ଭାରତ ହେଲା ବିଶ୍ୱର ଜନବହୁଳ ଦେଶ । ଚୀନକୁ ଟପି ଜନସଂଖ୍ୟାରେ ହେଲା ନମ୍ବର-୧ । ୨୦୫୦ ସୁଦ୍ଧା ଭାରତର ଜନସଂଖ୍ୟା ହେବ ୧୬୬ କୋଟି!

1,628

କନକ ବ୍ୟୁରୋ : ଜନସଂଖ୍ୟାରେ ଚୀନକୁ ଟପିଲା ଭାରତ । ଚୀନକୁ ପାର୍ କରି ଭାରତ ବନିଲା ବିଶ୍ୱର ଜନବହୁଳ ଦେଶ । ଚୀନର ଜନସଂଖ୍ୟା ଏବେ ୧୪୨ କୋଟି ୫୭ ଲକ୍ଷ ଥିବାବେଳେ, ଭାରତର ଜନସଂଖ୍ୟା ତାଠୁ ୨୯ ଲକ୍ଷ ଅଧିକ ହୋଇସାରିଛି । ଭାରତ ଜନସଂଖ୍ୟା ଏବେ ୧୪୨ କୋଟି ୮୬ ଲକ୍ଷ ରହିଥିବା ରିପୋର୍ଟ ପ୍ରକାଶ କରିଛି ୟୁନାଇଟେଡ୍ ନେସନ୍ ପୋପୁଲେସନ୍ ଫଣ୍ଡ୍ । ୧୯୫୦ ମସିହାରେ ପରେ ପ୍ରଥମ ଥର ପାଇଁ ଭାରତର ଜନସଂଖ୍ୟା ଚୀନକୁ ଟପିଛି । ସଂଯୁକ୍ତ ରାଷ୍ଟ୍ର ଗଲା ବର୍ଷ ହିଁ ଅନୁମାନ କରୁଥିଲା ଯେ, ଗୋଟିଏ ବର୍ଷ ଭିତରେ ଭାରତର ଜନସଂଖ୍ୟା ଚୀନକୁ ଟପିଯାଇପାରେ । ହେଲେ ଏହାର ଯଥେଷ୍ଟ ପୂର୍ବରୁ ଭାରତର ଲୋକସଂଖ୍ୟା ଚୀନକୁ ଟପିସାରିଛି ।

ୟୁନାଇଟେଡ୍ ନେସନ୍ ପପୁଲେସନ୍ ଫଣ୍ଡ ରିପୋର୍ଟ ମୁତାବକ, ଏହି ଦୁଇ ଦେଶର ଲୋକସଂଖ୍ୟାକୁ ତୁଳନା କରିବା ବେଶ କଷ୍ଟକର ଅଟେ । କାହିଁକି ନା ଦୁଇ ଦେଶରୁ ଡାଟା କଲେକ୍ସନ କରିବା ହିଁ ଏକ କଷ୍ଟକର ବ୍ୟାପାର ଅଟେ । ତେବେ ମିଳିଥିବା ରିପୋର୍ଟ ଅନୁସାରେ, ଚୀନର ଜନସଂଖ୍ୟା ଗତ ବର୍ଷ ଶୀର୍ଷ ଛୁଇଁଥିଲା । ହେଲେ ଏବେ କିନ୍ତୁ ଏଥିରେ ବହୁପରିମାଣରେ ହ୍ରାସ ଦେଖିବାକୁ ମିଳିଛି । ଅନ୍ୟପଟେ ସ୍ୱାଧୀନତା ପରେ ଭାରତର ଜନସଂଖ୍ୟା ହୁ ହୁ ହେଇ ବଢୁଥିଲେ ବି, ୧୯୮୦ ମସିହା ପରେ ଭାରତର ଜନଂସଖ୍ୟା ବୃଦ୍ଧି ଅପେକ୍ଷାକୃତ ଭାବେ କମ୍ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ୟୁନାଇଟେଡ୍ ନେସନ୍ ପପୁଲେସନ୍ ଫଣ୍ଡ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ଭାରତର ମୋଟ ଜନସଂଖ୍ୟାରୁ ୨୫ ପ୍ରତିଶତ ହେଉଛନ୍ତି ଶୂନରୁ-୧୪ ବର୍ଷ । ସେହିପରି ୧୮ ପ୍ରତିଶତ ଲୋକଙ୍କ ବୟସ ୧୦ ବର୍ଷରୁ ୧୯ ବର୍ଷ ହେଇଥିବାବେଳେ, ଭାରତରେ ୨୬ ପ୍ରତିଶତ ଲୋକଙ୍କ ବୟସ ହେଉଛି ୧୦ରୁ ୨୪ ବର୍ଷ । ଅନ୍ୟପଟେ ଭାରତରେ ରହୁଥିବା ଲୋକଙ୍କ ଭିତରୁ ୬୮ ପ୍ରତିଶତ ଲୋକଙ୍କ ବୟସ ହେଉଛି ୧୫ ବର୍ଷରୁ ୬୪ ବର୍ଷ । ସେହିପରି ଭାରତରେ ମାତ୍ର ୭ ପ୍ରତିଶତ ଲୋକଙ୍କ ବୟସ ୬୫ ବର୍ଷରୁ ଅଧିକ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।ଭାରତର ଜନସଂଖ୍ୟାକୁ ନେଇ ଆମେରିକା ସରକାରଙ୍କ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । ଯେଉଁଥିରେ କୁହାଯାଇଥିଲା ଭାରତର ଲୋକସଂଖ୍ୟା ୨୦୫୦ ସୁଦ୍ଧା ୧୬୬ କୋଟି ଛୁଇଁପାରେ । ୧୮୨୦ ବେଳକୁ ଏହି ସଂଖ୍ୟା ପାଖାପାଖି ୧୩ କୋଟି ଥିଲାବେଳେ, ୧୯ଶହ ଶତାବ୍ଦୀ ବେଳକୁ ଏହି ସଂଖ୍ୟା ୨୩ କୋଟି ପାର କରିଥଲା । ସେହିପରି ଭାରତର ଜନସଂଖ୍ୟା ୨୦୦୧ ବେଳକୁ ଶହେ କୋଟି ପାର୍ କରିଥିଲା । ଆଉ ବର୍ତ୍ତମାନ ଏହି ସଂଖ୍ୟା ୧୪୦ରୁ ୧୫୦ କୋଟି ଭିତରେ ରହିଛି ।

ଚୀନକୁ ଟପି ଭାରତ ବିଶ୍ୱର ନମ୍ବର ୱାନ ଜନବହୁଳ ଦେଶ ହେବା ପଛରେ କାରଣ ବି ରହିଛି । ରିପୋର୍ଟ ମୁତାବକ, ଭାରତରେ ଶିଶୁ ମୃତ୍ୟୁ ହାର ପୂର୍ବ ଅପେକ୍ଷା ଯଥେଷ୍ଟ କମ୍ ହୋଇଛି । ସେହିପରି ନବଜାତ ଶିଶୁଙ୍କ ମୃତ୍ୟୁ କମିଥିବାବେଳେ, ଲୋକଙ୍କ ଆୟୁ ସୀମା ବି ପୂର୍ବ ଅପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି । ଯାହାର କାରଣ ସ୍ୱରୂପ ଭାରତ ଏବେ ଚୀନକୁ ଟପ ବିଶ୍ୱର ଏକ ନମ୍ବର ଜନବହୁଳ ଦେଶ ହୋଇସାରିଛି ।