ଆଜି ଆସିବ ୫ ରାଜ୍ୟର ବିଧାନସଭା ଫଳ : ସକାଳ ୮ଟାରୁ ଭୋଟ ଗଣତି; ଉତ୍ତରପ୍ରଦେଶରେ କାହାକୁ ମିଳିବ ରାଜସିଂହାସନ, ବନବାସରେ ଯିବ କିଏ ?

42

କନକ ବ୍ୟୁରୋ : ଆଜି ଆସିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ଉତ୍ତରପ୍ରଦେଶ, ପଞ୍ଜାବ, ଉତରାଖଣ୍ଡ, ଗୋଆ, ମଣିପୁରରେ କାହାକୁ ମିଳିବ ଜନାଦେଶ, କେଉଡଁ ଦଳ ଗଠନ କରିବ ସରକାର , ସନ୍ଧ୍ୟା ସୁଦ୍ଧା ଜଣାପଡିବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ସବୁଥର ଭଳି ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଓ ପରେ ଇଭିଏମ ଖୋଲାଯିବ । ଉତ୍ତରପ୍ରଦେଶର ୪୦୩ ଆସନ, ପଂଜାବର ୧୧୭ ଆସନ, ଉତ୍ତରାଖଣ୍ଡ ୭୦, ମଣିପୁରର ୬୦ ଓ ଗୋଆର ୪୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ରହିଛି । ଏବେ ସମସ୍ତଙ୍କ ନଜର ଇଭିଏମରୁ ଜନତାଙ୍କ ନିଷ୍ପତି କଣ ଆସୁଛି ।

ସେପଟେ ବୁଥ ବାହୁଡା ମତ ଆଧାରରେ କରାଯାଇଥିବା ପୋଲସ ରିପୋର୍ଟରେ ୟୁପିରେ ଯୋଗୀ ସରକାର ପୁଣି କ୍ଷମତାକୁ ଫେରୁଥିବା ଜଣାପଡିଛି । ସେହିପରି ପଂଜାବରେ ଆମ ଆଦମୀ ପାର୍ଟି ବହୁମତ ପାଇ ସରକାର ଗଢୁଥିବା ଏକଜିଟ ପୋଲ ରିପୋର୍ଟ ଆସିଛି । ଯଦି ଏହା ସତ ହୁଏ ତେବେ ପ୍ରଥମ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ଦିଲ୍ଲୀର ସୀମା ଡେଇଁ ପଂଜାବରେ ସରକାର ଗଢିବାକୁ ଯାଉଛି । ସେପଟେ ଉତ୍ତରାଖଣ୍ଡ ଓ ଗୋଆରେ ଝୁଲା ସରକାର ଆକଳନ ଏକଜିଟ୍ ପୋଲ୍ ରିପୋର୍ଟ ଆସିଥିବାରୁ, ଏହି ଦୁଇ ରାଜ୍ୟରେ ରାଜନୈତିକ ଗତିବିଧି ବଢିଯାଇଛି । ମଣିପୁରରେ ବିଜେପି ଏକକ ବୃହତ ଦଳ ଭାବେ ଉଭା ହୋଇ ସରକାର ଗଢିବ ବୋଲି ବୁଥ ବାହୁଡା ମତରୁ ଆକଳନ କରାଯାଇଛି ।