ପ୍ରସୂତୀ ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମୃତ ଶିଶୁ ଜନ୍ମ ହେଲେ ମା’ଙ୍କୁ ମିଳିବ ….

1,077

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ମହିଳା କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଯଦି କୌଣସି ମହିଳା କର୍ମଚାରୀ ପ୍ରସବ ସମୟରେ ବା ପ୍ରସବର କିଛି ସମୟ ପରେ ସେମାନଙ୍କ ପିଲାଟିର ମୃତ୍ୟୁ ହୋଇଯାଏ ତେବେ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ଅଧିକ ୬୦ ଦିନ ଛୁଟି ମିଳିବ ।

କର୍ମଚାରୀ ଓ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିନ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ମୃତ ଶିଶୁ ଜନ୍ମ ହେବା ବା ଜନ୍ମ ହେବାର କିଛି ସମୟ ମଧ୍ୟରେ ମୃତ୍ୟୁବରଣ କଲେ ସଂପୃକ୍ତ ମହିଳାଙ୍କ ଭାବନାତ୍ମକ ଆଘାତକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । କୁହାଯାଇଛି କି, ଏଭଳି ଘଟଣାରେ ସଂପୃକ୍ତ ମାଙ୍କର ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡିଥାଏ । ଡିଓପିଟି ପକ୍ଷରୁ କୁହାଯାଇଛି କି, ଏଭଳି ଅନେକ ମାମଲାକୁ ନେଇ ତାଙ୍କ ପାଖରେ ଆବେଦନ ପହଂଚିଥିଲା । ଏହାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନେକ ବିଚାର ବିମର୍ଷ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କର୍ମଚାରୀ ଓ ତାଲିମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଡିଓପିଟି ତରଫରୁ ତାଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି କି, ଯଦି କେନ୍ଦ୍ର ସରକାରଙ୍କ ଜଣେ ମହିଳା କର୍ମଚାରୀ ମାତୃତ୍ୱ ଛୁଟି ନେଇସାରିଛନ୍ତି ଏବଂ ଶିଶୁର ମୃତ ଜନ୍ମ କିମ୍ବା ମୃତ୍ୟୁ ପର୍ୟ୍ୟନ୍ତ ତାଙ୍କ ଛୁଟି ଜାରି ରହେ, ତେବେ ଏହି ଘଟଣା ତାରିଖ ପର୍ୟ୍ୟନ୍ତ କର୍ମଚାରୀଙ୍କ ଦ୍ୱାରା ନିଆଯାଇଥିବା ଛୁଟିତାଙ୍କ ସହିତ ଉପଲବ୍ଧ ଅନ୍ୟ କୌଣସି ଛୁଟିରେ ପରିଣତ ହୋଇପାରେ, ଯାହା କୌଣସି ଡାକ୍ତରୀ ପ୍ରମାଣପତ୍ର ଆବଶ୍ୟକ କରିବ ନାହିଁ  ।