ପୁଲୱାମା ଆତଙ୍କୀ ଆକ୍ରମଣକୁ ନେଇ ସାରା ଦେଶରେ ଜଳୁଛି ପ୍ରତିଶୋଧର ନିଆଁ ! ଜାଣନ୍ତୁ ପାକିସ୍ତାନକୁ କେମିତି କଡା ଜବାବ ଦେବ ଭାରତ ।

361

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଚାରିଆଡେ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ, ପାକିସ୍ତାନକୁ କେମିତି କଡା ଜବାବ ଦିଆଯିବ, ସେନେଇ ଚିନ୍ତା କରୁଛି ଭାରତ । ବିଶେଷଜ୍ଞଙ୍କ ମତରେ, ପ୍ରଥମେ କୂଟନୀତି ପ୍ରୟୋଗ କରି ପାକିସ୍ତାନକୁ ଏକଘରିକିଆ କରାଯିବା ଦରକାର । ଅର୍ଥନୈତିକ ସ୍ତରରେ ବି ପ୍ରତିବନ୍ଧକ ଜରୁରୀ ।

କେବେ ପ୍ରତିଶୋଧ ନେବ ଭାରତ ? କେବେ ହେବ ପାକିସ୍ତାନ ଉପରେ ପ୍ରହାର ? ପୁଲୱାମା ଘଟଣା ପରେ ଏବେ ସାରା ଦେଶରେ ପ୍ରକାଶ ପାଇଛି ପାକ୍ ବିରୋଧୀ ପ୍ରତିକ୍ରିୟା । ଭାରତୀୟ ଜବାନଙ୍କ ରକ୍ତରେ ହୋଲି ଖେଳିଥିବା ପଡୋଶୀ ରାଷ୍ଟ୍ରକୁ କେମିତି ଜବାବ ଦେବ ଭାରତ ତାକୁ ନେଇ ଅପେକ୍ଷା କରିଛନ୍ତି ଦେଶବାସୀ । ଜାତୀୟ ସୁରକ୍ଷା ପରିଷଦର ବୈଠକ ପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ନେଇ ଦେଶବାସୀଙ୍କର ଅନେକ ଉତ୍କଣ୍ଠା । ତେବେ ଭାରତ କେମିତି ପାକିସ୍ତାନକୁ ପାନେ ଦେବାକୁ ସମର୍ଥ ହେବ ?

ବିଶେଷଜ୍ଞଙ୍କ ମତରେ ପାକିସ୍ତାନକୁ ବର୍ତମାନ ଚାରିଆଡୁ ଘେରିବାର ସମୟ ଆସିଯାଇଛି । କେବଳ ଯୁଦ୍ଧ ନୁହେଁ, ପାକିସ୍ତାନକୁ ଅର୍ଥନୈତିକ, କୂଟନୈତିକ ସ୍ତରରେ ମଧ୍ୟ ଆକ୍ରମଣ କରାଯିବା ଦରକାର । କିନ୍ତୁ ସବୁଠାରୁ ବଡ କଥା ହେଉଛି, ଦେଶରେ ଥିବା ପାକିସ୍ତାନ ସମର୍ଥକଙ୍କ ଉପରେ ମଧ୍ୟ ଏକସଙ୍ଗରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଯଦିଓ ସାମରିକ କ୍ଷମତା ଅନୁସାରେ ଭାରତ, ପାକିସ୍ତାନଠାରୁ ଢେର ଆଗରେ କିନ୍ତୁ ଯୁଦ୍ଧ ଦ୍ୱାରା ଭାରତର ମଧ୍ୟ ଅନେକ କ୍ଷତି ସାଧନ ହେବାର ସମ୍ଭାବନା ରହିଛି ।

ପାକିସ୍ତାନ ପଛରେ ଚୀନର ହାତ ରହିବା, ଭାରତକୁ ତାର ଲକ୍ଷ୍ୟ ପୂରଣ କରିବାରେ ବାଧକ ସୃଷ୍ଟି କରିପାରେ । ତେଣୁ ଭାରତ ଏମିତି କୌଶଳ ଆପଣେଇବା ଦରକାର, ଯାହା ପାକିସ୍ତାନକୁ ତାର ଏମିତି କାର୍ଯ୍ୟକଳାପ ରୋକିବାକୁ ବାଧ୍ୟ କରିବ । ପ୍ରଥମେ କୂଟନୀତି ପ୍ରୟୋଗ କରି ତାକୁ ଏକଘରିକିଆ କରାଯିବା ଦରକାର । ବିଶ୍ୱ ସମୁଦାୟ ଆଗରେ ପାକିସ୍ତାନର କଳା କାରନାମାର ତାଲିକା ଦୃଢ ଭାବେ ଉପସ୍ଥାପିତ ହେବା ଆବଶ୍ୟକ ।