ଛୋଟ କିନ୍ତୁ ଘାତକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଚୀନ ସହ ଉତ୍ତେଜନା ଭିତରେ ଚର୍ଚ୍ଚା ସୃଷ୍ଟି କଲା ଏୟାର ଚିଫ୍ ମାର୍ଶଲଙ୍କ କଥା…

311

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଭାରତୀୟ ବାୟୁସେନା ଛୋଟ ଏବଂ ଘାତକ ଯୁଦ୍ଧର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ପଡିବ । କମ ସମୟର ଯୁଦ୍ଧ ଏବଂ ପୂର୍ବ ଲଦାଖରେ ଲମ୍ବା ସମୟ ଧରି ଯୁଦ୍ଧ ହେଲେ, ଭାରତୀୟ ବାୟୁସେନା ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକତା ଅଛି । ଗୁରୁବାର ଏକ ସେମିନାରରେ ଯୋଗ ଦେବା ସହ ଏପରି କହିଛନ୍ତି ଭାରତର ଏୟାର ଚିଫ୍ ମାର୍ଶଲ ବିଆର ଚୌଧୁରୀ ।

ଉତ୍ତର ସୀମା ପଟେ ଲାଗି ରହିଥିବା ବିବାଦକୁ ଦେଖି ଏୟାର ଚିଫ୍ ମାର୍ଶଲ କହିଛନ୍ତି ଯେ, ଭାରତୀୟ ବାୟୁସେନାକୁ ସବୁ ସମ୍ଭାବିତ ସୁରକ୍ଷା ଦିଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ପଡିବ । ଏହାର ଆବଶ୍ୟକତା ମଧ୍ୟ ଅଛି । ବଳ, ସ୍ଥାନ ଓ ସମୟର ନିରନ୍ତରତାରେ ଛୋଟ ଯୁଦ୍ଧ ଓ ଲମ୍ବା ସମୟ ଧରି ଯୁଦ୍ଧ ଲାଗି ରହିଲେ, ଆମକୁ ସେହି ଅନୁସାରେ ଏବେଠୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏଥିପାଇଁ ସଂଶାଧନକୁ ଯୋଡିବାକୁ, ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବାର ଆବଶ୍ୟକତା ଅଛି । ଦେଶକୁ ଆତ୍ମନିର୍ଭର କରିବାର କଳ୍ପନା ନିଶ୍ଚୟ ମହତ୍ତ୍ୱପୂର୍ଣ୍ଣ ଅଟେ । ସ୍ୱଦେଶୀକରଣ ପାଇଁ କାମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ବର୍ଷରୁ ଅଧିକ ବର୍ଷ ଧରି ପୂର୍ବ ଲଦାଖର କିଛି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଚୀନ ଓ ଭାରତୀୟ ସେନା ଭିତରେ ଲଗାତାର ସେଠାରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ କେବେ କଣ ହେବ ତାକୁ ନେଇ ତର୍କ ବିତର୍କ ଲାଗି ରହିଥିବାବେଳେ ଏୟାର ଚିଫ୍ ମାର୍ଶଲଙ୍କ ଏହି ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି ।