ଚିରା ଫଟା ନୋଟକୁ କଣ କରିଥାଏ ବ୍ୟାଙ୍କ ? ନୋଟ ଦୁଇଖଣ୍ଡ ହୋଇଯାଇଥିଲେ ବ୍ୟାଙ୍କରେ ପରିବର୍ତ୍ତନ କରିପାରିବେ କି ନାହିଁ? ଜାଣନ୍ତୁ…

355

କନକ ବ୍ୟୁରୋ : ସାଧାରଣତଃ ନୋଟ୍ ଫାଟିଗଲେ କିମ୍ବା ଚିରିଗଲେ ଆମେ ତାକୁ ନେଇ ବ୍ୟାଙ୍କରେ ପରିବର୍ତ୍ତନ କରାନେଇଥାଉ । କାହିଁକିନା ନୋଟ୍ ଟିକେ ବି ଚିରିଯାଇଥିଲେ ତାକୁ କୌଣସି ଲୋକ ଗ୍ରହଣ କରିନଥାନ୍ତି । କି ସେହି ନୋଟକୁ ସାଇତି ରଖାଯାଇ ପାରିନଥାଏ । ଏଭଳି ପରିସ୍ଥିତିରେ ଲୋକେ ଚିରା ନୋଟକୁ ବ୍ୟାଙ୍କରେ ନେଇ ପରିବର୍ତ୍ତନ କରାଇ ଆଣିଥାନ୍ତି । କିନ୍ତୁ କେବେ ଭାବିଛନ୍ତି, ଆପଣ ବ୍ୟାଙ୍କକୁ ଦେଇଥିବା ଚିରା ନୋଟର କଣ ହୋଇଥାଏ । ଆସନ୍ତୁ ଜାଣିବା…
ନୋଟ ଯେଉଁଭଳି ଭାବେ ଚିରିଥାଉନା କାହିଁକି ତାକୁ ବ୍ୟାଙ୍କରେ ପରିବର୍ତ୍ତନ କରାଯାଇପାରିବ । ଏପରିକି ନୋଟ୍ ଦୁଇଖଣ୍ଡ ହୋଇଯାଇଥିଲେ ବି ନୋଟକୁ ବ୍ୟାଙ୍କରେ ପରିବର୍ତ୍ତନ କରାଯାଇପାରିବ । କିନ୍ତୁ ଧ୍ୟାନ ଦେବାର କଥା ଏହାଯେ, ନୋଟର ଅବସ୍ଥା ଯେତେ ଖରାପ ହେବ ଟଙ୍କାର ମୂଲ୍ୟ ସେତିକି କମିଯିବ । ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର ନିୟମ ୨୦୦୯ ଅନୁସାରେ ଏବାବଦରେ ସମସ୍ତ ତଥ୍ୟ ଦିଆଯାଇଛି ।

ଯଦି ଆପଣ ବ୍ୟାଙ୍କୁ ନେଇଥିବା ଚିରା ଟଙ୍କାର ୫୦ପ୍ରତିଶତ ଅଶଂ ଆପଣଙ୍କ ପାଖରେ ଅଛି ତେବେ ଯାଇଁ ଆପଣଙ୍କୁ ବ୍ୟାଙ୍କ୍ ଚିରା ନୋଟ ବଦଳରେ ଟଙ୍କା ଦେବ । ନଚେତ କିଛି ବି ପଇସା ଆପଣଙ୍କୁ ମିଳିବ ନାହିଁ । ଏହା ସହିତ ଯଦି ଆପଣ ୨୦ରୁ ଅଧିକ ନୋଟ୍ କିମ୍ବା ୫ହଜାରରୁ ଅଧିକ ଟଙ୍କାର ଚିରା ନୋଟକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଆପଣଙ୍କୁ ଟ୍ରାଞ୍ଜାକସନ୍ ଫି ଦେବାକୁ ପଡିବ । ଏବେ ଆସନ୍ତୁ ଜାଣିବା ଏହି ନୋଟକୁ ବ୍ୟାଙ୍କ କଣ କରିଥାଏ ।
ଯେଉଁ ନୋଟ୍ ଫାଟିଯାଇଛି ସେହି ନୋଟକୁ ଆରବିଆଇ ବନ୍ଦ କରିଦେଇଥାଏ । ଅର୍ଥାତ୍ ସେହି ନୋଟର ପ୍ରଚଳନ ବନ୍ଦ ହୋଇଯାଇଥାଏ । ଚିରିଯାଇଥିବା ନୋଟ୍ ସ୍ଥାନରେ ଅନ୍ୟ ନୋଟ୍ ଛପାଯାଇଥାଏ । ଏହା ବି ଆରବିଆର ଦାୟିତ୍ୱ ହୋଇଥାଏ । ପୂର୍ବରୁ ଏପରି ନୋଟକୁ ଜାଳିଦିଆଯାଉଥିଲା ଅବା ଚିରା ନୋଟକୁ ଛୋଟ ଛୋଟ ଖଣ୍ଡ କରି ତାକୁ ରିସାଇକେଲ୍ କରିଦିଆଯାଉଥିଲା ।