ବାଃ ବାଃରେ ସର୍ବଶିକ୍ଷା ଅଭିଯାନ: ଦଦରା ଚାଳ ଛପର ଘରେ ଚାଲିଛି ଭବିଷ୍ୟତ ଗଢା; ଗୋଟିଏ ଘରେ ସକାଳେ ଅଙ୍ଗନବାଡି ୧୦ଟାରୁ ସ୍କୁଲ

ବିଭାଗୀୟ ଅଧିକାରୀ କହିଲେ ବନ୍ଦ ହେବ ସ୍କୁଲ

152

କନକ ବ୍ୟୁରୋ: ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସର୍ବଶିକ୍ଷା ଅଭିଯାନ ନାମରେ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ଲକ୍ଷ୍ୟ ସଭିଏଁ ପଢିବେ ସଭିଏଁ ବଢିବେ । ଅର୍ଥାତ କେହି ନିରକ୍ଷର ରହିବେ ନାହିଁ । ମାତ୍ର ରାଜ୍ୟରେ ଆଜିବି ଏଭଳି ପ୍ରାଥମିକ ବିଦ୍ୟାଳୟ ମାନ ଅଛି, ଯେଉଁଠି ଛାତ୍ରଛାତ୍ରୀମାନେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଭଙ୍ଗା ଦଦଡା ମାଟି କାନ୍ଥ ଚାଳ ଛପର ଶ୍ରେଣୀ ଗୃହରେ ବସି ପାଠ ପଢୁଛନ୍ତି । କୌଣସି ଉପାନ୍ତ ଜିଲ୍ଲା ନୁହେଁ ବରଂ ଏଭଳି ସ୍କୁଲ ରହିଛି ଯାଜପୁର ଜିଲ୍ଲାରେ । କୋରାଇ ବ୍ଳକ୍ ଅନ୍ତର୍ଗତ ଫାଜଲପୁର ପ୍ରାଥମିକ ବିଦ୍ୟାଳୟରେ ପାଂଚଟି ଶେଣୀର ଛାତ୍ରଛାତ୍ରୀ ଓ ତାସାଙ୍ଗକୁ ଗୋଟିଏ ଅଙ୍ଗନୱାଡି କେନ୍ଦ୍ରରେପାଠ ପଢିବା ପାଇଁ ଅଛି ମାତ୍ର ଗୋଟିଏ ଭଙ୍ଗା ଦଦଡା ଚାଳ ଛପର ଶ୍ରେଣୀଗୃହ । ତାହା ପୁଣି ବିପଦ ସଂକୁଳ ଅବସ୍ଥାରେ ।

ଏ ହେଉଛି ଯାଜପୁର କୋରାଇ ବ୍ଲକ୍ ଫାଜଲପୁର ପ୍ରାଥମିକ ବିଦ୍ୟାଳୟ । ଏହି ଚାଳ ଛପର ଘରେ ୧୯୬୮ ମସିହାରୁ ଆଜି ଯାଏଁ ୫ଟି ଶ୍ରେଣୀର ପାଠପଢା ଚାଲିଛି । ସ୍କୁଲ ସାଙ୍ଗକୁ ଅଙ୍ଗନୱାଡି କେନ୍ଦ୍ର ବି ଚାଲେ । ପ୍ରଥମରୁ ପଂଚମ ଯାଏଁ ୩୦ ଜଣ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଥିବା ବେଳେ ଏମାନଙ୍କ ବସିବା ପାଇଁ ସୁରକ୍ଷିତ ଶ୍ରେଣୀଗୃହଟିଏ ନାହିଁ ।  ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ପିଲାଙ୍କୁ ପଢାଉଥିବା ବେଳେ ଶ୍ରେଣୀଗୃହର କାଂଥ ଫାଟି ଆଁ କରିଛି । କେତେବେଳେ ଯେ ଅବସ୍ଥା କ’ଣ ହେବ ତାହା କହିବା ମୁସ୍କିଲ୍ ।

ଯେଉଁଠି ଛାତ୍ରଛାତ୍ରୀ ଭଙ୍ଗା ଦଦରା ଚାଳ ଛପର ଘରେ ବସି ପାଠପଢନ୍ତି, ସେଠାରେ କିଭଳି ମଧ୍ୟାହ୍ନ ଭୋଜନ ଚାଲିଛି ଚାଲନ୍ତୁ ଜାଣିବା । ଫାଜଲପୁର ପ୍ରାଥମିକ ବିଦ୍ୟାଳୟର ରୋଷେଇ ଘର ନାହିଁ,ତେଣୁ ଖୋଲାରେ ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ କରାଯାଉଛି । ଶୌଚାଳୟ ଟିଏ ନଥିବାରୁ ପିଲାମାନଙ୍କୁ ବାହାରକୁ ଯିବାକୁ ପଡୁଛି । ସ୍କୁଲ ଅବସ୍ଥା ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ  ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ତେବେ ବିଦ୍ୟାଳୟଟିର ନିଜସ୍ୱ ଜାଗା ନଥିବାରୁ ଗୃହ ନିର୍ମାଣ ହୋଇ ପରୁନାହିଁ ବୋଲି ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ କହିଛନ୍ତି । ଯଥାଶିଘ୍ର ଏହାର ସମାଧାନ ପାଇଁ ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟଟିକୁ ବନ୍ଦ କରି ଦିଆଯିବ । ଛାତ୍ରଛାତ୍ରୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ତେବେ ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି, ଯେ ଶିକ୍ଷା ବିଭାଗର ଅଧିକାରୀମାନେ ପ୍ରାଥମିକ ଶିକ୍ଷାରେ ଉନ୍ନତି ଆଣିବା ଦିଗରେ କେତେ ତତ୍ପର ।