ପୁଣି ଡରାଇଲାଣି କୋଭିଡ । ଦେଶରେ ବଢ଼ୁଛି ସଂକ୍ରମଣ, ୩ହଜାର ଟପିଲା ଦୈନିକ ସଂକ୍ରମଣ

153

କନକ ବ୍ୟୁରୋ : ଦେଶରେ ପୁଣି କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଲାଣି । ଗତ ୨୪ ଘଣ୍ଟାରେ ଦେଶରୁ ୩ହଜାର ୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ସଂକ୍ରମଣ ବଢିନି ବଂର ଗତ ୨୪ ଘଂଟାରେ ୧୪ଜଣଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୬ ମାସରେ ଏହା ସର୍ବାଧିକ ସଂକ୍ରମଣ ଅଟେ । ପୂର୍ବରୁ ଗତ ବର୍ଷ ଅକ୍ଟୋବର ଦୁଇ ତାରିଖରେ ୩ ହଜାର ୩୭୫ ମାମଲା ଚିହ୍ନଟ ହୋଇଥିଲା । ଅନ୍ୟପଟେ ଦେଶରେ ସକ୍ରିୟ ମାମଲା ବଢ଼ି ୧୩ ହଜାର ୫୦୯ ଥିବା ଜଣାପଡ଼ିଛି । ତେବେ ୨୦୨୩ ମାର୍ଚ୍ଚ ୩୦ ତାରିଖରେ ସଂକ୍ରମଣ ସଂଖ୍ୟା ୩ ହଜାର ଟପିଥିବାବେଳେ ପୂର୍ବ ବର୍ଷରେ ଏହି ଦିନରେ ସଂକ୍ରମଣ ସଂଖ୍ୟା ଚିନ୍ତାଜନକ ରହିଥିଲା ।

ବର୍ଷ ସଂକ୍ରମିତଙ୍କ ସଂଖ୍ୟା ମୃତ୍ୟୁ ସଂଖ୍ୟା
୨୦୨୨_ ୧୦୦୦_ ୩୧
୨୦୨୧_ ୫୬,୨୧୧_ ୨୭୧
୨୦୨୦ _୧,୨୫୧_ ୩୨

ଗତ ୩ବର୍ଷ ତୁଳନାରେ ଚଳିତବର୍ଷର ସଂକ୍ରମଣ ଯଦିଓ ବେଶ ଅଧିକ ନୁହେଁ ତଥାପି ସମୟ ଥାଉ ଥାଉ ସଜାଗ ରହିବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି । ଅନ୍ୟପଟେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୩ଶହ ପାର ହୋଇଛି । କୋଭିଡ଼ ସ୍ଥିତି ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ସୈାରଭ ଭରଦ୍ୱାଜ ଜରୁରୀକାଳୀନ ବୈଠକ ଡ଼କାଇଛନ୍ତି । ଯେଉଁଥିରେ ବହୁ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି ।

କୋଭିଡ଼ ସଂଖ୍ୟା ବଢ଼ୁଥିବାରୁ ଲୋକମାନଙ୍କ ମଧ୍ୟରେ ପୁଣି ଥରେ ଏନେଇ ଭୟ ଦେଖାଦେଇଛି । ତେବେ ବଢ଼ୁଥିବା ସଂକ୍ରମଣ ପଛରେ କୋଭିଡ଼ର ନୂଆ ସବଭ୍ୟାରିଏଣ୍ଟ ଏକ୍ସବିବି.୧.୧୬ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏବଂ ଭବିଷ୍ୟତରେ ଏହା ଆଉ ଏକ କରୋନା ଲହରର କାରଣ ହୋଇପାରେ ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

ବିଭିନ୍ନ ରାଜ୍ୟରେ କୋଭିଡ଼ ସଂକ୍ରମଣ ବଢୁଥିବାରୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ହସ୍ପିଟାଲଗୁଡିକରେ ଆବଶ୍ୟକ ମୁତାବକ ଜରୁରୀକାଳୀନ ଔଷଧ ମହଜୁଦ ରଖିବାକୁ କୁହାଯାଇଛି । ଅନ୍ୟପଟେ ପାଗ ବଦଳୁଥିବାରୁ ଫ୍ଲୁ ବୃଦ୍ଧି ପାଉଥିବାରୁ ଲୋକେ ଭୟଭୀତ ଅଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ସହ ଲୋକଙ୍କ ଭୟଭୀତ ନହେବାକୁ କୁହାଯାଇଛି ।