ରାଷ୍ଟ୍ରପତି ନିର୍ବାଚନ ! କସରତ ଜୋରଦାର (ନବୀନଙ୍କ ସହ ଫୋନ୍‌ରେ କଥା ହେଲେ ଜେଟ୍‌ଲି)

31

କନକ ବ୍ୟୁରୋ : ସମ୍ବାଦରେ ପ୍ରକାଶିତ ଖବର ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି କସରତ ଜୋରଦାର କରିଛି । ଏହି କ୍ରମରେ ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଓ ବିଜେଡି ମୁଖିଆ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଟେଲିଫୋନ୍‌ ବାର୍ତ୍ତାଳାପ ହୋଇଛି । ସମ୍ଭାବ୍ୟ ପ୍ରାର୍ଥୀ ଓ ବିଜେଡି ରଣନୀତି ସଂପର୍କରେ ଉଭୟଙ୍କ ମଧ୍ୟରେ ବେଶ୍‌ କିିଛି ସମୟ ଧରି ଆଲୋଚନା ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି ରଣନୀତି କ’ଣ ହେବ, ସେ ନେଇ ଦଳ ଏଯାଏ ବିଧିବଦ୍ଧ ଘୋଷଣା କରିନାହିଁ । ମାତ୍ର ଶୀର୍ଷସ୍ତରରୁ ମିଳିଥିବା ସୂଚନା ଅନୁସାରେ, ବିଜେପି ଏଥର ବି ଏନ୍‌ଡିଏ ଧାରାରେ ଯିବ । ଆଜି ନବୀନ ଆଲୋଚନା ସମୟରେ ସକାରାତ୍ମକ ସୂଚନା ଦେଇଥିବା ନୂଆଦିଲ୍ଲୀରୁ ଖବର ମିଳୁଛି । ବିଜେପି ନେତୃତ୍ୱ ମଧ୍ୟ ବିଜେଡିର ସମର୍ଥନ ପାଇବେ ବୋଲି ଆଜି ଆଲୋଚନା ପରେ ଆଶାବାଦୀ ହୋଇଛନ୍ତି ।

ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଏମ୍‌ ଭେଙ୍କିୟା ନାଇଡ଼ୁ ଓଡ଼ିଶା ଗସ୍ତ କାଳରେ ସୂଚନା ଦେଇଥିଲେ ଯେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି ସହିତ କଥାବାର୍ତ୍ତା ହେବ । ତେବେ କିଏ କଥା ହେବ, କେବେ ଆଲୋଚନା ହେବ, ସେ ନେଇ କିଛି ଠୋସ୍‌ ଭାବେ ଜଣାଇନଥିଲେ । କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଜେଟଲିଙ୍କ ସହିତ ନବୀନଙ୍କ ନିବିଡ଼ତା କାରଣରୁ ତାଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଥିଲା ଓ ସେ ରବିବାର ପ୍ରାରମ୍ଭିକ ଆଲୋଚନା କରିଛନ୍ତି ।

ବିଜେଡି ମଧ୍ୟ ପୂର୍ବରୁ କହିସାରିଛି ଯେ ରାଷ୍ଟ୍ରପତି ନିର୍ବାଚନ ନେଇ ନବୀନଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ । ଏଣୁ ଉଭୟଙ୍କ ମଧ୍ୟରେ ଆଲୋଚନା ଉଭୟଙ୍କ ପାଇଁ ଅନେକ ମହତ୍ତ୍ୱ ରଖୁଛି । ରବିବାରର ଆଲୋଚନାକୁ ରାଜନୈତିକ ପର୍ୟ୍ୟବେକ୍ଷକ ମହଲ ମଧ୍ୟ ବେଶ୍‌ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ଏହି ମହଲର ଯୁକ୍ତି ହେଉଛି, ବିଜେପି ଓ କଂଗ୍ରେସ ଠାରୁ ସମାନ ଦ୍ୱରତ୍ୱ ଗ୍ରହଣ ରଖାଯିବା ନେଇ ନବୀନଙ୍କ ଘୋଷଣା ବାସ୍ତବରେ ସ୍ଲୋଗାନରେ ରହିଯାଇଛି ।

ଏ ଦୃଷ୍ଟିରୁ ବିଜେଡିର ରାଷ୍ଟ୍ରପତି ନିର୍ବାଚନ ଗୋଟିଚାଳନା ବେଶ୍‌ ରୋଚକ ହେବାର ସମ୍ଭାବନା ଯଥେଷ୍ଟ କ୍ଷୀଣ । ଏନ୍‌ଡିଏ ସହିତ ବିଜେଡି ଯିବ। ଏମିତିରେ ବି ୨୦୧୪ରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରଠାରୁ ସଂସଦରେ ଯେତେବେଳେ ବି ବିପଦ ଆସିଛି, ବିଜେଡି ସମର୍ଥନ ଯୋଗାଇ ଦେଇଛି । ଏଣୁ ବର୍ତ୍ତମାନ ସମର୍ଥନରେ ନୂତନତ୍ୱ କିଛି ରହିବ ନାହିଁ । ଏହା ପୂର୍ବରୁ ବିରୋଧୀ ଗୋଷ୍ଠୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଯେତେବେଳେ ଆଲୋଚନା ନିମନ୍ତେ ଆସିଥିଲେ, ନବୀନ ସେମାନଙ୍କ ସହିତ ବସିିଥିଲେ ହେଁ, ନକାରାତ୍ମକ ସଙ୍କେତ ଦେଇଛି ।

ଏହି ମହଲ କିନ୍ତୁ ବିଜେଡିର ରଣନୀତି ଓ ଶୈଳୀକୁ ନେଇ ସନ୍ତୁଷ୍ଟ ନୁହଁନ୍ତି । ଯୁକ୍ତି ଦର୍ଶାଉଛନ୍ତି, ୨୦୧୨ ନିର୍ବାଚନରେ ବିଜେଡି ଜାତୀୟ ରାଜନୀତିରେ ବେଶ୍‌ ସକ୍ରିୟ ରହିଥିଲା । ଏମିତି ଯେ ତତ୍କାଳୀନ ଏନ୍‌ଡିଏ ପ୍ରାର୍ଥୀ ପି ଏ ସାଙ୍ଗମାଙ୍କ ନାମ ଆଗତୁରା ଘୋଷଣା କରିଥିଲେ ନବୀନ ଓ ଏନ୍‌ଡିଏ ତାକୁ ପରେ ସମର୍ଥନ କରିଥିଲା । ସ୍ୱାଭାବିକ ଭାବେ ଗତ ନିର୍ବାଚନ (୨୦୧୪)ରେ ବିଜେଡିର ସଦସ୍ୟ ସଂଖ୍ୟା ବଢିଛି ରାଜ୍ୟରେ । ହେଲେ, ଜାତୀୟ ସ୍ତରରେ ପତିଆରା ଯଥେଷ୍ଟ ପ୍ରଭାବିତ ହୋଇଛି ।

୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ସେଭଳି ପ୍ରଭାବୀ ଭୂମିକାରେ ଅବତୀର୍ଣ୍ଣ ହୋଇପାରିଲା ନାହିଁ। କେବଳ ସେତିକି ନୁହେଁ, କେନ୍ଦ୍ରୀୟ ନେତାମାନେ ଟେଲିଫୋନ୍‌ ଯୋଗେ ଆଲୋଚନା କଲେ ସିନା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାହିଁ। ଏକଥା ସୂଚାଇ ଦେଉଛି, ବିଜେପି ପାଇଁ ବିଜେଡିର ଆବଶ୍ୟକତା ତ ନିଶ୍ଚିତ ଅଛି। ମାତ୍ର ବିଜେଡି ପାଇଁ ବୋଧହୁଏ ବିଜେପିର ସମର୍ଥନ ତା ଠାରୁ ଅଧିକ ରହିଛି।

ରାଷ୍ଟ୍ରପତି ନିର୍ବାଚନର ଗଣିତକୁ ନିରେଖି ଦେଖିଲେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ରାଷ୍ଟ୍ରପତି ପ୍ରାର୍ଥୀ ରାଇସିନା ହିଲ୍‌ ଯିବାକୁ ହେଲେ କଂଗ୍ରେସ ବିରୋଧୀ ଶକ୍ତିର ସମର୍ଥନ ଆବଶ୍ୟକ । କାରଣ ଏନ୍‌ଡିଏ ନିକଟରେ ଏବେ ୪୭.୫% ଭୋଟ ରହିଛି। ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ଆଉ ୨୦ ହଜାର ୩୯୦ ମୂଲ୍ୟର ଭୋଟ୍‌ ଆବଶ୍ୟକ ।

ଏଭଳି କ୍ଷେତ୍ରରେ ଦେଶର ସମସ୍ତ ସ୍ୱାଧୀନ ସାଂସଦ ଓ ବିଧାୟକଙ୍କ ଭୋଟ ମିଶାଇଲେ ବି ଏନ୍‌ଡିଏ ସରକାରକୁ ଆଉ ୫୦୦୦ ମୂଲ୍ୟର ଭୋଟ ଦରକାର । ସବୁ ସ୍ୱାଧୀନ ସଭ୍ୟ ଯେ ଏନଡିଏ ସମର୍ଥନରେ ଭୋଟ ଦେବେ ତାହା ବି ସମ୍ଭବ ନୁହେଁ । ସେପଟେ ଗତ ଦୁଇଟି ରାଷ୍ଟ୍ରପତି ନିର୍ବାଚନରେ ଶିବସେନା ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛି, ତାକୁ ଦେଖି ବିଜେପି ସେମାନଙ୍କ ସହିତ ଆଲୋଚନା ଚଳାଇଥିଲେ ହେଁ ବିଶ୍ୱାସ କରିବା ସ୍ଥିତିରେ ନାହିଁ ।

