କ’ଣ ଏହି ହନିଟ୍ରାପ ! କାହିଁକି ଏଥିରେ ଫସୁଛନ୍ତି ଭାରତୀୟ ଯବାନ ! ଜାଣନ୍ତୁ କ’ଣ କହୁଛି ସେନାର ଗାଇଡଲାଇନ୍ ।

363

ହନିଟ୍ରାପ ଏମିତି ଏକ ପ୍ରକ୍ରିୟା ଅଟେ, ଯାହା ଜରିଆରେ ଯେକୌଣସି ମହିଳା କୌଣସି ଏକ ଉଦ୍ଦେଶ୍ୟ ନେଇ ରୋମାଣ୍ଟିକ୍ କିମ୍ବା ଅବୈଧ ସମ୍ବନ୍ଧ ଜରିଆରେ କୌଣସି ବ୍ୟକ୍ତିଙ୍କ ସୂଚନା ବାହାର କରିବାଠାରୁ ଆରମ୍ଭ କରି ତାଙ୍କୁ ବ୍ଲାକମେଲ୍ ମଧ୍ୟ କରିପାରିବେ । ତେବେ ଇଣ୍ଟେଲିଜେନ୍ସ ଏଜେନ୍ସି ଗୁଡିକ ଏହାର ବ୍ୟବହାର ଗୁପ୍ତ ସୂଚନା ବାହାର କରିବା ପାଇଁ କରିଥାନ୍ତି । ଗତ କିଛି ବର୍ଷ ମଧ୍ୟରେ ଏମିତି କିଛି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ହନିଟ୍ରାପର ବ୍ୟବହାର କରି ଭାରତୀୟ ସେନାର ଯବାନ ମାନଙ୍କଠାରୁ ଗୁପ୍ତ ସୂଚନା ହସ୍ତଗତ କରିଛି ।

ତେବେ ହନିଟ୍ରାପର ଇତିହାସ ବହୁତ ପୁରୁଣା ଅଟେ । ଏମିତି ନୁହେଁ କି, କେବଳ ପାକିସ୍ଥାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏହାର ବ୍ୟବହାର କରିଥାଏ । ବରଂ ସାରା ଦୁନିଆରେ ଯେତିକି ଗୁଇନ୍ଦା ସଂସ୍ଥା ଅଛନ୍ତି, ସମସ୍ତେ କିଛି ଗୁପ୍ତ ସୂଚନା ପାଇବା ପାଇଁ ହନିଟ୍ରାପର ବ୍ୟବହାର କରିଥାନ୍ତି । ଏଜେଂଟ ଭାବରେ ସୁନ୍ଦର ଝିଅମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଥାଏ । ଏବଂ ଏହି ଏଜେଂଟ ଝିଅମାନେ ମଧ୍ୟ ଏହି କାମକୁ ଭଲ ଭାବେ କରିଥାନ୍ତି । ଯବାନମାନଙ୍କୁ ଏମାନେ ନିଜ ସୁନ୍ଦରତାର ଜାଲରେ ଫସାଇ ଗୁପ୍ତ ସୂଚନା ହାସଲ କରିନେଇଥାନ୍ତି ।
ସମୟ ଗଡିବା ସହ ଆଇଏସଆଇ ହନିଟ୍ରାପର ରଣନୀତିରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିଛି । ପୂର୍ବରୁ ଫଟୋ ମାଧ୍ୟମରେ ଯବାନମାନଙ୍କୁ ଫସାଇବାର କାର୍ଯ୍ୟ କରାଯାଉଥିଲା । ଆଉ ଏବେ ଲାଇଭ୍ ଚାଟରେ ରୋମାଂଟିକ ଅନ୍ଦାଜ ଜରିଆରେ ଯବାନମାନଙ୍କୁ ଫସାଇ ଗୁପ୍ତ ସୂଚନା ହାସଲ କରାଯାଉଛି ।

ଭାରତୀୟ ସେନାର ଗାଇଡଲାଇନ୍ :

ଏବେ ଆସନ୍ତୁ ଜାଣିବା, ସେନା, ପାରାମିଲିଟାରୀ ଫୋର୍ସ ଏବଂ ଏୟାରଫୋର୍ସର କ’ଣ ରହିଛି ଗାଇଡଲାଇନ୍ । ଗାଇଡଲାଇନ୍ ରହିଛି ଯେ, ଯଦି ଆପଣ ଫେସବୁକରେ ଅଛନ୍ତି, ତେବେ ଆପଣଙ୍କ ପରିଚୟ ଦିଅନ୍ତୁ ନାହିଁ । ପରିଚୟ ସହ ଯୋଡି ହୋଇଥିବା କିଛି ବି ତଥ୍ୟ ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ । ଏହା ଛଡା ସୋସିଆଲ୍ ମିଡିଆରେ କୌଣସି ମଧ୍ୟ ପର୍ନ ଭିଡିଓର ଲିଙ୍କକୁ କ୍ଲିକ୍ କରନ୍ତୁ ନାହିଁ । ସେନା ୟୁନିଫର୍ମ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତୁ ନାହିଁ । ବାଟାଲିୟନ୍ କିମ୍ବା ୟୁନିଟର ସୂଚନା ସୋସିଆଲ୍ ମିଡିଆରେ ସେୟାର କରନ୍ତୁ ନାହିଁ ।

ଏହା ଛଡା ସୋସିଆଲ୍ ମିଡିଆରେ ଆକର୍ଷିତ କରୁଥିବା ବିଜ୍ଞାପନକୁ କ୍ଲିକ୍ କରନ୍ତୁ ନାହିଁ । କୌଣସି ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ୍ କିମ୍ବା ଏୟାରକ୍ରାଫ୍ଟ ସହ ଆପଣଙ୍କ ଫଟୋ ସୋସିଆଲ ସାଇଟରେ ସେୟାର କରନ୍ତୁ ନାହିଁ । କାହିଁକି ନା ଏହି ସବୁ ତଥ୍ୟକୁ ହିଁ ଦେଖିଲା ପରେ ଆଇଏସଆଇ ଏଜେଂଟ ଆପଣଙ୍କ ପାଖକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥାନ୍ତି । ତେବେ ଏହି ଗାଇଡଲାଇନର ପାଳନ ଅନେକ ଯବାନ କରୁନଥିବା ଜଣାପଡିଛି । ଯେଉଁଥିପାଇଁ ଭାରତୀୟ ସେନାର ଯବାନ ମାନେ ହନିଟ୍ରାପର ଶିକାର ହେଉଥିବା ଦେଖିବାକୁ ମିଳୁଛି ।