ଦୀର୍ଘ ୨୫ ବର୍ଷ ପରେ ମିଳିଲା ଘର ଠିକଣା। ସତ୍ୟବାଦୀର ସୀତାରାମ ହେଲେ ନୟାଗଡର ଗୌରାଙ୍ଗ। 

61

କନକ ବ୍ୟୁରୋ: ଦୀର୍ଘ ୨୫ ବର୍ଷ ପରେ ମିଳିଲା ଘର ଠିକଣା । ଘରକୁ ନେବାପାଇଁ ଛୁଟି ଆସିଲେ ପରିବାର ଲୋକ । ଦୁଇଟି ପରିଚୟ ନେଇ ଦୁର୍ବିସହ ଜୀବନ ବଞ୍ଚୁଥିଲେ ନୟାଗଡର ଗୌରାଙ୍ଗ । ସତ୍ୟବାଦୀରେ ସେ ସୀତାରାମ ଭାବେ ପରିଚିତ ଥିଲେ । ସତ୍ୟବାଦୀ ଦୁଗଲ ପଞ୍ଚାୟତ ବାଡହାଟ ଗାଁ ମୁଣ୍ଡରେ ଥିବା ଭଙ୍ଗା ପରିତ୍ୟକ୍ତ ଘରେ ବିତୁଥିଲା ଜୀବନ । ପରିଚୟ ଶୂନ୍ୟ ହୋଇ ବୁଲୁଥିଲେ ବଜାର ଘାଟରେ । ପେଟ ପୋଷୁଥିଲେ ଭିକ୍ଷାବୃତି କରି ।

ମାନସିକ ଭାରସାମ୍ୟ ହରାଇ ବଣ ଭିତରେ ଏକ ଭଙ୍ଗା ଘର ପାଲଟିଥିଲା ତାଙ୍କ ଆଶ୍ରାସ୍ଥଳୀ । ହେଲେ ତାଙ୍କ ଜୀବନର ମୋଡ ବଦଳାଇ ଦେଲା ତାଙ୍କ ନିଜର ଭୋଟ ପରିଚୟ ପତ୍ର । ସେଥିରୁ ତାଙ୍କର ପୁରା ଠିକଣା ମିଳିଥିଲା । ଆଉ ସେଠାରେ ତାଙ୍କୁ ଦେଖିବାକୁ ପହଞ୍ଚିଯାଇଥିଲେ ତାଙ୍କ ପତ୍ନୀଙ୍କ ସହ ପରିବାର ଲୋକ । ଅସହାୟ ଅବସ୍ଥାରେ ଗୌରାଙ୍ଗଙ୍କୁ ଉଦ୍ଧାର କରିବା ସହିତ ପାଖରୁ ମିିଳିଛି ପୁଳା ପୁଳା ପୁରୁଣା ଟଙ୍କା । ଯାହାକି ଏବେ ସମ୍ପୁର୍ଣ୍ଣ ଅଚଳ ହୋଇପଡ଼ିଲାଣି । ପରିବାର ପହଂଚି ଗୌରାଙ୍ଗକୁ ସେଠାରୁ ଉଦ୍ଧାର କରି ଘରକୁ ଫେରାଇ ଆଣିଛନ୍ତି । କିଛି ବର୍ଷ ହେଲା ଗୌରାଙ୍ଗ ଘରୁ ନିଖୋଜ ଥିବା ବେଳେ ମାନସିକ ଭାରସାମ୍ୟ ହରାଇ ସତ୍ୟବାଦୀରେ ବୁଲୁଥିଲେ । ଏବେ ଦୀର୍ଘ ୨୫ ବର୍ଷ ପରେ ଉଦ୍ଧାର ହୋଇ ଏକ ନୂଆ ଜୀବନ ପାଇଛନ୍ତି ଗୌରାଙ୍ଗ ।