ପିଲାଦିନୁ ହ୍ୱିଲ ଚେୟାରରେ କିନ୍ତୁ ହାର ମାନିଲେନି ଲତିଶା । ଅକ୍ସିଜେନ୍ ସିଲିଣ୍ଡର ଲଗାଇ ଦେଲେ ଆଇଏଏସ ପରୀକ୍ଷା ।

କେରଳର କୋଟାୟମ ଜିଲ୍ଲାର ଲତିଶା ଜନ୍ମରୁ ‘ଟାଇପ୍-୨ ଅଷ୍ଟିଜେନେସିସ୍ ଇମ୍ପରଫେକ୍ଟା’ ରୋଗରେ ପୀଡ଼ିତ ହୋଇଛନ୍ତି । ହେଲେ ଗତ ଏକ ବର୍ଷ ହେବ ଏହି ରୋଗ ଦ୍ୱାରା ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି ବୋଲି ପରିବାର କହିଛନ୍ତି ।

483

କନକ ବ୍ୟୁରୋ: କଥାରେ ଅଛି ଯଦି ଇଚ୍ଛାଶକ୍ତି ଦୃଢ଼ ଥିବ , ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସେ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିବ । ଏଭଳି କିଛି ଉକ୍ତିକୁ ବାସ୍ତବରେ ପରିଣତ କରିଛନ୍ତି କେରଳର ୨୪ ବର୍ଷୀୟା ଛାତ୍ରୀ ଲତିଶା ଅଂସାରୀ । ଜଟିଳ ହାଡ଼ ଜନିତ ସମସ୍ୟା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲେ ମଧ୍ୟ ଏକ ହ୍ୱିଲ୍ ଚେୟାରରେ ଅକ୍ସିଜେନ୍ ସିଲିଣ୍ଡର ଲଗାଇ ୟୁପିଏସସି ପରୀକ୍ଷା ଦେଇଛନ୍ତି ଲତିଶା । ଯାହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଜାତୀୟ ଗଣମାଧ୍ୟରେ ଲତିଶା ଏବେ ଖବର ଶିରୋନାମା ପାଲଟିଛନ୍ତି ।

ସୂଚନା ମୁତାବକ, କେରଳର କୋଟାୟମ ଜିଲ୍ଲାର ଲତିଶା ଜନ୍ମରୁ ‘ଟାଇପ୍-୨ ଅଷ୍ଟିଜେନେସିସ୍ ଇମ୍ପରଫେକ୍ଟା’ ରୋଗରେ ପୀଡ଼ିତ ହୋଇଛନ୍ତି । ହେଲେ ଗତ ଏକ ବର୍ଷ ହେବ ଏହି ରୋଗ ଦ୍ୱାରା ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି ବୋଲି ପରିବାର କହିଛନ୍ତି । ତେଣୁ ତାଙ୍କୁ ଆଉ ଏକ ଅତିରିକ୍ତ ଅକ୍ସିଜେନ୍ ସିଲିଣ୍ଡର ଜରିଆରେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଡ଼ାକ୍ତର ପରାମର୍ଶ ଦେଇଛନ୍ତି । କେବଳ ଏତିକି ନୁହେଁ ବୋଝ ଉପରେ ନଳିତା ବିଡ଼ା ଭଳି ଏହି ରୋଗରେ ତାଙ୍କ ଶାରୀକ ବୃଦ୍ଧି ମଧ୍ୟ ଅଟକି ଯାଇଥିଲା । ତେଣୁ ଲତିଶାଙ୍କ ସ୍କୁଲ ବ୍ୟାଗ ତାଙ୍କ ବାପା ନେବା ଆଣିବା କରୁଥିଲେ ।

ସେପଟେ ଅକ୍ସିଜେନ ସିଲିଣ୍ଡର ଲଗାଇ ଏକ ହ୍ୱିଲ ଚେୟାରେ ପରୀକ୍ଷା ଦେବାପରେ ଲତିକା କହିଛନ୍ତି କି, ଦୀର୍ଘ କିଛି ବର୍ଷ ହେବ ସେ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଉଥିଲେ । ଆଉ ଏଭଳି ସୁଯୋଗକୁ ସେ ହାତଛଡ଼ା କରିବାକୁ ଚାହୁଁନଥିଲେ । ତେଣୁ ଯେତେ କଷ୍ଟ ହେଲେ ମଧ୍ୟ ସେ ପରୀକ୍ଷା ଦେବାକୁ ନିଷ୍ପତି ନେଇଥିଲେ । ଏବଂ ତାଙ୍କ ଦୃଢ଼ ବିଶ୍ୱାସ ସେ ଏଥିରେ କୃତକାର୍ଯ୍ୟ ହେବେ ବୋଲି କହିଛନ୍ତି ଲତିକା । ଏହାସହ ଲତିକାଙ୍କ ପାଇଁ ସହାଦ୍ୟପୂର୍ଣ୍ଣ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଇଥିବାରୁ ତାଙ୍କ ପରିବାର କୋଟାୟମ ଜିଲ୍ଲାର ଜିଲ୍ଲାପାଳ ସୁଧିର ବାବୁଙ୍କୁ କୃତଜ୍ଞତା ଜଣାଛନ୍ତି । ଏବେ ଲତିକାଙ୍କ ଏଭଳି ଦୃଢ଼ ଇଚ୍ଛାଶକ୍ତି ଅନେକ ପରୀକ୍ଷାର୍ଥୀଙ୍କ ପାଇଁ ଉଦାହରଣ ପାଲଟିବ ନିଶ୍ଚିତ ।