ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ଅନନ୍ତ ଅମ୍ବାନୀ । ଦାନ କଲେ ୨ କୋଟି ୫୧ ଲକ୍ଷ ଟଙ୍କା । ବିବାହ ପୂର୍ବରୁ ନେଲେ ମହାପ୍ରଭୁଙ୍କ ଆଶୀର୍ବାଦ ।

1,524

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ଭୁବନେଶ୍ୱର ବିମାନବନ୍ଦରରୁ ଜେଡ୍ ପ୍ଲସ ସୁରକ୍ଷା ବଳୟରେ ପୁରୀରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଅନନ୍ତ ଅମ୍ବାନୀ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେ ୨ କୋଟି ୫୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏହି ଦାନ ରାଶି ଗ୍ରହଣ କରିଛନ୍ତି ।

ରାତି ପ୍ରାୟ ସାଢ଼େ ୧୦ଟାରେ ପୁରୀରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ଚତୁର୍ଦ୍ଧାମୂର୍ତ୍ତି ସେ ଦର୍ଶନ କରିଛନ୍ତି । ମା’ ବିମଳା ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମଧ୍ୟ ଦର୍ଶନ କରିଛନ୍ତି ଅନନ୍ତ । ମହାଲକ୍ଷ୍ମୀ ମନ୍ଦିରରେ କିଛି ସମୟ ବସିବା ସହ ନୃସିଂହ ମନ୍ଦିରରେ ବସିି ହନୁମାନ ଚାଳିସା ପାଠ କରିଥିଲେ । ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର, କୌଳିକ ପଣ୍ଡା ରଘୁନାଥ ଗୋଛିକାର ଓ ଅନ୍ୟାନ୍ୟ ସେବାୟତ ଉପସ୍ଥିତ ଥିଲେ । ପୁରୀ ଆସିବା ପୂର୍ବରୁ ଅନନ୍ତ ଅମ୍ବାନୀ ଆସାମ ଯାଇ ମା’ କାମାକ୍ଷାଙ୍କ ଦର୍ଶନ କରିଥିଲେ । ଗତବର୍ଷ ମଧ୍ୟ ଅନନ୍ତ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ନିକଟରେ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ସରିଛି ।

ତେବେ ଜୁଲାଇ ୧୨ ତାରିଖରେ ଅନନ୍ତ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ବିବାହ ହେବ । ଏହା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସେ ପୁରୀ ଆସିଛନ୍ତି । ଏହାପୂର୍ବରୁ ଗୁଜରାଟର ଜାମନଗରରେ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ସେରିମନି ହୋଇଥିଲା । ଏଥିରେ ବଲିଉଡର ପ୍ରମୁଖ ସେଲିବ୍ରିଟିଙ୍କ ସହ ବିଶ୍ୱର ପ୍ରମୁଖ ବ୍ୟକ୍ତି ସାମିଲ ହୋଇଥିଲେ ।