ଚାକିରି ଛାଡ଼ି ଥାଇଲାଣ୍ଡ ବରକୋଳି ଚାଷ କରୁଛନ୍ତି ପଢୁଆ ଯୁବକ: ବାର୍ଷିକ ମିଳୁଛି ୫ରୁ ୬ଲକ୍ଷ ଟଙ୍କା

346

କନକ ବ୍ୟୁରୋ: ୟୁଟ୍ୟୁବ ଦେଖାଇଛି ରୋଜଗାରର ରାସ୍ତା । ଥଇଲାଣ୍ଡ ବରକୋଳି ଏବଂ କାଶ୍ମୀର ଆପଲ ବେରି ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଏମସିଏ ଛାତ୍ର । ବାର୍ଷିକ ୫ରୁ ୬ଲକ୍ଷ ଟଙ୍କା ରୋଜଗାର କରି ଅନ୍ୟ ଶିକ୍ଷିତ ଯୁବକଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ବାଲେଶ୍ୱର ଜଳେଶ୍ୱର ବ୍ଲକ ହାତୀଗଡର ଏମସିଏ ଛାତ୍ର ଚନ୍ଦନ ଖଟୁଆ ଏମସିଏ ପାଠ ପଢିବା ପରେ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । ସେଥିରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଥିଲା । ତେଣୁ ନିଜସ୍ୱ ଉଦ୍ୟମରେ ଏକ ଏକର ଜମିରେ ୩ଶହ ଥାଇଲାଣ୍ଡ ବରକୋଳି ଓ ୩ଶହ କାଶ୍ମୀର ଆପଲ ବେରି ଗଛ ଲଗାଇଛନ୍ତି । ଗଛ ଲଗାଇବାର ୬ ମାସ ପରେ ଗଛରେ ଫଳ ଧରିବା ଆରମ୍ଭ ହୋଇଛି । ଗୋଟିଏ ଗୋଟିଏ ଗଛରୁ ୨୦ କିଲୋରୁ ଅଧିକ ଫଳ ଫଳିଛି । ଏହି ଚାଷ ପାଇଁ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହନ୍ତି ଚନ୍ଦନ ।

ସେହିପରି ଗଜପତି ଜିଲ୍ଲା ମୋହନା ଅଂଚଳରେ ରହୁଥିବା ତିବତୀୟ ପରିବାର କଲିକତାରୁ ଆପଲ ବେରି ଚାରା ଆଣି ନିଜ ଜମିରେ ରୋପଣ କରିଛନ୍ତି । ପାଖାପାଖି ୧୧ ଶହ ଗଛ ଲଗାଇଥିବା ବେଳେ ଖର୍ଚ୍ଚ ହୋଇଛି ୬ ଲକ୍ଷ ଟଙ୍କା । ଗଛରେ ଫଳ ଆସିଥିବା ବେଳେ ଭଲ ରୋଜଗାରର ଆଶା ରଖିଛନ୍ତି ଏହି ଦମ୍ପତି । ସେହିପରି ମୋହନା ଗୋବିନ୍ଦପୁର ଅଂଚଳର ଆଦିବାସୀ ଯୁବକ ରମେଶ ମଲ୍ଲିକ ପ୍ରାୟ ୪ଏକର ଜମିରେ ୧ ହଜାର ଗଛ ଲଗାଇଛନ୍ତି । ୟୁଟ୍ୟୁବରୁ ଚାଷ ସମ୍ପର୍କରେ ସୂଚନା ପାଇବା ପରେ ଜଣେ ବନ୍ଧୁଙ୍କ ଠାରୁ ପରାମର୍ଶ ନେଇ ଆପଲ ବେରି ଚାଷ କରିଛନ୍ତି ।

ଏକ କେଜି କାଶ୍ମୀର ଆପଲ ବେରି ୬୦ରୁ ୭୦ଟଙ୍କାରେ ବିକ୍ରି ହେଉଥିବା ବେଳେ ବରକୋଳି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି । ବ୍ୟବସାୟୀ ମାନେ ବଜାରରେ ୯୦ରୁ ୧୦୦ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଉତ୍ପାଦିତ କୋଳିକୁ ସ୍ଥାନୀୟ ବଜାର ସହ ପଡ଼ୋଶୀ ପଶ୍ଚିମବଙ୍ଗକୁ ମଧ୍ୟ ରପ୍ତାନୀ କରୁଛନ୍ତି ଚନ୍ଦନ ।