ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନମ୍ବର ୱାନ ହେଲା ଟିମ ଇଣ୍ଡିଆ : ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆକୁ ପଛରେ ପକାଇଲା ଭାରତ

143

କନକ ବ୍ୟୁରୋ : ଆଇସିସି ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆର ବଡ଼ ସଫଳତା । ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ ଠାରୁ ଏକ ନମ୍ବର ଆସନ ଛଡ଼ାଇ ଆଣିଛି ରୋହିତ ଶର୍ମାଙ୍କ ଟିମ୍ । ଅର୍ଥାତ ରାଙ୍କିଙ୍ଗରେ ଭାରତ ଏବେ ଏକ ଟେଷ୍ଟ ଟିମ୍ ହୋଇଛି ।

ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । କଙ୍ଗାରୁ ଟିମ୍ ଗତ ୧୫ମାସ ଧରି ଏକ ନମ୍ବର ଟେଷ୍ଟ ଟିମ୍ ରହି ଆସିଥିଲା । ଭାରତ ଏହା ପୂର୍ବରୁ ଡିସେମ୍ବର, ୨୦୨୧ରେ ଶୀର୍ଷରେ ପହଞ୍ଚିଥିଲା । ତେବେ ମାସକ ପରେ ଟିମ୍ ଇଣ୍ଡିଆ ଠାରୁ ଏକ ନମ୍ବର ସ୍ଥାନ ଛଡ଼ାଇ ନେଇଥିଲା ଅଷ୍ଟ୍ରେଲିଆ । ଭାରତର ବର୍ତ୍ତମାନ ୧୨୧ ରେଟିଂ ପଏଣ୍ଟ ଥିବା ବେଳେ ଅଷ୍ଟ୍ରେଲିଆର ୧୧୬ ପଏଣ୍ଟ ରହିଛି । ଉଭୟ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପହଞ୍ଚିଛନ୍ତି ।

ଆଗାମୀ ଜୁନ୍ ୭ ତାରିଖରେ ଇଂଲଣ୍ଡର ଓଭାଲ ଠାରେ ଟାଇଟଲ୍ ମୁକାବିଲା ଖେଳାଯିବ । ଏଅବସରରେ ବାଲୁକା କଳା ମାଧ୍ୟମରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେହିପରି ଭାରତ ଟି-୨୦ ରାଙ୍କିଙ୍ଗରେ ମଧ୍ୟ ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଟି-୨୦ରେ ଭାରତ ୨୬୭ ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛି । ଇଂଲଣ୍ଡ ଦ୍ୱିତୀୟ, ନ୍ୟୁଜିଲାଣ୍ଡ ତୃତୀୟ ଓ ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଛି ।