ଏସିଆ ମହାଦ୍ୱୀପ ହେବ, ହିନ୍ଦୁ ମହାଦ୍ୱୀପ । ଭାରତ ହେବ ହିନ୍ଦୁ ରାଷ୍ଟ୍ର । ବଡ ବୟାନ ରଖିଲେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ।

152

କନକ ବ୍ୟୁରୋ: ଯେମିତି ହେଲେ ବି ହିନ୍ଦୁ ରାଷ୍ଟ୍ର ହେବ ଭାରତ । ସମ୍ବିଧାନ ବଦଳୁ ନଚେତ୍ ଶାସନ, ଭାରତ ହିନ୍ଦୁ ରାଷ୍ଟ୍ର ହେବାର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ । ଭାରତ ହିନ୍ଦୁ ରାଷ୍ଟ୍ର ହେବା ନେଇ ଏମିତି କିଛି ବୟାନ ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ।

ତାଙ୍କ କହିବା କଥା, ଭାରତ ନିଜକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କଲେ, ଏହାର କିଛି ବର୍ଷ ଭିତରେ ବିଶ୍ୱର ଆଉ ୧୫ଟି ଦେଶ ମଧ୍ୟ ନିଜକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିଦେବେ । ୨୦୪ ଦେଶରୁ ୧୫ଟି ଦେଶ ଏମିତି ଅଛନ୍ତି, ଯିଏକି ଭାରତ ହିନ୍ଦୁ ରାଷ୍ଟ୍ର ଘୋଷଣା ହେବାକୁ ଅପେକ୍ଷା କରିଛନ୍ତି । ତେବେ ଏସିଆ ମହାଦ୍ୱୀପ ହିନ୍ଦୁ ମହାଦ୍ୱୀପ ଭାବେ ସାମ୍ନାକୁ ଆସିିବ । ଆମେରିକା ସଂସଦରେ ବି ହିନ୍ଦୁ ରାଷ୍ଟ୍ର ମୁଦ୍ଦା ଉଠିସାରିଛି । ଆମ ସମସ୍ତଙ୍କର ପୂର୍ବଜ ହିନ୍ଦୁ ଥିଲେ, ଏବଂ ଭାରତ ହିନ୍ଦୁ ରାଷ୍ଟ୍ର ହେବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଯଦି ନିଜକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରେ, ତେବେ ମରିଶସ୍ ମଧ୍ୟ ନିଜକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରିବ । ତେବେ ୧୭ ମାସ ତଳେ ହିନ୍ଦୁ ରାଷ୍ଟ୍ରକୁ ନେଇ ସେ ମତ ରଖିସାରିଛନ୍ତି ବୋଲି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ । ଅନ୍ୟପଟେ ରାମଚରିତ ମାସକୁ ନେଇ ଉଠିଥିବା ବିବାଦ ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି । ତାଙ୍କ କହିବା କଥା, ରାମଚରିତ ମାନସକୁ ଅପଶବ୍ଦ କହୁଥିବା ଲୋକ ଚାଣକ୍ୟ ନୀତି ଅଧ୍ୟୟନ କରିବା ଆବଶ୍ୟକ । ଚାଣକ୍ୟ ନୀତିରେ କୁହାଯାଇଛି ୫ ବର୍ଷ ପର୍ଯ୍ୟନ୍ତ ପିଲାକୁ ସେହ୍ନ-ଶ୍ରଦ୍ଧା ଦିଅନ୍ତୁ । ଏହାପରେ ତାକୁ ଅନୁଶାସନରେ ରଖିବାକୁ ଗାଳି କରିବା ମଧ୍ୟ ଉଚିତ୍ ।

ସେହିପରି ମୌଲାନା ମଦନୀଙ୍କ ଓଁ ହିଁ ଆଲ୍ଲା ବୟାନକୁ ନେଇ ମଧ୍ୟ ପୁରୀ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ କହିବା କଥା, ଆଲ୍ଲା ଶବ୍ଦ ହେଉଛି ମାତୃବାଚକ ଓ ଶକ୍ତିବାଚକ ଶବ୍ଦ । ଆଲ୍ଲା ଶବ୍ଦ ସଂସ୍କୃତରୁ ଆସିଛି । ଓଁ ହେଉଛି ପରମାତ୍ମାଙ୍କ ନାମ ।