କାଶ୍ମୀରରେ ବଢୁଛି ହିନ୍ଦୁଙ୍କୁ ହତ୍ୟା, ବିରୋଧ ପ୍ରଦର୍ଶନ କରି ଲୋକେ କହିଲେ ଏଭଳି କଥା

211

କନକ ବ୍ୟୁରୋ : ଭାରତର ସ୍ୱର୍ଗ କୁହାଯାଉଥିବା କାଶ୍ମୀର ଏବେ ପୁଣିଥରେ ଅଶାନ୍ତ ହୋଇଛି । ଧାରା ୩୭୦ ଉଚ୍ଛେଦ ପରେ କମିଆସୁଥିବା ଆତଙ୍କୀ ଆକ୍ରମଣ ପୁଣି ବଢିଛି । ଏଥର କିନ୍ତୁ ଆତଙ୍କବାଦୀଙ୍କ ଟାର୍ଗେଟରେ କେବଳ ହିନ୍ଦୁ ଧର୍ମର ଲୋକ । ଏହାକୁ ନେଇ ସେଠିକାର ଲୋକମାନେ କହିଛନ୍ତି କି ପୁଣିଥରେ କାଶ୍ମୀରରେ ୯୦ ଦଶକର ସ୍ଥିତି ଉପୁଜିଛି ।

ଏହି କ୍ରମରେ ୨୦୨୦ ମସିହାରେ ଆତଙ୍କବାଦୀମାନେ କିଛି ହିନ୍ଦୁ ଧର୍ମର ଲୋକଙ୍କୁ ଟର୍ଗେଟ କରି ହତ୍ୟା କରିଥିଲେ । ଏଥିରେ ଜୁନ ୮ ତାରିଖରେ ସରପଂଚ ଅଜୟ ପଣ୍ଡିତ, ଅକ୍ଟୋବର ୫ ତାରିଖରେ ଶ୍ରୀନଗରରେ ଏମଏଲ ବିନ୍ଦୁ, ଅକ୍ଟୋବର ୭ ତାରିଖରେ ସ୍କୁଲ ପ୍ରିନ୍ସପାଲ ସତିନ୍ଦର କୌର ଓ ଶିକ୍ଷକ ଦୀପକ ଚନ୍ଦଙ୍କୁ ହତ୍ୟା କରିଥିଲେ । ଏହାପରେ ହିନ୍ଦୁଙ୍କୁ ଟାର୍ଗେଟ କରି ହତ୍ୟା କରିବା ଥମିଥିଲା । ପୁଣି ଚଳିତବର୍ଷ ମେ ମାସରେ ଆରମ୍ଭ ହୋଇଥିଲା ସମାନ ପରିସ୍ଥିତି । କେବଳ ମେ ମାସରେ ଆତଙ୍କବାଦୀମାନେ ୮ ଜଣ ହିନ୍ଦୁଙ୍କୁ ଟାର୍ଗେଟ କରି ହତ୍ୟା କରିଛନ୍ତି ।

ଏନେଇ ଏବେ କାଶ୍ମୀରର ହିନ୍ଦୁମାନେ ରାସ୍ତା ଉପରକୁ ଓହ୍ଲାଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି କି ଯଦି ସରକାର ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେବେ ତେବେ ସେମାନେ କାଶ୍ମୀର ଛାଡି ଦେଶର ଅନ୍ୟ ପ୍ରାନ୍ତକୁ ଚାଲିଯିବେ । ଏହାସହ ସେମାନେ କହିଛନ୍ତି କି ଯେଭଳି ଭାବେ ୯୦ ଦଶକରେ କାଶ୍ମୀରରେ କେବଳ ହିନ୍ଦୁଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଥିଲା ଏବେ କାଶ୍ମୀରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି ।

ଏହାସହ ସେମାନେ କହିଛନ୍ତି କି, କାଶ୍ମୀରରୁ ଦିଲ୍ଲୀ ମାତ୍ର ୭୦୦ କିଲୋମିଟର ଦୂର । ହେଲେ ସେଠାରେ ଥିବା ଲୋକପ୍ରତିନିଧି ମାନଙ୍କ ପାଖରେ ଖବର ନାହିଁ ନା ଏହାକୁ ନେଇ ରାଜନୀତି କରିବାକୁ ଆମ ଜୀବନକୁ ରାଜନେତାମାନେ ବାଜିରେ ଲଗାଇ ଦେଇଛନ୍ତି । ଏଠାରେ ରହୁଥିବା ଜଣେ ଶିକ୍ଷକ କହିଛନ୍ତି କି ତାଙ୍କ ସ୍କୁଲରେ ପଢୁଥିବା ଛାତ୍ର, ତାଙ୍କ କଲୋନୀରେ ରହୁଥିବା ଲୋକ କେହି ବି ତାଙ୍କୁ ହତ୍ୟା କରିପାରନ୍ତି । ଏହାର ଗୋଟିଏ କାରଣ ଆମେ କାଶ୍ମୀରର ମୂଳ ବାସିନ୍ଦା ନୁହେଁ । ଏଥିପାଇଁ ଆମକୁ ହତ୍ୟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପଟେ ଏଭଳି ଘଟଣାକୁ ଦେଖି ଗୁରୁବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବୈଠକ ଡାକିଛନ୍ତି । ଆସନ୍ତା କାଲି ଆର୍ଥାତ ୩ ତାରିଖରେ ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଅଜିତ ଡୋଭାଲ ବି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।