ଓଡ଼ିଶାର ନିର୍ମାଣ ପାଇଁ ମୁଁ ରାଜମିସ୍ତ୍ରୀ ହେବାକୁ ପ୍ରସ୍ତୁତ, ଏ ଓଡ଼ିଆ ଜାତି ଆଗରୁ ମୁଣ୍ଡ ନୁଆଁଇନଥିଲା, ଏବେ ମଧ୍ୟ ମୁଣ୍ଡ ନୁଆଁଇବନି । ବିଜେଡିକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ ।

199

କନକ ବ୍ୟୁରୋ : ଅଦ୍ଭୁତପୂର୍ଣ୍ଣ ପରିବର୍ତ୍ତନ ଆଡକୁ ଯାଉଛି ଓଡ଼ିଶା । ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ପରିଣତ କରିବାକୁ ଆହ୍ମାନ ଦେଇଛନ୍ତି । ୨୫ ବର୍ଷ ଶାସନ ପରେ ଓଡ଼ିଶା ଯେଉଁ ସ୍ଥାନକୁ ଯିବା କଥା ସେ ସ୍ଥାନକୁ ଯାଇନି । କମ ସଂଶାଧନ ଥିବା ରାଜ୍ୟ ଓଡ଼ିଶା ଠାରୁ ବେଶ ଆଗରେ । କଂଗ୍ରେସକୁ ଦଶନ୍ଧି ଦଶନ୍ଧି ଧରି ସୁଯୋଗ ଦେଲେ, ବିଜେଡିକୁ ୨୫ ବର୍ଷ ସୁଯୋଗ ଦେଲେ ଏବେ ବିଜେପିକୁ ସୁଯୋଗ ଦିଅନ୍ତୁ । ଓଡ଼ିଶାକୁ ୧ ନମ୍ବର କରି ଦେଖାଇବୁ । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ବିଜେଡିକୁ ହଜମ ହେଲାନି । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ପଛାଇଲେ ନାହିଁ ।

ଧର୍ମେନ୍ଦ୍ର କହିଛନ୍ତି, ୨୫ ବର୍ଷ ସରକାରରେ ୩ ମାସ ପୂର୍ବରୁ ଦୂଷିତ ପିଇବା ପାଣି କାରଣରୁ ହଇଜା ହେଉଛି । ଜଳସେଚନର ଘୋର ଅଭାବ ଦେଖିବାକୁ ମିଳିଛି । ଓଡ଼ିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ । ମହିଳା ନିର୍ଯାତନାରେ ଚିନ୍ତାଜନକ ରିପୋର୍ଟ ଆସୁଛି । ଓଡ଼ିଶାର ଏକ ତୃତୀୟାଂଶ ଲୋକ ରାଜ୍ୟ ବାହାରକୁ କାମ କରିବାକୁ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ହିଁ ଅଧିକ ଲୋକ ଗୁଜୁରାଟ ଯାଇଛନ୍ତି ।

