କିପରି ହେଲା ଚିନ୍ମୟୀଙ୍କ ମୃତ୍ୟୁ? ମିଛଧରା ପରୀକ୍ଷାରୁ ବାହାରିବ କି ସତ…

96

କନକ ବ୍ୟୁରୋ: ପାୱାର ଚ୍ୟାନେଲରେ ପଡି ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା ଉପରୁ ରହସ୍ୟ ହଟାଇବାକୁ ଜୋରଦାର ଉଦ୍ୟମ କରିଛି ପୁଲିସ । ସନ୍ଦେହ ଘେରରେ ରହିଥିବା ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ତାଙ୍କ ବନ୍ଧୁ ମାନସ ଟୁଡୁଙ୍କର ବି ହୋଇଛି ମିଛଧରା ପରୀକ୍ଷା । ସମ୍ବଲପୁର ପୁଲିସର ଏକ ଟିମ୍ ୨ ଜଣଙ୍କୁ ଭୁବନେଶ୍ୱରର ଏସଏଫଏସଏଲକୁ ଆଣିଛନ୍ତି । ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ସେମାନେ ଯାହା କହିଛନ୍ତି, ତାହା ସତ କି ମିଛ ଜାଣିବାକୁ ଚାହୁଁଛି ପୁଲିସ । ଆଉ ଏହି ଆଧାରରେ ଆଗକୁ ବଢ଼ିବ ତଦନ୍ତ ।
ନଜର ପକାନ୍ତୁ, ଲାଏ ଡିଟେକ୍ଟନ୍ ଟେଷ୍ଟରେ କେଉଁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛି ପୁଲିସ?

ଚିନ୍ମୟୀଙ୍କ ସହ ତାଙ୍କର କେତେ ଦିନ ଧରି ସମ୍ପର୍କ ରହିଥିଲା?
ଘଟଣା ଦିନ ଦୁହିଁଙ୍କ ଭିତରେ କିଛି ଘଟିଥିଲା କି?
ଭୁବନେଶ୍ୱର ଫେରିବା ପାଇଁ ଟିକେଟ କାଟିଥିବା ବେଳେ କାହିଁକି ପାୱାର ଚ୍ୟାନେଲ୍ ନିକଟକୁ ଯାଇଥିଲେ?
ପୂର୍ବରୁ ଯୋଜନା କରି ଚିନ୍ମୟୀଙ୍କୁ ପାୱାର ଚ୍ୟାନେଲ୍ ନିକଟକୁ ଅଣାଯାଇଥିଲା କି?
ପାୱାର ଚ୍ୟାନେଲ ନିକଟରେ କ’ଣ ଘଟିଲା?
ସେଠାରେ ଚିନ୍ମୟୀଙ୍କ ସହ କେଉଁମାନେ ଥିଲେ?
ପାୱାର ଚ୍ୟାନେଲକୁ ଚିନ୍ମୟୀ ଡେଇଁ ପଡିଥିଲେ ନା’ ଅନ୍ୟ କିଛି ଘଟିଥିଲା?
କିପରି ଚିନ୍ମୟୀଙ୍କ ବେକରେ ଦାଗ ଲାଗିଲା?
ଏହା ଆତ୍ମହତ୍ୟା, ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ?

ଏହି ପରି ଅନେକ ପ୍ରଶ୍ନର ଉତ୍ତର ପ୍ରୀତିମାନଙ୍କ ଠାରୁ ଜାଣିବାକୁ ଚାହୁଁଛି ପୁଲିସ । ଅନ୍ୟପଟେ ତଦନ୍ତ ପାଇଁ ଚିନ୍ମୟୀଙ୍କ ଘରେ ପହଞ୍ଚିଛି ପୁଲିସ । ବଲାଙ୍ଗୀର ସ୍ଥିତ ଘରେ ପହଞ୍ଚିଚିନ୍ମୟୀଙ୍କ ବାପା-ମାଆ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ପଚରାଉଚରା କରାଯାଇଛି । ପୁଣିଥରେ ହତ୍ୟା ଅଭିଯୋଗ ଦୋହରାଇଛନ୍ତି ପରିବାର ଲୋକ ।

ଚିନ୍ମୟୀଙ୍କ ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ମାମଲାର ତଦନ୍ତ ପାଇଁ ତିନିଟି ଟିମ୍ ଗଠନ କରିଛି ସମ୍ବଲପୁର ପୁଲିସ । ଗୋଟିଏ ଟିମ୍ ବଲାଙ୍ଗୀର ଯାଇଥିବା ବେଳେ ଅନ୍ୟ ଏକ ଟିମ୍ ସୋନପୁର ଯିବ ବୋଲି ଜଣାପଡ଼ିଛି । ମିଛ ଧରା ପରୀକ୍ଷା ପାଇଁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କୁ ନେଇ ଏକ ଟିମ୍ ଭୁବନେଶ୍ୱର ଆସିଛନ୍ତି । ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ପିନ୍ଧିଥିବା ପୋଷାକକୁ ପରୀକ୍ଷା ପାଇଁ ପଠାଇବ ପୁଲିସ । ଲାପଟପ୍, ପେନଡ୍ରାଇଭ୍ ସହ ଏକ ଡାଏରୀ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି । ଡାଏରୀରେ ଥିବା ହସ୍ତାକ୍ଷର ଚିନ୍ମୟୀଙ୍କର ନା ନୁହେଁ, ସେଥିପାଇଁ ବିଶେଷଜ୍ଞଙ୍କ ସହାୟତା ନେଇପାରେ ପୁଲିସ ।