ଆଜି ବି ପ୍ରଥମରୁ ଚାଲିପାରିଲାନି ଗୃହ । ଲଗାତାର ଷଷ୍ଠ ଦିନ ପାଇଁ ଗୃହ ଆରମ୍ଭରୁ ମୁଲତବି, ଶାସକ-ବିରୋଧୀ ଜିଦରେ ଅଟଳ । 

120

କନକ ବ୍ୟୁରୋ : ଲଗାତାର ୬ ଦିନ ପାଇଁ ଗୃହରେ ସମାନ ସ୍ଥିତି । ବିଧାନସଭାରେ ଉଭୟ ଶାସକ-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ପ୍ରତିବାଦ କରିଛନ୍ତି ଶାସକ ଦଳର ବିଧାୟକ । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲଗାତାର ୬   ଦିନ ପାଇଁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନି ।

ଏସବୁ ଭିତରେ ବିଜେଡିର ବିଧାୟକ ମାନେ ଲୋକସେବା ଭବନ ଅଭିମୁଖେ ଯାତ୍ରା କରିଛନ୍ତି । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୂରା ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ବିଜେଡି ବିଧାୟକ । ଗତକାଲି ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଥିଲେ ବିଜେଡି ବିଧାୟକ । ଗୋଟିଏ ପଟେ ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବାରମ୍ବାର ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନର ସୂତ୍ର ବାହାରିନାହିଁ । ଉଭୟ ଶାସକ-ବିରୋଧୀ ନିଜ ଜିଦରେ ଅଟଳ ରହିବା କାରଣରୁ ଦ୍ୱିତୀୟ ପର୍ଯ୍ୟାୟର ଷଷ୍ଠ ଦିନରେ ମଧ୍ୟ ଗୃହ କାର୍ଯ୍ୟ ଏଯାଏଁ ଚାଲିପାରିନି ।