ଓଡ଼ିଆ ଅସ୍ମିତାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ଆଉ ୧୨ ବର୍ଷ ପରେ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶାକୁ ୧୦୦ ବର୍ଷ ପୂରିବ । କିନ୍ତୁ ଏବେ ଓଡ଼ିଶାରେ ଶିଶୁ ମୃତ୍ୟୁହାର ୩୬% ରହିଛି । ଗୁଜୁରାଟରେ ଏହି ଶିଶୁ ମୃତ୍ୟୁହାର ୨୩% ରହିଛି । ଜାତୀୟସ୍ତରରେ ଶିଶୁ ମୃତ୍ୟୁହାରରେ ଓଡ଼ିଶା ୨ ନମ୍ବର ସ୍ଥାନରେ ରହିଛି । ଜାତୀୟସ୍ତରରେ ମୁଣ୍ଡ ପିଛା ଚିକିତ୍ସା ଖର୍ଚ୍ଚ ୨୦୧୪ ଟଙ୍କା ରହିଛି, ଗୁଜୁରାଟରେ ଏହା ୧୮୬୧ ଟଙ୍କା ଏବଂ ଓଡ଼ିଶାରେ ଏହା ୧୪୪୯ ଟଙ୍କା । ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ଫିଲପ କରି ୫୦% ଛାତ୍ରଛାତ୍ରୀ ପରୀକ୍ଷା ଦେଉନାହାନ୍ତି । ଗୁଜୁରାଟରେ ଏହା ୨୮% ଥିବା ବେଳେ ଜାତୀୟସ୍ତରରେ ଏହା ୨୦% ରହିଛି । ଓଡ଼ିଆ ଚଳନିରେ ଆମେ ପରମ୍ପରାରେ ବିଶ୍ୱାସ କରୁ । ଯେଉଁମାନଙ୍କ ହାତରେ ଶାସନ ଭାର ରହିଛି ସେମାନଙ୍କୁ ଲକ୍ଷ୍ୟ କରି ଧର୍ମେନ୍ଦ୍ର କହିଛନ୍ତି, ମାଙ୍କଡ ହାତରେ ଶାଳଗ୍ରାମ, ନଚାଇ ନଚାଇ ନେଲା ପ୍ରାଣ । ତେଣୁ ଓଡ଼ିଶାକୁ ଏ ପରିସ୍ଥିତିରୁ ବାହାରକୁ ଆଣିବାକୁ ପଡିବ । ତେଣୁ ଓଡ଼ିଶା ଯେତେବେଳେ ଭାଷା ଭିତ୍ତିକ ରାଜ୍ୟ ଭାବେ ୧୦୦ ବର୍ଷ ପାଳୁଥିବ ସେତେବେଳେ ନ ଅଙ୍କ ଦୁର୍ଭିକ୍ଷ ସ୍ଥିତି ଆଡକୁ ଯିବା ନା ଏକ ନମ୍ବର ରାଜ୍ୟ ହେବା ତାହା ଓଡ଼ିଶାବାସୀ ସ୍ଥିର କରିବେ । ୨୫ ବର୍ଷ ସରକାର ରହିବା ପରେ ଓଡ଼ିଶା ଲୋକ କାହିଁକି କାମ ପାଇଁ ବାହାରକୁ ଯାଉଛନ୍ତି । କଂଗ୍ରେସ ଯେମିତି ବିଭିନ୍ନ ରାଜ୍ୟରେ ନିଶ୍ଚିହ୍ନ ହୋଇସାରିଲାଣି, ଠିକ୍ ସେହିଭଳି ଅବସ୍ଥା ଓଡ଼ିଶାରେ ବିଜେଡିର ହେବାକୁ ଯାଉଛି ।

ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, ମୋତେ ବିଜେଡି ଅତି ନୀଚ୍ଚା କରି ଦେଖାଉଛି । ଏଥିରେ ମୁଁ ବହୁତ ଖୁସି । ମୁଁ ବାହାର ରାଜ୍ୟରୁ ୨ ଥର ରାଜ୍ୟସଭା ଗଲି, ଓଡ଼ିଆ ପୁଅକୁ ଏଭଳି ସୁଯୋଗ ଦେଇ ଆମ ଦଳ ଭୁଲ କରି ଦେଇଛି ବୋଧେ । ମୋତେ ଦାଦନ ସାଂସଦ କହିଲେ, ମୁଁ ଦାଦନ ହେବାକୁ ରାଜି । ମୋତେ ଡାକପିଅନ ଓ ରାଜମିସ୍ତ୍ରୀ କହୁଛନ୍ତି । ଓଡ଼ିଶାର ନିର୍ମାଣ ପାଇଁ ମୁଁ ରାଜମିସ୍ତ୍ରୀ ହେବି । ଓଡ଼ିଆ ଲୋକ ହିଁ ଏଠାରେ ମୁଖ୍ୟମନ୍ତ୍ରୀ ହେବ । ଆଉଟସୋର୍ସ ଲୋକ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବନି । ଏ ଓଡ଼ିଆ ଜାତି ଆଗରୁ ମୁଣ୍ଡ ନୁଆଇଁନଥିଲା, ଏବେ ମଧ୍ୟ ମୁଣ୍ଡ ନୁଆଁଇବନି । ବିଜେପିର ରାଜମିସ୍ତ୍ରୀ ମିଶିକି ଓଡ଼ିଶାର ନିର୍ମାଣ କରିବୁ । ଏହା ଓଡ଼ିଆ ଅସ୍ମିତାର ପରିଚୟ ହେବ ବୋଲି କହି ବିଜେଡିକୁ କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର ।