କାନାଡାରେ ପ୍ୟାରେଡ ବେଳେ ରାସ୍ତାରେ ଗଡିଲା ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ପ୍ରଜ୍ଞାପନ ମେଢ, ଜୟଶଙ୍କରଙ୍କ ଚେତାବନୀ

354

କନକ ବ୍ୟୁରୋ : କାନାଡ଼ାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଉତ୍ସବ ପାଳନ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ସେ କହିଛନ୍ତି ଏହା ଦୁହିଁଙ୍କ ସମ୍ପର୍କ ପାଇଁ ଭଲ ନୁହେଁ । ଏହି ଭିଡିଓଟି ଉପରେ ନଜର ପକାନ୍ତୁ । ଇଏ ସେହି ଦୃଶ୍ୟ ଯାହାକୁ ନେଇ ତେଜିଛି ରାଜନୀତି । ଭିଡ଼ିଓଟି ହେଉଛି ସେତେବେଳେର ଯେବେ କାନାଡ଼ାର ବ୍ରେମ୍ପପ୍ଟନରେ ଖଲିସ୍ତାନ ସମର୍ଥକ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ଦର୍ଶାଇ ଏକ ପରେଡ଼ ଶୋଭାଯାତ୍ରା କରିଥିଲେ । ତେବେ ଭିଡ଼ିଓକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ସୃଷ୍ଟି ହୋଇଛି । ଗୁରୁବାର ମୋଦି ସରକାରଙ୍କ ୯ ବର୍ଷ ପ୍ରୂ୍ତି ହେବା ଅବସରରେ ବୈଦେଶିକ ମନ୍ତ୍ରାଳୟର ସ୍ୱତନ୍ତ୍ର ଆଲୋଚନା ପରେ ଏକ ପ୍ରେସ କନଫରେନ୍ସୂ କରିଥିଲେ ଜୟଶଙ୍କର । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସହ କାନାଡ଼ା ଉପରେ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ । ଭିଡ଼ିଓକୁନେଇ ଏହା ଦୁଇ ଦେଶର ସମ୍ପର୍କ ପାଇଁ ଭଲ ନୁହେଁ ଏବଂ କାନାଡ଼ା ପାଇଁ ମଧ୍ୟ ଭଲ ନୁହେଁ ବୋଲି ଏସ.ଜୟଶଙ୍କର କହିଛନ୍ତି ।

କାନାଡ଼ାରେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ୫ କିଲୋମିଟର ପରେଡ଼ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଏହି ପରେଡ଼ ଅପରେସନ ବ୍ଲୁ ଷ୍ଟାରର ୩୯ତମ ବାର୍ଷିକ ଉତ୍ସବ ପୂର୍ବ ଦିନର । ଜଣେ ଭାରତୀୟ ଭାବେ ଏହି ଭିଡ଼ିଓ ଦେଖି କଷ୍ଟ ହେଉଥିବା କଂଗ୍ରେସ ନେତା ମିଲିନ୍ଦ ଦେବରା ଟ୍ୱିଟ କରିଛନ୍ତି । ଏହା କାହାର ପକ୍ଷ ନେବାର ସମୟ ନୁହେଁ । ଏହା ଦେଶର ଇତିହାସକୁ ସମ୍ମାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାର କଷ୍ଟକୁ ସମ୍ମାନର କଥା । ଅନ୍ୟପଟେ ଭାରତ ସରକାର ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ମହାସଚିବ ଜୟରାମ ରମେଶ ଟ୍ୱିଟ କରି ବିଦେଶମନ୍ତ୍ରୀକୁ ଅନୁରୋଧ କରିଛନ୍ତି ।

୧୯୮୪ ମସିହା, ୩୧ ଅକ୍ଟୋବରରେ ଦିବଙ୍ଗତ ଇନ୍ଦିରାଗାନ୍ଧୀଙ୍କୁ ତାଙ୍କ ଅଙ୍ଗରକ୍ଷୀ ଗୁଳି କରି ହତ୍ୟା କରିଥିଲେ । ତେବେ ଏହି ହତ୍ୟାକୁ ନେଇ କାନାଡ଼ାରେ ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା କରାଯାଇଥିବା ପରେଡ଼କୁ ନେଇ ରାଜନୀତି ତେଜିବାରେ ଲାଗିଛି ।