ଯଦି ଶିବସେନା ପୂର୍ବ ଭଳି ଧୋକା ଦିଏ, ତେବେ ଆଉ ୨୫ ହଜାର ୮୯୩ ମୂଲ୍ୟର ଭୋଟ୍‌ କମିଯିବ। ଅର୍ଥାତ୍‌ ଏନ୍‌ଡିଏ ସରକାର ପାଇଁ ପ୍ରାୟ ୪୬ହଜାରରୁ ଅଧିକ ମୂଲ୍ୟର ଭୋଟ ଆବଶ୍ୟକ ହେଉଛି । ଏଣୁ ବିଜେପି ନେତୃତ୍ୱ ଏଆଇଏଡିଏମ୍‌କେ, ଟିଆର୍‌ଏସ୍‌ ଓ ବିଜେଡି ଭଳି ଶକ୍ତି ଉପରେ ନିର୍ଭର କରୁଛନ୍ତି। ଏବେ ଏଆଇଏ଼ଡିଏମ୍‌କେ ହାତରେ ପ୍ରାୟ ୫୯ ହଜାର (୫.୫%) ମୂଲ୍ୟର ଭୋଟ୍‌ ରହିଛି ।

ଟିଆର୍‌ଏସ୍‌ ହାତରେ ୨୩ ହଜାର ୨୦୦ (୧.୫%) ଓ ବିଜେଡି ହାତରେ ପାଖାପାଖି ୩୬ ହଜାର ୫୦୦ (୩.୫%) ମୂଲ୍ୟର ଭୋଟ୍‌ ରହିଛି । ତେବେ ସମସ୍ୟା ହେଉଛି, ଏହି ତିିନିଟି ରାଜ୍ୟରେ ବିଜେପି ଏବେ ଶକ୍ତି ବୃଦ୍ଧି କରିବାକୁ ଚାହୁଁଛି । ଓଡ଼ିଶାରେ ପଞ୍ଚାୟତ ନିର୍ବାଚନର ସଫଳତା ପରେ ବିଜେପି ବେଶୀ ଆଶାବାଦୀ ହୋଇ ବିଜେଡିକୁ ହଟାଇବା ପାଇଁ କମର କସିଛି। ଏଣୁ ବିଜେପିକୁ ଏମାନେ ସମର୍ଥନ ଦେବା ବେଳେ କିଛି ସର୍ତ ରଖିବା ବିଚିତ୍ର ନୁହେଁ।

ଅବଶ୍ୟ ଓଡ଼ିଶା କ୍ଷେତ୍ରରେ ଏହାର ଝଲକ୍‌ ଦେଖିବାକୁ ମିଳୁଛି। ଚିଟ୍‌ଫଣ୍ଡ କେଳେଙ୍କାରି ଘଟଣାରେ ସିବିଆଇ ମାଧ୍ୟମରେ କେନ୍ଦ୍ର ବିଜେଡିକୁ ବେଶ୍‌ ଅକଳରେ ପକାଇଥିଲେ ହେଁ, ଏବେ ନିରବି ଯାଇଛି । ଏହା ସତ୍ତ୍ୱେ ଭୋଟ ବ୍ୟାଙ୍କ ରାଜନୀତିରେ ଉଭୟ ଉଭୟଙ୍କୁ ମାତ୍‌ ଦେବା ପାଇଁ ପ୍ରତିଦିନ କମର କସୁଛନ୍ତି, କିନ୍ତୁ ସଂସଦ କିମ୍ବା ବ୍ୟବସ୍ଥାକୁ ନେଇ ରଣନୀତି ବେଳେ ଉଭୟଙ୍କ ମଧ୍ୟରେ ସଲାସୁତରାରେ ଚାଲିଛି ।

ତେବେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିବା ନେଇ ତାଙ୍କ ପାଖରେ ଖବର ନାହିଁ। ରାଷ୍ଟ୍ରପତି ନିର୍ବାଚନ ସଂପର୍କରେ ଦଳ ଠିକଣା ସମୟରେ ନିଷ୍ପତ୍ତି ଶୁଣାଇବ। ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତା ୨୮ ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଥିଲେ ହେଁ, ୨୪ ତାରିଖ ପୂର୍ବରୁ ନାମ ଘୋଷଣା ସଂପର୍କରେ ବିଜେପି ଶୁଣାଇ ସାରିଛି ।

                                                           ସୌଜନ୍ୟ – ସମ୍ବାଦ