କେମିତି ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ? ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ। 

255

କନକ ବ୍ୟୁରୋ: ଜେଲ ଭିତରେ ଗୋବିନ୍ଦ ସାହୁ କେମିତି କଲେ ଆତ୍ମହତ୍ୟା । ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ରିପୋର୍ଟ । ବେକରେ ଗାମୁଛା ଲଗାଇ ଝୁଲି ପଡିଥିଲେ ଗୋବିନ୍ଦ । ସେଲ ପଛପଟେ ଥିବା ଏକ ୭-୮ ଫୁଟ୍ର ଛୋଟିଆ ଗଛରେ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି । ଗୋଟିଏ ଛୋଟିଆ ଗଛରେ ଏବଂ ୪ ହାତିଆ ଗାମୁଛାରେ କିପରି ଆତ୍ମହତ୍ୟା କଲେ ସେନେଇ ବଢୁଛି ସନ୍ଦେହ । ମମିତାଙ୍କ ଓକିଲ ଅମରେନ୍ଦ୍ର ମିଶ୍ରଙ୍କ କହିଲେ, ଜେଲ ଭିତରେ ଥିବା ଗାଧୁଆଘର କବାଟରେ ଆତ୍ମହତ୍ୟା କରିଥାଇପାରନ୍ତି ଗୋବିନ୍ଦ । ସେପଟେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ କଂଟାବାଞ୍ଝି ଗଲେ ସମ୍ବଲପୁର ରେଂଜ୍ ଜେଲ ଡିଆଇଜି ଅନସୂୟା ଜେନା । କେଉଁ ପରିସ୍ଥିତିରେ ଗୋବିନ୍ଦ ଆତ୍ମହତ୍ୟା କଲେ ବିଭିନ୍ନ ଦିଗରୁ ଘଟଣାର ହେବ ତଦନ୍ତ । କାର୍ଯ୍ୟରେ ଅବହେଳା କି ତ୍ରୁଟି ରହିଥିଲେ ଜେଲ କର୍ମଚାରୀଙ୍କ ବିରୋଧରେ ହେବ  କାର୍ଯ୍ୟାନୁଷ୍ଠାନ ।

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ । କଣ୍ଟାବାଞ୍ଝିି ଜେଲରେ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି । କଣ୍ଟାବାଞ୍ଝିି  ମେଡ଼ିକାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ । ଆଜି ଜେଏମଏଫସି କୋର୍ଟରେ ଗୋବିନ୍ଦ ହାଜର ହେବାର ଥିଲା । ଏହା ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲା ଗୋବିନ୍ଦ ସାହୁ । ମମିତାଙ୍କୁ ମାରିବା ପରେ ପ୍ରମାଣ ନଷ୍ଟ କରିବାକୁ ପ୍ରଥମେ କାଠ, ତା ଉପରେ ମମିତାଙ୍କ ମୃତଦେହକୁ ରଖି ଜେସିବି ସାହାଯ୍ୟରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ । ଏହା ପରେ ଟାୟାର ଓ କିଛି ବେଞ୍ଚ ଡେସ୍କକୁ ଭାଙ୍ଗି ପୋଡି ଦେଇଥିଲା । ଗତବର୍ଷ ଅକ୍ଟୋବରରେ ଶିକ୍ଷୟିତ୍ରୀ ମମିତାଙ୍କୁ ହତ୍ୟା କରାଯିବା ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା ।