ଚିଲିକା ଜଳରାଶି ଭିତରେ ମିଳିବ ଭାସମାନ ରେସ୍ତୋରାଁର ମଜା : ଅତ୍ୟାଧୁନିକ ବ୍ୟବସ୍ଥା ସହ ସ୍ବାଦିଷ୍ଟ ଖାଦ୍ୟରେ ଆପାୟିତ ହେବେ ପର୍ଯ୍ୟଟକ

203

କନକ ବ୍ୟୁରୋ : ନୀଳାମ୍ବୁ ଚିଲିକାର ଜଳରାଶି ଭିତରେ ମିଳିବ ରେସ୍ତୋରାଁର ମଜା । ଏକ ଭିନ୍ନ ଦୁନିଆରେ କେଇ କ୍ଷଣ ହଜିଯିବା ସହ ସ୍ବାଦିଷ୍ଟ ଖାଦ୍ୟରେ ଆପାୟିତ ହେବେ ପର୍ଯ୍ୟଟକ । ଚିଲିକା ପର୍ଯ୍ୟଟନ କ୍ଷେତ୍ର ସହ ଯୋଡ଼ି ହେବ ‘ଭାସମାନ ରେସ୍ତୋରାଁ’। ପାଣିରେ ଭାସିଭାସି କଙ୍କଡ଼ା, ମାଛର ସ୍ବାଦ ନେବା ସହ ଚିଲିକାର ମନୋରମ ଦୃଶ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଏଭଳି ନିଆରା ଅନୁଭବ ଭେଟି ଦେବ ରାଜ୍ୟ ପର୍ଯ୍ୟଟନ ବିଭାଗ ।

ଏଥି ସହ ଜଳ କ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ମନୋରଂଜନର ଭରପୂର ସୁଯୋଗ ଜୁଟିବ । ଚିଲିକାର ଜଳରାଶିରେ ଜେଟ୍‌ ସ୍କାଏଜ୍‌ରେ ଘୂରି ବୁଲିବାର ଅବକାଶ ମିଳିବ । ଜଳକ୍ରୀଡ଼ାକୁ ନେଇ ପର୍ଯ୍ୟଟନ ବିଭାଗ ଅନେକ ଯୋଜନା କରିଥିବା ବେଳେ ପର୍ଯ୍ୟଟକମାନଙ୍କୁ କମ୍‌ ଦିନ ମଧ୍ୟରେ ଏହି ସୁବିଧା ଉପଲବ୍ଧ ହେବ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରସିପ୍‌ (ପିପିପି) ମୋଡ୍‌ରେ ପରିଚାଳନା କରାଯିବ । ‌ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଚିଲିକା ନିକଟସ୍ଥ ଓଡ଼ିଆ ଅଲାପୁର ନିକଟରେ ଏହି ଭସା ରେସ୍ତୋରାଁ ମଜା ମିଳିବ । ରେସ୍ତୋରାଁରେ ଏକକାଳୀନ ୫୦ ଜଣ ବସି ଖାଦ୍ୟ ଖାଇପାରିବେ । ତାହା ମଧ୍ୟରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେବ । ତାରକା ରେସ୍ତୋଁରା କିମ୍ବା ଏୟାର କଣ୍ଡିସନ୍‌ଡ ରେସ୍ତୋରାଁ ପରିଚାଳନାରେ ଅଭିଜ୍ଞତା ରଖିଥିବା ଘରୋଇ ସଂସ୍ଥା ଏହି ପ୍ରକଳ୍ପକୁ ପରିଚାଳନା କରିବେ । ଜଳକ୍ରୀଡ଼ାର ମଜା ନେବା ପାଇଁ ୨ଟି ଜେଟ୍‌ ସ୍କାଏର ବ୍ୟବସ୍ଥା କରାଯିବ । ମୋଟର ବୋଟ୍‌, ଜେଟ୍‌ ସ୍କାଏ, ହୋଭରକ୍ରାଫ୍‌ଟ କିମ୍ବା କ୍ରୁଜ୍‌ ବୋଟ୍‌ ଚଳାଇବାରେ ଅଭିଜ୍ଞତା ରଖିଥିବା ବ୍ୟକ୍ତି ଏହି ଜେଟ୍‌ ସ୍କାଏ ଚଳାଇବେ ।
ନିରାପଦରେ ବୁଲିବା ପାଇଁ ଅନ୍ତର୍ଜାତୀୟ ମାନର ଲାଇଫ୍‌ ଜାକେଟ୍‌ର ବନ୍ଦୋବସ୍ତ କରାଯିବ। ପ୍ରକଳ୍ପ ସହ ପର୍ଯ୍ୟଟକ ଓ ପରିଚାଳନାରେ ନିୟୋଜିତ ସଦସ୍ୟମାନଙ୍କ ବୀମା ବ୍ୟବସ୍ଥା କରାଯିବ । ୭୫ ପ୍ରତିଶତ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ ନିୟୋଜିତ ହେବେ । ପ୍ରଥମ ପର୍ଯ୍ୟାୟ ରେ ୧୦ ବର୍ଷ ପାଇଁ ଏହି ପ୍ରକଳ୍ପକୁ ଏକ ଘରୋଇ ସଂସ୍ଥାକୁ ଦିଆଯିବ । କୌଣସି ସଂସ୍ଥା ଏହାକୁ ନିଲାମ ସୂତ୍ରରେ ନେବା ପରେ ଏହାକୁ ୧ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ।