ଚିନ୍ମୟୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ପ୍ରୀତିମାନଙ୍କ ମାଆ ରଖିଲେ ବଡ଼ ବୟାନ। କହିଲେ, ପରୋପକାର ଯୋଗୁଁ ଫସିଗଲା ପୁଅ…

267

କନକ ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ନେଇ ତାଙ୍କ ମା ପୁଣି ଥରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଝିଅର ମୃତ୍ୟୁ ପରେ ପ୍ରଥମ ଦିନରୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଆସୁଥିବା ଚିନ୍ମୟୀଙ୍କ ମା ପୁଣି ଥରେ ସମାନ କଥା ଦୋହରାଇଛନ୍ତି । ଆଉ ଏତିକିବେଳେ ମୃତ ଚିନ୍ମୟୀଙ୍କ ବେକରେ ଥିବା ଦାଗ ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି ।

ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଭିତରେ ସାମନାକୁ ଆସିଛି ଚିନ୍ମୟୀଙ୍କ ଶେଷ ଚାଟ୍ । ଯାହାକୁ ଶେଷ ଥର ପାଇଁ ମାଙ୍କ ସହ ଚାଟ୍ କରି କଥା ହୋଇଥିଲେ ଚିନ୍ମୟୀ । ହେଲେ, ରାତିରେ ପୁଣି ଫୋନ କଲାବେଳକୁ ଝିଅ ତଣ୍ଟି ଚିପି ହେବା ଭଳି ଲାଗୁଥିଲା ବୋଲି କହିଛନ୍ତି ତାଙ୍କ ମା’ ।

ଚିନ୍ମୟୀଙ୍କ ମୃତ୍ୟୁପରେ ବନ୍ଧୁ ପ୍ରୀତିମାନ ଦେଙ୍କ ଭୁମିକାକୁ ନେଇ ସନ୍ଦେହ ବଢ଼ୁଥିବାବେଳେ, ସାମନକୁ ଆସି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ମା । କହିଛନ୍ତି, ଚିନ୍ମୟୀ ସିିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଥିଲେ । ଭୁବନେଶ୍ୱରରେ ରହି ପ୍ରସ୍ତୁତି କରିବା ପାଇଁ ତାଙ୍କ ପୁଅ ପ୍ରୀତିମାନ ଦେ’, ବିଜେବି ନଗରରେ ଏକ ଭଡ଼ାଘର ଖୋଜି ଦେଇଥିଲେ । ପୁଅର ଉଦାର ଓ ପରୋପକାରୀ ଗୁଣ ଯୋଗୁଁ ସେ ଫସିଯାଇଛି ।

ଚିନ୍ମୟୀଙ୍କର କେମିତି ହେଲା ମୃତ୍ୟୁ, ତାକୁ ନେଇ ସନ୍ଦେହ ଭିତରେ, ତଦନ୍ତକୁ ଜୋରଦାର କରିଛି ସମ୍ବଲପୁର ପୋଲିସ । ୩ଟି ଟିମ୍ ଗଠନ କରି ବଲାଙ୍ଗୀର, ସୋନପୁର ଓ ଭୁବନେଶ୍ୱର ଯାଇ ତଦନ୍ତ ଚଳାଇଛି । ଭୁବନେଶ୍ୱର ଆସିଥିବା ଟିମ୍ ବିଜେବି ନଗରରେ ଚିନ୍ମୟୀ ରହୁଥିବା ଭଡାଘରେ ଛାନଭିନ କରିଛି । ଅନ୍ୟପଟେ ପୁଣି ଥରେ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି ସାଇଣ୍ଟିଫିକ୍ ଟିମ୍ । ପାୱାର କେନାଲର ଜଳର ଗଭୀରତା ମାପିବା ସହ ଡ୍ୟାମର ଉଚ୍ଚତା ମାପିଛନ୍ତି । ମୃତଦେହ ଉଦ୍ଧାର ହୋଇଥିବା ସାଇଫନ୍ ଅଞ୍ଚଳକୁ ଯାଇ ତଦନ୍ତ କରିଛନ୍ତି ସାଇଣ୍ଟିଫିକ୍ ଟିମ୍ ।

ତେବେ ଚିନ୍ମୟୀଙ୍କ ମୃତ୍ୟୁ କେମିତି ହେଲା, ଆତ୍ମହତ୍ୟା ନା ହତ୍ୟା ତାକୁ ସନ୍ଦେହ ବଢ଼ିବାରେ ଲାଗିଛି । ଯିଏ କିଛି ସମୟ ତଳେ ମାଙ୍କ ସହ ସ୍ୱାଭାବିକ ଭାବେ ଚାଟ୍ କରି କଥା ହୋଇଥିଲେ ସେ କାହିଁକି ଏତେ ବଡ ନିଷ୍ପତି ନେଲେ ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି । ତେବେ ପ୍ରଶ୍ନ ଉଠୁଛି, ପ୍ରୀତିମାନଙ୍କ ସହ ଚିନ୍ମୟୀଙ୍କର ଝଗଡା ହୋଇଥିଲା କି? ଚିନ୍ମୟୀ ନିଜେ ଡେଇଁ ପଡିଥିଲେ ନା ତାଙ୍କୁ କିଏ ଠେଲି ଦେଇଥିଲା? କେହି ତାଙ୍କୁ ଶ୍ୱାସରୁଦ୍ଧ କରି ପାୱାର ଚ୍ୟାନେଲକୁ ଫିଙ୍ଗି ଦେଇଥିଲେ କି? ପାୱାର ଚାନେଲରେ ପଡିବା ପୂର୍ବରୁ ଚିନ୍ମୟୀଙ୍କର ମୃତ୍ୟୁ ହୋଇଥିଲା ନା ପରେ ମୃତ୍ୟୁ ହୋଇଛି?