ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ : ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

136

କନକ ବ୍ୟୁରୋ : ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ଖବରକୁ ଶୁଣି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ଯାଏଁ ଶୋକ ପ୍ରକାଶ କରିଛନ୍ତି । ଟୁଇଟ୍ କରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଲେଖିଛନ୍ତି, ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ସେ ପୂର୍ବତନ ସାଂସଦ ତଥା ବିଶିଷ୍ଟ ସାମାଜିକ କର୍ମୀ ଥିଲେ । ନିଜ ସେବା ତଥା ନିଷ୍ଠା ମାଧ୍ୟମରେ ରାଜ୍ୟବାସୀଙ୍କୁ ଭଲ ପାଉଥିଲେ । ତାଙ୍କ ପରିବାର, ବନ୍ଧୁ ଓ ଶୁଭେଚ୍ଛୁମାନଙ୍କୁ ମୁଁ ସମବେଦନା ଜଣାଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଟୁଇଟ କରି ଲେଖିଛନ୍ତି ପୂର୍ବତନ ସାଂସଦ, ବିଶିଷ୍ଟ ରାଜନେତ୍ରୀ ତଥା ସୁସାହିତ୍ୟିକା ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ଖବର ପାଇ ମର୍ମାହତ । ଓଡିଶାର ସାରସ୍ୱତ ଜଗତ ତଥା ଜନଜୀବନକୁ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟରେ ଲେଖିଛନ୍ତି, ଓଡିଆ ସାହିତ୍ୟ ଜଗତ ସହ ନାରୀସଶକ୍ତୀକରଣ ଦିଗରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମେବଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । ଟୁଇଟରେ ସେ ଲେଖିଛନ୍ତି ଶ୍ରୀମତି ପଟ୍ଟନାୟକ ରାଜନୀତି ସହ ସମାଜସେବାରେ ନିଜକୁ ସମର୍ପିତ କରିଥିଲେ । ଜଣେ ଲେଖିକା ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ତାଙ୍କ ବିୟୋଗରେ ଓଡିଶା, ରାଜ୍ୟ ରାଜନୀତି ଜଗତର ଜଣେ ପ୍ରତିଷ୍ଠିତ ମହିଳାଙ୍କୁ ହରାଇଲା ।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ଟୁଇଟ୍ କରି ଶୋକପ୍ରକାଶ କରିଛନ୍ତି । ଲେଖିଛନ୍ତି ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଯେଉଁ ଅପୂରଣୀୟ କ୍ଷତି ହୋଇଛି, ତାହା କେବେ ବି ପୂରଣ ହୋଇ ପାରିବ ନାହିଁ । ସେ କଂଗ୍ରେସର ମହିଳା ସଂଗଠନକୁ ଚଳଚଞ୍ଚଳ କରି ରଖିଥିଲେ । ତାଙ୍କ ବିୟୋଗ କଂଗ୍ରେସ ପାଇଁ ବଡ କ୍ଷତି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟୁଇଟ କରି ଶୋକ ପ୍ରକାଶ କରିବା ସହ ଲେଖିଛନ୍ତି, ଓଡିଶାର ବିକାଶ ଲାଗି ଜୟନ୍ତି ପଟ୍ଟନାୟକ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଏଭଳି ଦୁଃଖଦ ସମୟରେ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ନିରଞ୍ଜନ ପଟ୍ଟନାୟକ ।