ବିଶ୍ୱ କ୍ଷୁଧା ସୂଚୀରୁ ଆସିଲା ଏଭଳି ତଥ୍ୟ । ଗତ ବର୍ଷ ଅପେକ୍ଷା ଆହୁରି ତଳକୁ ଖସିଲା ଭାରତ

108

କନକ ବ୍ୟୁରୋ : ଦେଶରେ ଭୋକିଲାଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ଚଳିତବର୍ଷ ରିପୋର୍ଟ ଭାରତ ପାଇଁ ଚିନ୍ତା ବଢାଇଛି । ୧୨୧ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭ରେ ରହିଛି । ଏହି ତାଲିକାରେ ଯୁଦ୍ଧ ପ୍ରପୀଡିତ ସମ୍ମୁଖୀନ ଆଫଗାନିସ୍ତାନକୁ ଛାଡିବା ପରେ ପ୍ରାୟ ଦକ୍ଷିଣ ଏସିଆର ସମସ୍ତ ଦେଶର ପଛରେ ରହିଛି ଭାରତ । ୟୁନିସେଫ୍, ବିଶ୍ୱବ୍ୟାଙ୍କ, ଖାଦ୍ୟ ଓ କୃଷି ସଙ୍ଗଠନ ସମେତ ଜାତିସଙ୍ଘ ଓ ଅନ୍ୟାନ୍ୟ ବହୁଦେଶୀୟ ସଙ୍ଗଠନରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ତାଲିକା ପ୍ରସ୍ତୁତି କରାଯାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଶ୍ୱ କ୍ଷୁଧା ସୂଚୀରେ ପଡୋଶୀ ଦେଶଗୁଡିକ ଭାରତ ତୁଳନାରେ ଭଲ ସ୍ଥିତିରେ ରହିଛନ୍ତି । ଏହି ତାଲିକାରେ ପାକିସ୍ତାନ ୯୯ ର୍ୟାଙ୍କରେ ରହିଥିବା ବେଳେ ଶ୍ରୀଲଙ୍କା ୬୪ ର୍ୟାଙ୍କରେ ରହିଛି । ସେହିପରି ବାଲାଂଦେଶ ୮୪, ନେପାଳ ୮୧ ଏବଂ ମିଆଁମାର ୭୧ ତମ ସ୍ଥାନରେ ଥାଇ ଭାରତ ଉପରେ ରହିଛନ୍ତି । ଅନ୍ୟପଟେ ଚାଇନା, ତୁର୍କୀ, କ୍ୟୁଏତ ଭଳି ୧୭ଟି ଦେଶ ବିଶ୍ୱ କ୍ଷୁଧା ସୁଚୀର ଶୀର୍ଷ ସ୍ଥାନରେ ରହିଛନ୍ତି ।

୨୦୧୪ରୁ ୨୦୨୨ ମଧ୍ୟରେ ଭାରତରେ ଉକ୍ରଟ ଶିଶୁ ଅପପୃଷ୍ଟି ୩୮.୭ ପ୍ରତିଶତରୁ ଖସି ୩୫.୫ ପ୍ରତିଶତ ରହିଛି । ସେହିପରି ଶିଶୁ ମୃତ୍ୟୁହାର ମଧ୍ୟ ୪.୬ ପ୍ରତିଶତରୁ ୩.୩ ପ୍ରତିଶତକୁ ହ୍ରାସ ପାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଶନିବାର ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ କଂଗ୍ରେସ ସାଂସଦ ପି . ଚିଦାମ୍ବରମ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତାଧୀନ କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ଅର୍ଥାତ୍ ୨୦୧୪ ପରଠାରୁ ବିଶ୍ୱ କ୍ଷୁଧା ସୂଚୀରେ ଭାରତର ସ୍କୋର କ୍ରମାଗତ ଭାବେ ହ୍ରାସ ପାଉଛି ।

୨୦୧୪ରେ ଭାରତର ଜିଏସଆଇ ସ୍କୋର ୨୮.୨ ପ୍ରତିଶତ ରହିଥିବା ବେଳେ ବର୍ତମାନ ଏହା ୨୯.୧ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଆଦୌ ଭଲ ସଙ୍କେତ ନୁହେଁ । ଏବେଠୁ ଏଥିପ୍ରତି ଦୃଷ୍ଟି ନଦେଲେ, ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞ ମତପ୍ରକାଶ କରିଛନ୍ତି ।