ଚିଦାମ୍ବରମଙ୍କ ଗିରଫଦାରୀ ପରେ ଆକ୍ରମଣାତ୍ମକ ମୁଡରେ କଂଗ୍ରେସ : ଇଡି ଓ ସିବିଆଇକୁ ମୋଦି ସରକାର ବ୍ୟବହାର କରୁଥିବା ଅଭିଯୋଗ ଆଣିଲେ ରଣଦୀପ ସୁରଜେୱାଲା

272

କନକ ବ୍ୟୁରୋ : ସିବିଆଇର ଚକ୍ରବ୍ୟୁହରେ ଚିଦାମ୍ୱରମ । ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ରାତି କଟିଛି ସିବିଆଇ ଅଫିସରେ । ଦୀର୍ଘ ୨୭ ଘଂଟାର ଲୁଚକାଳି ଖେଳରେ ଆଗେ ଆଗେ ଚାଲିଥିଲେ ଚିଦାମ୍ୱରମ୍ , ପଛେ ପଛେ ଥିଲା ସିବିଆଇ । ଶେଷରେ ରାତି ଅଧରେ ଚିଦାମ୍ୱରମଙ୍କୁ ଘରୁ ଉଠେଇ ଆଣିିଲା ସିବିଆଇ ଟିମ୍ ।

୨୦୧୧ ମସିହାରେ ସିବିଆଇର ଯେଉଁ କୋଠାକୁ ଉଦଘାଟନ କରିଥିଲେ ଚିଦାମ୍ୱରମ୍, ଗିରଫଦାରୀ ପରେ ଏବେ ସେହି କୋଠାରେ କଟିଛି ତାଙ୍କର ପ୍ରଥମ ରାତି । ଲଗାତର ଜେରା କରିବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରିବ ସିବିଆଇ । ବୁଧବାର ରାତି ଅଧିଆ ସିବିଆଇର ଗିରଫଦାରୀ ପରେ ମୋଦି ସରକାରକୁ ଘେରିଛି କଂଗ୍ରେସ । ପି ଚିଦାମ୍ବରମଙ୍କ ଗିରଫଦାରୀ ପରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ, ଦିନ ଦ୍ୱିପହରରେ ଲୋକତନ୍ତ୍ରରେ ଗଣତନ୍ତ୍ରର ହତ୍ୟା କରାଯାଉଛି । ଚିଦାମ୍ବରଙ୍କ ବିରୋଧରେ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଚିଦାମ୍ବରଙ୍କୁ ବାହାନା କରି ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଯାଉଛି । ଇଡି ଓ ସିବିଆଇକୁ ମୋଦି ସରକାର ବ୍ୟକ୍ତିଗତ ଭାବେ ବ୍ୟବହାର କରୁଥିବ କଂଗ୍ରେସ ଅଭିଯୋଗ କରିିଛି । ଚିଦାମ୍ବରମଙ୍କ ବିରୋଧରେ ଦୁର୍ନୀତିର କୌଣସିର ପ୍ରମାଣ ଯାଂଚ ଏଜେନ୍ସି ପାଖରେ ନାହିଁ ବୋଲି କହିଛି କଂଗ୍ରେସ ।

ଗିରଫ ପରେ ଦିଲ୍ଲୀର ସିବିଆଇ ମୁଖ୍ୟାଳୟରେ ଅଛନ୍ତି ପି ଚିଦାମ୍ୱରମ୍ । ଦେଶର ପୂର୍ବତନ ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଚିଦାମ୍ୱରମଙ୍କର ଗତକାଲି ରାତି କଟିଛି ସିବିଆଇ ଅଫିସରେ । ସାରା ରାତି ତାଙ୍କୁ ଜେରା କରିଛନ୍ତି ସିବିଆଇ ଅଧିକାରୀ । ଆଜି ମଧ୍ୟ ସକାଳୁ ତାଙ୍କୁ ଆଇଏନଏକ୍ସ ମନି ଲଡ୍ରିଂ ମାମଲା ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି ସିବିଆଇ ଟିମ୍ । ପୁଣି ତାଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରୁଛି ସିବିଆଇ । ଚିଦାମ୍ୱରମଙ୍କ ଏପରି ରାତିଅଧିଆ ଗିରଫଦାରୀ ପ୍ରତିବାଦରେ କଂଗ୍ରେସରେ ରାଜନୈତିକ ମାହୋଲ ପୁରା ସରଗରମ୍ ହୋଇଛି । ବୁଧବାର ରାତିଅଧରେ ଚିଦାମ୍ବରମଙ୍କୁ ଘରେ ପଶି ତାଙ୍କୁ ଉଠାଇ ନେଇଥିଲା ସିବିଆଇ ଟିମ୍ । ଗିରଫଦାରୀ ପରେ ଆଜି ଚିଦାମ୍ୱରମଙ୍କୁ ସିବିଆଇ କୋର୍ଟରେ ହାଜର କରିବ । ଆଜି ସ୍ପେଶାଲ କୋର୍ଟରେ ହାଜର କରାଯିବା ପରେ ସିବିଆଇ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ।