ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ : ୨୪ଘଣ୍ଟାରେ ୮୩ ହଜାର ୮୭୬ ପଜିଟିଭ ଚିହ୍ନଟ

57

କନକ ବ୍ୟୁରୋ : ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲକ୍ଷେ ତଳକୁ ଖସିଛି ଦୈନିକ ସଂକ୍ରମଣ । ଦିନକରେ ୮୩ ହଜାର ୮୭୬ ନୂଆ ମାମଲା ସାମ୍ନାକୁ ଆସିଛି । ଡେଲି ପଜିଟିଭିଟି ରେଟ୍ ୭ ଦଶମିକ ୨୫ ପ୍ରତିଶତ ରହିଛି । ଗତ ୨୪ ଘଂଟାରେ ୮୯୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ୫ ଲକ୍ଷ ୨ ହଜାର ୮୭୪ରେ ପହଂଚିଛି । ସେହିପରି ୨୪ ଘଂଟାରେ ୧ ଲକ୍ଷ ୯୯ ହଜାର ୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧୧ ଲକ୍ଷ ୮ ହଜାର ୯୩୮ ରହିଛି । ବର୍ତମାନ ସୁଦ୍ଧା ଦେଶରେ ୧୬୯ କୋଟି ୬୩ ଲକ୍ଷରୁ ଅଧିକ ଲୋକ କରୋନା ଟିକା ନେଇ ସାରିଲେଣି ।

ସେପଟେ, ଦେଶ ତଥା ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ଏବେ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକ ଡେଲଟା ଭୁତାଣୁରେ ସଂକ୍ରମିତ ହେଉଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କମ ଆସୁୁଛି । ପୂର୍ବରୁ କୁହାଯାଉଥିଲା ଡେଲଟାର ସ୍ଥାନ ଓମିକ୍ରନ ନେଇଯିବ । ତେବେ ଆଇଆଇଟି ବାଙ୍ଗାଲୋର ଓ କାନପୁରର ବିଶେଷଜ୍ଞଙ୍କ କହିବା ଅନୁସାରେ ମାର୍ଚ୍ଚ ମାସରେ କରୋନା ଏନଡେମିକ ସ୍ଥିତିକୁ ଚାଲିଯିବ । ହୁଏତ ସେହି ସମୟରେ ଡେଲଟାର ସ୍ଥାନ ଓମିକ୍ରନ ନେଇପାରେ ।

କରୋନାର ଚତୁର୍ଥ ଲହର ଆସିଲେ ଏହା ଓମିକ୍ରନ ଜନିତ ହେବ ବୋଲି ବର୍ତମାନର ଟ୍ରେଣ୍ଡକୁ ଦେଖି ଆକଳନ କରୁଛନ୍ତି ବିଶେଷଜ୍ଞ । ଅନ୍ୟପଟେ ଦେଶରେ ବ୍ୟାପକ ଟିକାକରଣ ହୋଇଥିବାରୁ ଓ ୮୫ ପ୍ରତିଶତ ଲୋକଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି ବିକଶିତ ହୋଇଛି । ତେଣୁ କରୋନାର ଚତୁର୍ଥ ଲହର ଆସିଲେ ମଧ୍ୟ ଏହା ବିଶେଷ ପ୍ରଭାବୀ ହେବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।