ସତରେ ଅଛି କି ପ୍ଲାଷ୍ଟିକ୍ ଚାଉଳ? ଭିଟାମିନ୍-ଯୁକ୍ତ ଚାଉଳକୁ ନେଇ ସୃଷ୍ଟି ହେଉଛି ଭ୍ରାନ୍ତ ଧାରଣା

265

କନକ ବ୍ୟୁରୋ: କୋରାପୁଟର ଲମତାପୁଟ, ବାଲେଶ୍ୱର ସଦର ବ୍ଲକ ଓ ସୁନ୍ଦରଗଡ଼ ବଡବାହଲଠାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଚାଉଳକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏହାକୁ ନେଇ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ବଂଟନ ହେଉଥିବା ପିଡିଏସ୍ ଚାଉଳରେ ଅପମିଶ୍ରଣ ଖବରର ତୁରନ୍ତ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି । ଏହା ସହ ପୁଷ୍ଟିଯୁକ୍ତ ଚାଉଳର ବଂଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ପରାମର୍ଶ ଦେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଏହି ଯୋଜନାର ପ୍ରମୁଖ ଲାଭାର୍ଥୀ ହୋଇଛି ଓଡ଼ିଶା । ପୂର୍ବରୁ ମିଳୁଥିବା ଚାଉଳ ଓ ବର୍ତମାନ ମିଳୁଥିବା ଚାଉଳରେ ପାର୍ଥକ୍ୟ ଥିବା କୁହାଯାଉଛି । ପ୍ଲାଷ୍ଟିକ୍ ଚାଉଳ ବଂଟନ କରାଯାଉଥିବା ଗୁଜବ ସୃଷ୍ଟି ହୋଇଛି । ଏହା ଦ୍ୱାରା ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବା ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।

ନଜର ପକାନ୍ତୁ କଣ ଏହି ଫର୍ଟିଫାଏଡ୍ ରାଇସ୍ ବା ଭିଟାମିନ୍-ଯୁକ୍ତ ଚାଉଳ?
ଭିଟାମିନ୍ ଅଭାବ ଦୂର ପାଇଁ ଫର୍ଟିଫାଏଡ୍ ରାଇସ୍ ଦିଆଯାଉଛି
ବିଶେଷ କରି ଶିଶୁ ଓ ମହିଳାଙ୍କ ପୁଷ୍ଟିହୀନତା ଦୂର ପାଇଁ ଏପରି ବ୍ୟବସ୍ଥା ହୋଇଛି
ଏଫ୍ଏସ୍ଏସ୍ଏଆଇ ମାନଦଣ୍ଡ ଅନୁସାରେ ୧ କେଜି ସାଧାରଣ ଚାଉଳରେ ୧୦ ଗ୍ରାମ ଭିଟାମିନ୍-ଯୁକ୍ତ ଚାଉଳ ମିଶାଯାଏ
ଏହି ଚାଉଳରେ ଲୌହସାର, ଫଲିକ୍ ଏସିଡ ଓ ଭିଟାମିନ୍ ବି-୧୨ ରହିଥାଏ

ସାଧାରଣ ଚାଉଳ ଅପେକ୍ଷା ଫର୍ଟିଫାଏଡ୍ ରାଇସ୍ ବା ଭିଟାମିନ୍-ଯୁକ୍ତ ଚାଉଳ ଅଲଗା ଦେଖାଯାଉଥିବାରୁ ଲୋକଙ୍କ ମନରେ ଏହାକୁ ନେଇ ସଂଦେହ ସୃଷ୍ଟି ହେଉଛି । ହାତକୁ ଚିକ୍କଣ ଲାଗୁଥିବାରୁ ଏହା ପ୍ଲାଷ୍ଟିକ୍ ଚାଉଳ ବୋଲି ଭ୍ରାନ୍ତ ଧାରଣା ସୃଷ୍ଟି ହେଉଥିବା କହିଛନ୍ତି ବିଶେଷଜ୍ଞ । ଏଥିରେ ଆବଶ୍ୟକ ଅନୁସାରେ ଭିଟାମିନ୍ ମିଶାଯାଇଥିବାରୁ ଏହା କ୍ଷତିକାରକ ନୁହେଁ, ବରଂ ଏହି ଚାଉଳ ଖାଇଲେ ସ୍ୱାସ୍ଥ୍ୟପକ୍ଷେ ହିତକାରକ ।