ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ବହୁତ କମ୍‌ !

29

ସ୍ୱିସ୍‌ ବ୍ୟାଙ୍କଗୁଡ଼ିକରେ ଭାରତୀୟଙ୍କ ଜମା ପରିମାଣ ବହୁତ କମ୍‌ । ୨୦୧୫ ବେଳକୁ ଭାରତୀୟଙ୍କ ଜମା ପରିମାଣ ୮୩୯୨ କୋଟି ଟଙ୍କାକୁ ଖସି ଯାଇଥିଲା ବୋଲି ସ୍ୱିଜରଲ୍ୟାଣ୍ଡର ଘରୋଇ ବ୍ୟାଙ୍କ ସଂଘ ପକ୍ଷରୁ କୁହାଯାଇଛି । ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ୍‌ ମଧ୍ୟରେ ଆର୍ଥିକ ସୂଚନା ଆଦାନ ପ୍ରଦାନ ୨୦୧୯ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି ଖବର ଚର୍ଚ୍ଚାରେ ଥିବା ବେଳେ ସ୍ୱିଜରଲ୍ୟାଣ୍ଡର ଘରୋଇ ବ୍ୟାଙ୍କ ସଂଘ ଏଭଳି ମନ୍ତବ୍ୟ ପ୍ରଦାନ କରିଛି ।

ଟିକସ ଠକେଇ ଏବଂ ମନି ଲଣ୍ଡରିଂ କଳାଧନ ଉପାର୍ଜନ କରି ଭାରତୀୟମାନେ ତାହାକୁ ସ୍ୱିସ୍‌ ବ୍ୟାଙ୍କରେ ଲୁଚାଇ ରଖିଛନ୍ତି ବୋଲି ବହୁ ଦିନରୁ ଆଲୋଚନା ହେଉଛି । ମାତ୍ର ସ୍ୱିଜରଲ୍ୟାଣ୍ଡର ଘରୋଇ ବ୍ୟାଙ୍କଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ ଭାରତୀୟମାନେ ଅଧିକ ଟଙ୍କା ସ୍ୱିସ୍‌ ବ୍ୟାଙ୍କରେ ରଖିନାହାନ୍ତି । ସେମାନେ ସିଙ୍ଗାପୁର ଏବଂ ହଂକଂ ଭଳି ସ୍ଥାନରେ ଅଧିକ ଟଙ୍କା ଜମା ରଖିଛନ୍ତି । ବ୍ୟାଙ୍କ କାରବାର ସୂଚନା ଆଦାନ ପ୍ରଦାନ କରିବା ପାଇଁ ସ୍ୱିଜରଲ୍ୟାଣ୍ଡ୍‌ ପକ୍ଷରୁ ଭାରତ ସମେତ ବିଶ୍ୱର ୪୦ଟି ରାଷ୍ଟ୍ର ସହିତ ବୁଝାମଣା କରାଯାଇଥିଲା ।

କିଛି ଦିନ ତଳେ ସେଠାକାର ମନ୍ତ୍ରିମଣ୍ଡଳ ଏହି ଚୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି । ସ୍ୱିସ୍‌ ଘରୋଇ ବ୍ୟାଙ୍କ ସଂଘର ପ୍ରବନ୍ଧକ ଜାନ୍‌ ଲାଙ୍ଗ୍‌ଲୋ କହିଛନ୍ତି ଯେ ସ୍ୱିଜରଲ୍ୟାଣ୍ଡ୍‌ ତୁଳନାରେ ଏସିଆର ଯେ କୌଣସି ଆର୍ଥିକ ହବ୍‌ରେ ଜମାରାଶି ରଖିବା ପାଇଁ ଭାରତୀୟମାନେ ଅଧିକ ଉଚିତ ମଣୁଛନ୍ତି । ଉଲ୍ଲେଖଯୋଗ୍ୟ, ଏହି ସଂଘ ଅଧୀନରେ ୯ଟି ଘରୋଇ ସ୍ୱିସ୍‌ ବ୍ୟାଙ୍କ ରହିଛି । ସମ୍ପତ୍ତି ପରିଚାଳନା କ୍ଷେତ୍ରରେ ସମଗ୍ର ବିଶ୍ୱରେ ଏହି ବ୍ୟାଙ୍କଗୁଡ଼ିକ ଜଣାଶୁଣା ।

କଳାଧନକୁ ନେଇ ଭାରତ ସରକାର ଲଢ଼େଇକୁ ବିଗତ କିଛି ବର୍ଷ ମଧ୍ୟରେ ଜୋରଦାର କରିଛନ୍ତି। ଏହା ରାଜନୈତିକ ଏଜେଣ୍ଡାରେ ମଧ୍ୟ ସ୍ଥାନ ପାଇଛି । କଳାଧନକୁ ନେଇ ଜୋରଦାର ଚର୍ଚ୍ଚା ହେବା ପରେ ସ୍ୱିସ୍‌ ବ୍ୟାଙ୍କରୁ ଭାରତୀୟମାନେ ଦୂରେଇ ଯାଇଛନ୍ତି । ୨୦୦୬ ଶେଷ ବେଳକୁ ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ପରିମାଣ ୨୩ ହଜାର କୋଟି ଟଙ୍କା ଥିଲା ।

ଟିକସ ଠକେଇ କରିବାରେ ଲୋକମାନେ ସ୍ୱିସ୍‌ ବ୍ୟାଙ୍କଗୁଡ଼ିକୁ ସହାୟତା କରୁଛନ୍ତି ବୋଲି ଅଭିଯୋଗ ହେବା ପରେ ସ୍ୱିଜରଲ୍ୟାଣ୍ଡ୍‌ ଏହାର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଥିବା ଗୋପନୀୟତାର ପ୍ରାଚୀର ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି । ୧୯୯୭ ପରଠାରୁ ସ୍ୱିଜରଲ୍ୟାଣ୍ଡ୍‌ ଜମାକାରୀଙ୍କ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ଆରମ୍ଭ କଲାଣି । ମାତ୍ର ଯେଉଁମାନେ ଉପଯୁକ୍ତ ପ୍ରମାଣ ଦେଇ ତଥ୍ୟ ମାଗୁଛନ୍ତି କେବଳ ସେହି ରାଷ୍ଟ୍ରଗୁଡ଼ିକ ତଥ୍ୟ ହାସଲ କରିବାରେ ସଫଳ ହେଉଛନ୍ତି ।