ଭାଙ୍ଗିପାରେ ଏସପି-ବିଏସପି ମହାମେଣ୍ଟ! ମାୟାବତୀ କହିଲେ, ନିଜ ପତ୍ନୀଙ୍କୁ ଜିତାଇ ପାରିଲେନି ଅଖିଳେଶ, ଉପନିର୍ବାର୍ଚନରେ ଏକାକୀ ଲଢିପାରେ ବିଏସପି?

288

ସାଇକେଲ ପଛରୁ ଓହ୍ଲାଇପାରେ ହାତୀ । ଉତ୍ତର ପ୍ରଦେଶ ରାଜନୀତିରେ ଏବେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଉତ୍ତରପ୍ରଦେଶରେ ଭାଙ୍ଗିପାରେ ଏସପି-ବିଏସପି ମହାଗଠବନ୍ଧନ । ଲୋକସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ଅଖିଳେଶ ଓ ମାୟାବତୀଙ୍କ ମଧ୍ୟରେ ହୋଇଥିବା ମହାମେଣ୍ଟ ଉପରେ ଏବେ ଆଶଙ୍କାର କଳାବାଦଲ ଘେରି ରହିଛି । ଏସବୁ ଭିତରେ ମାୟାବତୀଙ୍କ ବୟାନ, ମେଣ୍ଟ ଭାଙ୍ଗିବା ନେଇ ସଂକେତ ଦେଉଛି । ମାୟାବତୀ କହିଛନ୍ତି, ଲୋକସଭା ନିର୍ବାଚନରେ ମହାମେଣ୍ଟକୁ ଆଶା ଅନୁଯାୟୀ ଫଳ ମିଳିଲା ନାହିଁ । ଏପରିକି ଯାଦବ ଭୋଟ ମହାମେଣ୍ଟ ବିରୋଧରେ ପଡିଥିଲା । ତେଣୁ ଏବେ ଏହି ଫଳାଫଳ ଓ ମହାମେଣ୍ଟର ସମୀକ୍ଷା କରାଯିବ ବୋଲି କହିଛନ୍ତି ମାୟାବତୀ । ଏପରିକି ଏସପି ପ୍ରମୁଖ ଅଖିଳେଶ ଯାଦବ ତାଙ୍କ ପତ୍ନୀ ଓ ଭାଈଙ୍କୁ ମଧ୍ୟ ଜିତାଇପାରିଲେନି । ଆଉ ବିଏସପି ସୁପ୍ରିମୋଙ୍କ ଏହି ବୟାନ ଏବେ ଉତ୍ତର ପ୍ରଦେଶ ରାଜନୀତିକୁ ଉଷ୍ମ କରିଛି ।

ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବା ପରେ ବିଏସପି ପକ୍ଷରୁ ସମୀକ୍ଷା କରାଯାଉଛି । ଏପରିକି ଉତ୍ତର ପ୍ରଦେଶର ୧୧ଟି ବିଧାନସଭା ସିଟରେ ହେବାକୁ ଥିବା ଉପନିର୍ବାଚନରେ ବିଏସପି ଏକାକୀ ମୈଦାନକୁ ଓହ୍ଲାଇପାରେ ବୋଲି ଖବର ସାମ୍ନାକୁ ଆସିଛି । ଆଉ ଏହା ସଂକେତ ଦେଉଛି ଯେ, ୨୦୨୨ ପୂର୍ବରୁ ଏସପି-ବିଏସପି ମଧ୍ୟରେ ଥିବା ମହାମେଣ୍ଟଭାଙ୍ଗି ଯାଇପାରେ । କାରଣ ଚଳିତ ଲୋକସଭା ନିର୍ବାଚନରେ ଏସପି-ବିଏସପି ମହାମେଣ୍ଟ ୫୦ରୁ ଅଧିକ ଆସନ ହାତେଇବ ବୋଲି ଆଶା ରଖିଥିଲା । ଏପରିକି ଅଖିଳେଶ ମଧ୍ୟ ସେହି ସମୟରେ ବଡ ବୟାନ ଦେଇଥିଲେ । ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସେ ପରିଶ୍ରମ କରୁଛନ୍ତି ଓ ମାୟାବତୀ ମଧ୍ୟ ମୋତେ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ଥିବା କହିଥିଲେ ଅଖିଳେଶ । କିନ୍ତୁ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମାୟାବତୀଙ୍କ ଏହି ସ୍ୱପ୍ନ ଭାଙ୍ଗି ଯାଇଛି କିନ୍ତୁ ମାୟାବତୀଙ୍କ ସମର୍ଥନ ପାଇ ଅଖିଳେଶ ଦେଖିଥିବା ସ୍ୱପ୍ନ ପୂରଣ ହେବ ନା ଅଧାରେ ଅଟକିଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏପରିକି ୨୦୨୨ ନିର୍ବାଚନରେ ପୁଣିଥରେ ସପା-ବସପାକୁ ପ୍ରତିଦ୍ୱନ୍ଦୀ ଭାବେ ଦେଖିବାକୁ ମିଳିବ ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି ।