠ ଅଧିକାରୀକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ବୈଠକ କରି ପ୍ରସ୍ତୁତ ରହିବାକୁ କହିଥିଲେ । ଗତ ଜୁଲାଇ ୫ତାରିଖରେ ର’ର ମୁଖ୍ୟ ସାମନ୍ତ ଗୋଏଲଙ୍କୁ ହଠାତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଥିଲା ।

କାଶ୍ମୀର ସମ୍ପର୍କରେ ସରକାର ନେଉଥିବା ନିଷ୍ପତ୍ତି ନେଇ ତାଙ୍କର ମତାମତ ଲୋଡିଥିଲେ ମୋଦି । ହେଲେ ଏମିତି ନିଷ୍ପତ୍ତି କାଶ୍ମରକୁ ଅଧିକ ଅଶାନ୍ତ କରିବ ଓ ଆଫଗାନିସ୍ତାନକୁ ବାହାନା କରି ପାକିସ୍ତାନ ଆମେରିକା ପୁଣି ପାଖାପାଖି ହେବାର ଆଶଙ୍କା କରିଥିଲେ ର’ ମୁଖ୍ୟ । ହେଲେ ଗୋଟିଏ ମାସ ଭିତରେ ବଡ ପଦକ୍ଷେପ ପାଇଁ ପ୍ରସ୍ତୁତ ରହିବା ପାଇଁ ପିଏମଓ ତାଙ୍କୁ ନିର୍ଦ୍ଦେଶ ଦେଇଥିଲା । ହେଲେ ଶାହାଙ୍କ ମିଶନ କାଶ୍ମୀର କିନ୍ତୁ ତାପୂର୍ବରୁ ଆରମ୍ଭ ହୋଇ ସାରିଥିଲା । ଜୁନ ୨୬ତାରିଖରେ ଗୃହମନ୍ତ୍ରୀ ଅମିତ୍ ଶାହା ଗୁଇନ୍ଦା ବ୍ୟୁରୋର ମୁଖ୍ୟ ଅରବିନ୍ଦ କୁମାର ଏବଂ ଗୃହ ସଚିବ ରାଜୀବ ଗୌବାଙ୍କ ସହ କାଶ୍ମୀର ଗସ୍ତ କରିଥିଲେ । ବଡ ନିଷ୍ପତ୍ତି ପରେ କାଶ୍ମୀରକୁ କେମିତି ଶାନ୍ତ ରଖାଯିବ ସେ ନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଥିଲେ ଶାହା ।

ତାପରେ ଜୁଲାଇ ୧୧ରେ ର’ ମୁଖ୍ୟ ସାମନ୍ତ ଗୋଏଲ, ଜୁଲାଇ ୨୫ତାରିଖରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ କାଶ୍ମୀର ଗସ୍ତ କରି କେଉଁଠି, କେମିତି, କେତେ ସେନା ମୁତୟନ ହେବେ ସେ ନେଇ ମ୍ୟାପ ପ୍ରସ୍ତୁତ କରିଥିଲେ । କେବଳ ଏତିକି ନୁହେଁ ଶାହାଙ୍କ ନିର୍ଦ୍ଦେଶ ପରେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଜୁନ ଓ ଜୁଲାଇରେ ଦୁଇ ଥର କାଶ୍ମୀର ଯାଇଥିଲେ । ଧାରା ୩୭୦ ଉଚ୍ଛେଦ ଓ କାଶ୍ମୀର ବିଭାଜନ ନେଇ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବା ପରେ ଶାହାଙ୍କ ନିର୍ଦ୍ଦେଶରେ ଜମ୍ମୁକଶ୍ମୀର ପ୍ରଶାସନକୁ ଦୁଇ ହଜାର ସାଟେଲାଇଟ୍ ଫୋନ ଦିଆଯାଇଥିଲା ।

ତା ସହ ଏଠାରେ ଅଧିକ ୩୫ ହଜାର ସୈନ୍ୟ ମୁତୟନ କରାଯାଇଥିଲା । ଆଉ ମିଶନ କାଶ୍ମୀରର ବ୍ଲୁପ୍ରିଂଟ ଯେମିତି କୌଣସି ସ୍ଥାନରେ ଲିକ୍ ନହୁଏ ସେଥିପ୍ରତି ଖୁବ ଧ୍ୟାନ ଦେଇଥିଲେ ଶାହା । ସେଥିପାଇଁ କାଶ୍ମୀରରେ କଣ ଚାଲିଛି ସେ ନେଇ ସମସ୍ତେ ଅନ୍ଧାରରେ ଥିଲେ । ଆଉ ଗତକାଲି ଯାହା ଘୋଷଣା ହେଲା ତାହା କାଶ୍ମୀରର ଇତିହାସ ଓ ଭୁଗୋଳକୁ ବଦଳାଇ ଦେଲା ।