କଂଗ୍ରେସରେ ‘୩୭୦’ ହଇଚଇ: ରାଜ୍ୟ ପୁନର୍ଗଠନ ବିଲ୍ ବିରୋଧରେ ଭୋଟ୍ ଦେବାରୁ ଦଳ ଛାଡିଲେ ରାଜ୍ୟସଭା ସାଂସଦ

ସୋନିଆଙ୍କ ଘନିଷ୍ଠ ଜନାର୍ଦ୍ଦନ ଦ୍ୱିବେଦୀ ଓ ୟୁପି ବିଧାୟକ ଅଦିତି ସିଂହଙ୍କ ସମର୍ଥନ

415

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ପୁର୍ନଗଠନ ବିଲକୁ କଂଗ୍ରେସରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ପୁଲୱାମା ଆକ୍ରମଣ ପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ ନକରିବା ଓ ଏହି ପ୍ରସଙ୍ଗରେ ଚୁପ ରହିବା ହିଁ ୨୦୧୯ରେ କଂଗ୍ରେସ ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଇଥିଲା । ଏବେ କାଶ୍ମୀରକୁ ନେଇ ଠିକ୍ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କଂଗ୍ରେସରେ । ସରକାରଙ୍କ ପଦକ୍ଷେପକୁ କଂଗ୍ରେସ କଡା ବିରୋଧ କରିଛି । କିନ୍ତୁ ଦଳର ଅନେକ ନେତା ଏପିରିକି ସୋନିଆ-ଗାନ୍ଧି ପରିବାରର ନିକଟତମ ନେତା ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି ।

୩୭୦ ଧାରାକୁ ନେଇ ଦଳରେ ହଇଚଇ ସୃଷ୍ଟି ହୋଇଛି । ବିଲ୍ ବିରୋଧରେ ଭୋଟ୍ ଦେବାରୁ ଦଳ ଛାଡିଛନ୍ତି ଦଳର ବରିଷ୍ଠ ନେତା । ରାଜ୍ୟସଭା ସାଂସଦ ତଥା ରାଜ୍ୟସଭାରେ ଦଳର ଚିଫ୍ ହ୍ୱିପ୍ ଭୁବନେଶ୍ୱର କାଲିତ୍ ଅସନ୍ତୋଷ ପ୍ରକାଶ କରି ଗତକାଲି ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି, କଂଗ୍ରେସ ଆଉ ପୁରୁଣା କଂଗ୍ରେସ ହୋଇ ରହିନାହିଁ । ଦଳ ନିଜ ଗୋଡରେ କୁରାଢି ମାରୁଛି । ସେହିପରି ସୋନିଆଙ୍କ ଘନିଷ୍ଠ ସହଯୋଗୀ ଜନାର୍ଦ୍ଦନ ଦ୍ୱିବେଦୀ ମଧ୍ୟ ଏହି ବିଲକୁ ସମର୍ଥନ କରିବା ସହ ଏହାକୁ ଭଲ ପଦକ୍ଷେପ ବୋଲି କହିଛନ୍ତି । ୟୁପି ବିଧାୟିକା ତଥା ରାହୁଲ ଗାନ୍ଧିଙ୍କ ଅତି ନିକଟତମ ସହ ଯାଗୀ ଅଦିତି ସିଂହ ମଧ୍ୟ ଏହି ବିଲକୁ ସମର୍ଥନ କରିଛନ୍ତି ।

କଂଗ୍ରେସର ଯୁବ ବ୍ରିଗେଡ କାଶ୍ମୀର ପୁନର୍ଗଠନ ବିଲକୁ ଏକପ୍ରକାର ସମର୍ଥନ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଦୀପେନ୍ଦ୍ର ସିଂ ହୁଡ୍ଡା ଓ ମୁମ୍ବାଇ କଂଗ୍ରେସର ମୁଖ୍ୟ ମିଲନ୍ଦ ଦେଓରା । ତେବେ ରାହୁଲ, ସୋନିଆ ଓ ପ୍ରିୟଙ୍କା ଏ ନେଇ ମୁହଁ ଖୋଲିନଥିବାରୁ ଦଳର କର୍ମକର୍ତ୍ତା ଓ ନେତା ଅସାମଞ୍ଜସ୍ୟ ସ୍ଥିତିରେ ଅଛନ୍ତି ।