ସବାଇ ଘାସ ଓ ଖଜୁରୀ ପତ୍ରରୁ ତିଆରି ହେଉଛି ଘର ସଜା ସାମଗ୍ରୀ: ଫୁଲ ଚାଙ୍ଗୁଡ଼ି, ପାଛିଆ, ପାପୋଛ ପ୍ରସ୍ତୁତ କରୁଛନ୍ତି ୩୫ ଜଣ ମହିଳା

286

କନକ ବ୍ୟୁରୋ: ତିଆରି ଚାଲିଛି ସୁନ୍ଦର ସୁନ୍ଦର ଘର ସାଜସଜ୍ଜା ସାମଗ୍ରୀ । ରଙ୍ଗରେଙ୍ଗର ଫୁଲ ଚାଙ୍ଗୁଡ଼ି , ପାଛିଆ, ପାପୋଛ, ଟୋକେଇ, ଘର କାନ୍ଥରେ ଟାଙ୍ଗିବା ପାଇଁ ହ୍ୟାଙ୍ଗର ଭଳି ସାମଗ୍ରୀ ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ମହିଳା । ଯାହା କୌଣସି ମେସିନ୍ ତିଆରି ସାମଗ୍ରୀ ଠାରୁ କମ୍ ନୁହେଁ ।

ସବାଇ ଘାସ ଓ ଖଜୁରୀ ପତ୍ରରେ ତିଆରି ହେଉଛି ଏହି ସବୁ ସାମଗ୍ରୀ । ଘର କାମ ପରେ ୨ରୁ ୩ ଘଂଟା ସମୟ ଦେଇ କିଛି ରୋଜଗାର କରିପାରୁଛନ୍ତି । ବାଲେଶ୍ୱର ବାଲିଆପାଳ ବ୍ଲକ ଅନ୍ତର୍ଗତ ବେତଗଡ଼ିଆ ଗାଁର ୩୫ ଜଣ ମହିଳା ସୁବର୍ଣ୍ଣରେଖା ଉତ୍ପାଦକ ଗୋଷ୍ଠୀ ଗଠନ କରି ଏଭଳି ସୁନ୍ଦର କାମ କରୁଛନ୍ତି । ଏହି ହାତବୁଣା ସାମଗ୍ରୀ ଗୁଡ଼ିକ ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ମନଲୋଭା ହୋଇଛି ।

ମହିଳାମାନେ ମୟୁରଭଂଜରୁ କଂଚାମାଲ ଆଣି ଉତ୍ପାଦିତ ସାମଗ୍ରୀକୁ ବିଭିନ୍ନ ମେଳା ମହୋତ୍ସବରେ ଷ୍ଟଲ ଲଗାଇ ବିକ୍ରି କରୁଛନ୍ତି । ଏହା ସହ ମିଶନଶକ୍ତି ଓ ଓରମାସ ସହଯୋଗରେ ଭୁବନେଶ୍ୱର ଓ ପୁରୀ ସମେତ ହାଇଦ୍ରାବାଦ, କଲିକତା ଏବଂ ଦିଲ୍ଲୀରେ ବିକ୍ରି କରୁଛନ୍ତି । ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ସାମଗ୍ରୀ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବାରୁ ବ୍ୟବସାୟୀ ମାନେ ଚାହିଦା ମୁତାବିକ ଅର୍ଡର ଦେଇ ଏମାନଙ୍କ ଠାରୁ ଜିନିଷ କିଣିନେଉଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଭଲ ଚାହିଦା ରହିଥିଲେ ମଧ୍ୟ ସ୍ଥାନୀୟ ଅଂଚଳରେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବାରୁ ବିକ୍ରି ହେଉନଥିବା କହିଛନ୍ତି ମହିଳା ।