ପୁତ୍ରସନ୍ତାନ ଲୋଭରେ ସ୍ତ୍ରୀର ଜୀବନ ନେଲା ସ୍ୱାମୀ: ଗର୍ଭରେ କନ୍ୟା ସନ୍ତାନ ଥିବା ଜାଣି ଡାକ୍ତରଙ୍କ ବିନା ପରାର୍ମଶରେ ଦେଲେ ଔଷଧ

188

କନକ ବ୍ୟୁରୋ: ପୁତ୍ର ସନ୍ତାନ ଲୋଭରେ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ଗର୍ଭରେ କନ୍ୟା ସନ୍ତାନ ଥିବା ଜାଣି ଡାକ୍ତରଙ୍କ ବିନା ପରାମର୍ଶରେ ପତ୍ନୀଙ୍କୁ ଦେଲେ ଭୁଲ୍ ମେଡିସିନ୍ । ଆଉ ଚାଲିଗଲା ଦୁଇ ଜୀବନ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରୁ ଆସିଛି ଏପରି ହୃଦୟ ବିଦାରକ ଘଟଣା । ଜଙ୍କିଆ ବାଲିଗାଡ଼ିଆ ଅଂଚଳର ତପନ ବଳବନ୍ତରାୟ ଓ ତାଙ୍କ ପତ୍ନୀ ପୁଷ୍ପଲତାଙ୍କର ତିନୋଟି କନ୍ୟାସନ୍ତାନ ଅଛନ୍ତି । ପୁଅ ନଥିବାରୁ ପୁଷ୍ପଲତାଙ୍କୁ ସହିବାକୁ ପଡ଼ୁଥିଲା ମାନସିକ ନିର୍ଯାତନା । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା । ଫଳରେ ମାମଲା ଥାନାକୁ ଯାଇଥିଲା ଏବଂ ଭଦ୍୍ରଲୋକଙ୍କ ଉପସ୍ଥିତିରେ ବିବାଦର ସମାଧାନ ହୋଇଥିଲା ।

କିଛି ଦିନ ପରେ ସ୍ୱାମୀଙ୍କ ବାଧ୍ୟବାଧକତରେ ପୁଷ୍ପଲତା ପୁତ୍ର ସନ୍ତାନ ଆଶାରେ ଚତୁର୍ଥଥର ଗର୍ଭଧାରଣ କଲେ । କିନ୍ତୁ ସ୍ୱାମୀ ଡାକ୍ତରଙ୍କ ପାଖକୁ ନଯାଇ ଗୁଣିଆ ଠାରୁ ଜାଣିବାକୁ ପାଇଲେ ଯେ ପୁଷ୍ପଲତାଙ୍କ ଗର୍ଭରେ କନ୍ୟା ସନ୍ତାନ ଅଛି । ଆଉ ନିଟକସ୍ଥ ମେଡିସିନ ଦୋକାନରୁ ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ୍ ଆଣି ନିଜ ପତ୍ନୀଙ୍କର ଗର୍ଭପାତ କରାଇଥିଲେ । ପରିସ୍ଥିତି ଏପରି ହେଲା ଯେ ଅତ୍ୟଧିକ ରକ୍ତସ୍ରାବ ଓ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନହୋଇପାରିବାରୁ ପୁଷ୍ପଲତାଙ୍କ ଜୀବନ ଚାଲିଗଲା । କେବଳ ପୁଷ୍ପଲତା ନୁହେଁ, ତାଙ୍କ ଗର୍ଭରେ ଥିବା ଶିଶୁର ମଧ୍ୟ ଜୀବନ ଚାଲିଯାଇଛି । ପରିବାର ଲୋକଙ୍କ ଅଭିଯୋଗ ପରେ ଜଙ୍କିଆ ଥାନା ପୋଲିସ୍ ପୁଷ୍ପଲତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ।