ଜନତା ମୈଦାନରେ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା: ସାମିଲ ହେଲେ ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀ

116

କନକ ବ୍ୟୁରୋ: ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ହେଉଛି ଦେଶର ପ୍ରଥମ ମହିଳା ବ୍ୟବସାୟୀ ମେଳା । ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ ଓମେନ ଏଂଟରପ୍ରେନୁଅରସିପ କାଉନସିଲ ପକ୍ଷରୁ ଆୟୋଜିତ ଏହି ମେଳାକୁ ଭର୍ଚୁଆଲ ମୋଡରେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୫ଦିନ ଧରି ହେବାକୁ ଥିବା ଏହି ବିଜନେସ ମେଳାରେ ସାମିଲ ହୋଇଛନ୍ତି ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀ । ପ୍ରଥମ ଦିନରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଏଭଳି ବ୍ୟବସାୟିକ ମେଳା ମହିଳା ଉଦ୍ୟୋଗୀଙ୍କୁ ଆଗକୁ ବଢିବା ପାଇଁ ଆତ୍ମବିଶ୍ୱାସ ଯୋଗାଇବ ।

ରାଜ୍ୟର ବିଭିନ୍ନ ପ୍ରାନ୍ତାରୁ ମହିଳା ବ୍ୟବସାୟୀମାନେ ଏହି ମେଳାରେ ଯୋଗଦେଇ ନିଜ ନିଜ ଉଦ୍ୟୋଗର ପ୍ରଦର୍ଶନ କରୁଛନ୍ତି । ଜଙ୍ଗଲଜାତ ଦ୍ରବ୍ୟରୁ ଆରମ୍ଭ କରି ଅତ୍ୟାଧୁନିକ ସାମଗ୍ରୀ ମେଳାରେ ଉପଲବ୍ଧ ହେଉଛି । ଏପରିକି ବ୍ୟବସାୟ ଭିତିକ ଆଲୋଚନା ପାଇଁ ଏହି ସ୍ୱତନ୍ତ୍ର ମେଳା ଏକ ପ୍ଲାଟଫର୍ମ ତିଆରି କରିଛି ।

ମହିଳା ଉଦ୍ୟୋଗୀମାନେ କିଭଳି ନିଜ ବ୍ୟବସାୟକୁ ବିଶ୍ୱ ବଜାରରେ ପହଂଚାଇ ପାରିବେ ସେନେଇ ଆଲୋଚନା ଚକ୍ରମାନ ଆୟୋଜିତ ହେବ । ମେ ୮ ତାରିଖ ଯାଏଁ ଭୁବନେଶ୍ୱର ଜନତା ମୈଦାନରେ ଅପରାହ୍ନ ଗୋଟାଏରୁ ରାତି ୧୦ ଟା ଯାଏଁ ଏହି ମେଳା ଚାଲିବ । ବିଜନେସ ମେଳାରେ ବଲିଉଡ କଳାକାର ଲାରା ଦତା, ଅର୍ଜୁନ ରାମପାଲ ଓ ଇମତିଆଜ ଅଲ୍ଲି ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।