ନବଙ୍କ ଉତ୍ତରାଧିକାରୀ ହେବେ ଦୀପାଳି! ଗାଁ ଗାଁରେ ବୁଲିଲେଣି ନବଙ୍କ ଝିଅ

640

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଏକମାସ ବିତିଗଲାଣି । ମନ୍ତ୍ରୀଙ୍କ ଉପରକୁ ଗୁଳିମାଡର କାରଣ କ୍ରାଇମବ୍ରାଞ୍ଚ ଖୋଜୁଥିବାବେଳେ ଝାରୁସୁଗୁଡାରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆସନ୍ତା ସପ୍ତାହେ କି ଦୁଇସପ୍ତାହ ମଧ୍ୟରେ ଏଥିପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିପାରନ୍ତି । ଏଥିପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ନବଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ଝିଅ ଦୀପାଳି ଦାସ ଗାଁ ଗାଁ ବୁଲିବା ଆରମ୍ଭ କରିଦେଇଛନ୍ତି । ଝାରୁସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀର ସବୁ ବ୍ଲକ ବୁଲୁଛନ୍ତି ।

ଝାରାସୁଗୁଡା ସଦର ବ୍ଲକର ବିଭିନ୍ନ ଗାଁ ବୁଲିବା ସହ କିରିମିରା ଓ ଲାଇକେରା ବ୍ଲକ ଯାଇ ଲୋକଙ୍କ ସହ ମିଶୁଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରୁଛନ୍ତି । ତେଣୁ ଚର୍ଚ୍ଚା ଜୋର ଧରିଛି, ନବଙ୍କ ଉତ୍ତରାଧିକାରୀ ଭାବେ ଝାରୁସୁଗୁଡାରୁ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରତ୍ୟକ୍ଷ ନିର୍ବାଚନକୁ ନ ଆସିଥିଲେ ବି ଦୀପାଳି ପୂର୍ବରୁ ବ୍ରଜରାଜନଗର ଓ ପଦ୍ମପୁର ଉପନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରିଥିଲେ । ଅନେକ ସମୟରେ ତାଙ୍କ ବାପା ନବଦାସ , ଦୀପାଳିଙ୍କ ନିର୍ବାଚନ ଲଢିବା କଥା କହି ସଙ୍କେତ ଦେଇଛନ୍ତି । ତେଣୁ ଝାରୁସୁଗୁଡା ଗଡ ସମ୍ଭାଳିବା ପାଇଁ ଏବେ ମୈଦାନକୁ ଆସିଲେଣି ଦୀପାଳି । ଆଉ ବିଜେଡି ମଧ୍ୟ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।