ପାନ ଦୋକାନୀରୁ ରାଜ୍ୟଗୋଷ୍ଠୀ ପଦକ ଜିତିଲେ ସଙ୍କେତ ସର୍ଗର । ବାପାଙ୍କ ଦୋକାନରେ ବିକୁଥିଲେ ମୁଗ ପକୋଡ଼ା ଓ ବଡ଼ା ପାଓ

96

କନକ ବ୍ୟୁରୋ :ଜୀବନ ସବୁବେଳେ ସଂଘର୍ଷରୁ ଆରମ୍ଭ ହୋଇଥାଏ । ଏପରି ଏକ ତାଲିକାରେ ଯୋଡି ହୋଇ ଯାଇଛି ଆଉ ଜଣେ କ୍ରୀଡାବିତଙ୍କ ନାଁ । ସେ ହେଉଛନ୍ତି ସଙ୍କେତ ସର୍ଗର । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଯିଏ ଦେଶ ପାଇଁ ପ୍ରଥମ ପଦକ ଆଣିଛନ୍ତି । ପଦକ ଜିତିବା ପରେ ଏହି ୨୧ ବର୍ଷୀୟ ଯୁବକଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ସଙ୍କେତ ଜଣେ ଚା’, ପାନ ଦୋକାନୀଙ୍କ ପୁଅ । ବାପା ଚଳାଉଥିବା ଦୋକାନରେ ମୁଗ ପକୋଡା ଓ ବଡ଼ା ପାଓ ବିକ୍ରି କରିଥାନ୍ତି ।

ନିଜ କ୍ରୀଡ଼ା ତାଲିମ ଓ କଲେଜ ପଢ଼ାରୁ ସମୟ କାଢ଼ି ସେ ମଧ୍ୟ ପିତାମାତାଙ୍କୁ ସହଯୋଗ କରିଥା’ନ୍ତି । ଶନିବାର ସଙ୍କେତ ତାଙ୍କ ୪ ବର୍ଷ ତଳର ସ୍ବପ୍ନକୁ ସାକାର କରିବା ସହ ପରିବାର ପାଇଁ ଅପୂର୍ବ ଖୁସି ଓ ଗୌରବ ଆଣି ଦେଇଛନ୍ତି । ସଙ୍କେତଙ୍କ ପାଇଁ ତାଙ୍କ ପିତା ମହାଦେବ ମଧ୍ୟ ଘଣ୍ଟାଏ ଦୋକାନ କାମରୁ ନିବୃତ୍ତ ରହି ପୁଅର ଖୁସିରେ ସାମିଲ ହୋଇଛନ୍ତି । କିଛି ଦିନ ତଳେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ତାଙ୍କ ଭଉଣୀ କାଜଲ ସର୍ଗର ସ୍ୱର୍ଣ୍ଣ ଜିତିଥିବା ବେଳେ ଏବେ ଉଭୟ ପଦକ ଦୋକାନରେ ଝୁଲିବ ବୋଲି ମହାଦେବ ପ୍ରକାଶ କରିଛନ୍ତି । ଅନେକ ଘାତ ପ୍ରତିଘାତ ସତ୍ତ୍ୱେ ମହାଦେବ ତାଙ୍କ ପିଲାଙ୍କୁ ଜୀବନରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇ ଆସୁଥିଲେ। ଏବେ ତାହାର ସୁଫଳ ମିଳିଛି ।

ଏକ ଅପୂର୍ବ ସଂଯୋଗ ମଧ୍ୟ ଘଟିଛି ସଙ୍କେତଙ୍କ କ୍ଷେତ୍ରରେ । ୨୦୧୮ ମସିହା ଗୋଲ୍ଡକୋଷ୍ଟ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ ଗୁରୁରାଜ ପୂଜାରୀ । ଏହାର ସିଧା ପ୍ରସାରଣ ଦେଖିଥିଲେ ସଙ୍କେତ । ଦିନେ ମୁଁ ବି ଏଭଳି ପଦକ ଜିତିବି ବୋଲି କହିଥିଲେ । ୪ ବର୍ଷ ପରେ ଏହାକୁ ବାସ୍ତବତାରେ ପରିଣତ କରିଛନ୍ତି । ୨୦୧୭ରେ ମହାରାଷ୍ଟ୍ର କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଏହି ଯୁବ ତାରକା ଖେଳ ଜୀବନ ଆରମ୍ଭ କରିଥିଲେ। ସେହ‌ିବର୍ଷଠାରୁ ମୟୂର ସିଂହାସନଙ୍କଠାରୁ ପ୍ରଶିକ୍ଷଣ ନେଇ ନିଜକୁ ଶାଣୀତ କରିଥିଲେ ।