ବଢ଼ିଲା ହେମନ୍ତ ସୋରେନଙ୍କ ଅଡ଼ୁଆ, ବିପଦରେ ମୁଖ୍ୟମନ୍ତ୍ରୀ ପଦ

174

କନକ ବ୍ୟୁରୋ: ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଜେଏମଏମ୍-କଂଗ୍ରେସ ମେଣ୍ଟ ସରକାର ଉପରେ ଦେଖାଦେଇଛି ସଙ୍କଟର ବାଦଲ । ବେଇଆନ୍ ଖଣି ଖନନ ମାମଲାରେ ଫସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭା ସଦସ୍ୟତା ବିପଦରେ ପଡ଼ିଛି । ନିର୍ବାଚନ କମିଶନ୍ ତାଙ୍କ ରାୟକୁ ରାଜଭବନ ପଠାଇ ଦେଇଛନ୍ତି, ଯାହା ଉପରେ ଏବେ ରାଜ୍ୟପାଳ ରମେଶ ବୈସ ନିଷ୍ପତି ନେବେ । ଯଦି ସୋରେନଙ୍କ ବିଧାନସଭା ସଦସ୍ୟତା ହରାଇବେ, ତେବେ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ହରାଇବାକୁ ପଡ଼ିପାରେ ।

ସେପଟେ ନିର୍ବାଚନ କମିଶନଙ୍କ ତରଫରୁ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ବାତିଲ କରିବା ନିର୍ଦ୍ଦେଶ ପରେ ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି । ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ସୋରେନଙ୍କୁ ଦୁର୍ନୀତି ଅଭ୍ୟାସ କରିବାର ଫଳ ମିଳିଛି । ରାଜ୍ୟପାଳ କୌଣସି ନିଷ୍ପତି ନେବା ପୂର୍ବରୁ ସୋରେନ ସ୍ୱୟଂ ଇସ୍ତଫା ଦେଇଦେବା ଦରକାର ବୋଲି ନିଶିକାନ୍ତ କହିଛନ୍ତି ।

ଏହାରି ଭିତରେ ହେମନ୍ତଙ୍କ ଘର ବାହାରେ ସମର୍ଥକ ଜୋରଦାର ନାରା ଲଗାଇଥିଲେ । କିଛି ପୋଲିସକର୍ମୀ ମଧ୍ୟ ତାଙ୍କ ସମର୍ଥନରେ ବାହାରିଥିଲେ । ଯାହା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ପରୋକ୍ଷରେ ବିଜେପି ଉପରେ ଆକ୍ରମଣ କରିଛନ୍ତି । ସାମ୍ବିଧାନିକ ସଂସ୍ଥାକୁ ତ କିଣିପାରିବ, ଜନସମର୍ଥନ କିପରି କିଣିବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସୋରେନ । ଝାଡ଼ଖଣ୍ଡର ହଜାର ହଜାର ସଂଖ୍ୟାର ପୋଲିସକର୍ମୀଙ୍କ ସ୍ନେହ ଓ ଜନତାଙ୍କ ସମର୍ଥନ ହିଁ ମୋର ଶକ୍ତି ବୋଲି ଲେଖିଛନ୍ତି ।

କ’ଣ ରହିଛି ପୂରା ମାମଲା?
– ହେମନ୍ତ ସୋରେନ ଖଣି ଖନନ ପଟାକୁ ନିଜ ଓ ନିଜ ଭାଇ ନାଁରେ କରିଥିବା ଅଭିଯୋଗ ରହିଛି
– ମୁଖ୍ୟମନ୍ତ୍ରୀ ପଦରେ ରହି ସେ ଏଭଳି ଦୁର୍ନୀତି କରିଥିବା ଅଭିଯୋଗ କରିଥିଲା ବିଜେପି
– ଫେବୃଆରୀ ୧୦ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉଠାଇଥିଲେ ପ୍ରଶ୍ନ
– ଫେବୃଆରୀ ୧୧ରେ ରାଜ୍ୟପାଳଙ୍କୁ ଭେଟି ସୋରେନଙ୍କ ବିଧାୟକ ପଦକୁ ଅଯୋଗ୍ୟ ଘୋଷିତ ପାଇଁ କରିଥିଲେ ଦାବି
– ପରେ ରାଜ୍ୟପାଳ ମାମଲାକୁ ନିର୍ବାଚନ କମିଶନଙ୍କୁ ନିକଟକୁ ପଠାଇଥିଲେ

ଏହା ପୂର୍ବରୁ ଇଡି ରାଞ୍ଚିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରୁ ଦୁଇଟି ଏକେ-୪୭ ରାଇଫଲ ଜବତ କରିଥିଲା । ଯାହା ପରେ ପ୍ରେମ ପ୍ରକାଶଙ୍କୁ ଇଡି ଗିରଫ କରିଛି ।