ଲଣ୍ଡନକୁ ସମାନ ଜବାବ ଦେଲା ଭାରତ, ଦିଲ୍ଲୀସ୍ଥିତ ବ୍ରିଟିସ ହାଇକମିଶନ ଓ ହାଇକମିଶନରଙ୍କ ଆବାସରୁ କମ୍ କରାଗଲା ସୁରକ୍ଷା ବ୍ୟବସ୍ଥା

119

କନକ ବ୍ୟୁରୋ : ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନ ଅଫିସ ଅଗାରେ ଖଲିସ୍ତାନୀ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିବାର କିଛିଦିନ ପରେ ଦିଲ୍ଲୀରେ ଥିବା ବ୍ରିଟିସ ହାଇକମିଶନ ଓ ହାଇକମିଶନରଙ୍କ ବାସଭବନ ବାହାରେ ଥିବା ବ୍ୟାରିକେଟକୁ ଆଜି ପୋଲିସ ହଟାଇ ଦେଇଛି । ହାଇକମିଶନଙ୍କ କାର୍ଯ୍ୟାଳୟ ବାହାରେ ଥିବା ବ୍ୟାରିକେଟ ସମେତ ପୋଲିସ ଭ୍ୟାନକୁ ବି ହଟାଇ ଦିଆଯାଇଛି । ହେଲେ ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି କି ବ୍ରିଟିସ ହାଇକମିଶନଙ୍କ କାର୍ଯ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି ।

ସୂଚନା ମୁତାବକ ଦିଲ୍ଲୀ ସ୍ଥିତ ବ୍ରିଟିସ ହାଇକମିଶନଙ୍କ କାର୍ଯ୍ୟାଳୟ ବାହାରେ ଦିଲ୍ଲୀ ପୋଲିସ ତରଫରୁ ୧୨ଟି ବ୍ୟାରିକେଟ୍ ଲଗାଯାଇଥିଲା । ଯାହାକୁ ଏବେ ହଟାଇ ଦିଆଯାଇଛି । ସେହିଭଳି ବ୍ରିଟିସ ହାଇକମିଶନର ଏଲେକ୍ସ ଏଲିସଙ୍କ ବାସଭବନ ବହାରେ ମଧ୍ୟ ନିୟୋଜିତ ହୋଇଥିବା ସୁରକ୍ଷା କର୍ମୀଙ୍କୁ ହଟାଇ ଦିଆଯାଇଛି । ସମାଚାର ଏଜେନ୍ସି ପିଟିଆଇ ମୁତାବକ ବ୍ରିଟିସ ହାଇକମିଶନ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ଠିକ୍ ରହିଛି ହେଲେ କମିଶନରଙ୍କ ଯାତାୟତ ରାସ୍ତାରେ ଲାଗିଥିବା ବ୍ୟାରିକେଟକୁ ହଟାଇ ଦିଆଯାଇଛି । ଯାହାକି ଯିବା ଆସିବା ବେଳେ ଅସୁବିଧା ପହଂଚାଉଥିବା କଥା କୁହାଯାଇଛି ।

ସେପଟେ ଏହି ମାମଲାରେ ବ୍ରିିଟିସ ହାଇକମିଶନର କିଛି ଟିପ୍ପଣୀ ଦେବାକୁ ମନା କରିଛନ୍ତି । ହାଇକମିଶନ କାର୍ଯ୍ୟାଳୟର ଜଣେ ପ୍ରବକ୍ତା କହିଛନ୍ତି କି, “ଆମେ ସୁରକ୍ଷା ମାମଲା ଉପରେ କୌଣସି ଟିପ୍ପଣୀ ଦେଇପାରିବୁ ନାହିଁ” । ଅନ୍ୟପଟେ ବିଦେଶ ମନ୍ତ୍ରଣାଳୟର ଜଣେ ଅଧିକାରୀ ବିଜ୍ଞପ୍ତିରେ କହିଛନ୍ତି କି ବ୍ରିଟେନରେ ଥିବା ଭାରତୀୟ ହାଇକମିଶନ କାର୍ଯ୍ୟାଳୟରେ ଖଲିସ୍ତାନୀ ସମର୍ଥକଙ୍କ ଭଙ୍ଗାରୁଜା ପରେ ରବିବାର ରାତିରେ ଦିଲ୍ଲୀସ୍ଥିତ ବ୍ରିଟେନର କୂଟନୀତିଜ୍ଞଙ୍କୁ ନୋଟିସ କରାଯାଇଛି ।

 

ସୂଚନା ଥାଉକି ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂଙ୍କୁ ଗିରଫ କରିବାକୁ ପଞ୍ଜାବ ପୋଲିସ ଅମ୍ରିତପାଲଙ୍କ ସହଯୋଗୀଙ୍କୁ ଗିରଫ କରିବାରେ ଲାଗିଛି । ଅମ୍ରିତ ପାଲ ପଞ୍ଜାବ ପୋଲିସ ଆଖିରେ ଧୂଳି ଦେଇ କେଉଁଆଡେ ଫେରାର ହୋଇଯାଇଛନ୍ତି । ଏସବୁ ଭିତରେ ବ୍ରିଟେନରେ ଥିବା ଭାରତୀୟ ଦୂତାବାସ କାର୍ଯ୍ୟାଳୟ ଆଗରେ ଖଲିସ୍ତାନୀ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିଲେ ।