ସାଂସଦ ହତ୍ୟା ମାମଲାରେ ଆଜୀବନ ଜେଲ କାଟୁଛନ୍ତି ଏହି ମାଓବାଦୀ, ଏବେ ହାସଲ କଲେ ତୃତୀୟ ମାଷ୍ଟର ଡିଗ୍ରୀ

251

କନକ ବ୍ୟୁରୋ : ଦିନେ ଦେଶର ତଳସ୍ତରରେ ରହୁଥିବା ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ । ବାଶ୍ ସେତେବେଳୁ ସେ ବୁଝିଥିଲେ କି ଶିକ୍ଷା ହିଁ ମଣିଷ ପାଇଁ ମୁକ୍ତିର ପଥ । ଶିକ୍ଷା ମଣିଷକୁ ଅନ୍ଧକାରରୁ ଆଲୋକକୁ ଆଣିପାରେ । ଏସବୁ ଭାବନା ଥିଲା ହାଇଦ୍ରାବାଦ ମାଓବାଦ ସଂଗଠନର କ୍ୟାଡର ପିବିବି ଗଣେଷଙ୍କର । ହେଲେ ସମାଜବାଦ ସଂଘର୍ଷ ଭିତରେ ସେ ହିଂସାରେ ବାଟ ଆପଣାଇ ନେଇଥିଲେ । ଜଙ୍ଗଲ ଭିତରେ ବୁଲି ବୁଲି ଦେଶକୁ ପ୍ରକୃତ ସ୍ୱାଧୀନତା ଦେବାର ସ୍ୱପ୍ନକୁ ସାକାର କରିବାକୁ କେବେ ଅଫିସର ତ କେବେ ନେତାଙ୍କୁ ହତ୍ୟା କରିବାକୁ ପଛାଉ ନଥିଲେ । ଏହାପରେ ଜଣେ ସାଂସଦଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିଲେ ପିବିବି ଗଣେଷ ।

ଏହାପରେ ବଦଳି ଯାଇଥିଲା ତାଙ୍କ ଜୀବନର ମୋଡ । ସାମ୍ବିଧାନିକ ଆଇନ ବ୍ୟବସ୍ଥା ଓ କୋର୍ଟ କଚେରୀର ଜାଲ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । ହେଲେ ଏବେ ସେ ଯେଉଁ ଉପଲବ୍ଧି ହାସଲ କରିଛନ୍ତି ତାହା ଅନ୍ୟ ମାଓବାଦୀଙ୍କ ପାଇଁ ପ୍ରେରଣା ସାଜିଛି ।

୫୪ ବର୍ଷିୟ ପିବିବି ଗଣେଷଙ୍କୁ ଶନିବାର ଦିନ ହାଇଦ୍ରାବାଦ ସ୍ଥିତ ଡ. ବିଆର ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟର ୨୪ ତମ ଦୀକ୍ଷାନ୍ତ ସମାରୋହରେ ତୃତୀୟ ମାଷ୍ଟର ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହି ସାର୍ଟିଫିକେଟ ହାସଲ କରିବା ପରେ ତାଙ୍କ ଅତୀତର ପୃଷ୍ଟା ଧିରେ ଧିରେ ଖୋଲିବାରେ ଲାଗିଛି ।

ଏମିତି ଏକ ସମୟ ଥିଲା ଯେତେବେଳେ ଗଣେଷଙ୍କ ହାତରେ କଲମ ବଦଳରେ ସମାଜକୁ ବଦଳାଇବାକୁ ବନ୍ଧୁକ ଧରିଥିଷଲ । ସେ ଗରିଲା ଯୁଦ୍ଧରେ ସାମିଲ ଥାଇ ଓଙ୍ଗୋଲରୁ ଜଣେ ସାଂସଦଙ୍କ ହତ୍ୟା ଅଭିଯୋଗରେ ଧରାପଡିଥିଲେ । ଏହାପରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । ଜେଲକୁ ଆସିବା ପରେ ତାଙ୍କ ଜୀବନର ଏକ ବଡ ପରିବର୍ତ୍ତନ ହୋଇଥିଲା । ପୁଣି ବନ୍ଧୁକ ଧରା ହାତରେ ଧରିଥିଲେ କଲମ ଓ ଗୋଟିଏ ପରେ ଗୋଟିଏ କରି ୩ ଟି ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।