ବିଜେପିର ବିପର୍ଯ୍ୟୟ ପଛର ବଡ ବିନ୍ଧାଣୀ । ଅପ୍ରତ୍ୟାଶିତ ଭାବେ ରାଜନୀତିକୁ ଆସିଥିଲେ, ଝାଡଖଣ୍ଡ ରାଜନୀତିରେ ଝଡ ସୃଷ୍ଟି କଲେ । 

1,712

କନକ ବ୍ୟୁରୋ : ମହାରାଷ୍ଟ୍ର ପରେ ଝାଡଖଣ୍ଡରେ ଝଡିଛି ପଦ୍ମ । ତ୍ରୀଦଳୀୟ ମେଣ୍ଟର ରଣନୀତି ଆଗରେ ମୁଣ୍ଡ ନୁଆଁଇଛି ବିଜେପି । ଝାଡଖଣ୍ଡରେ ପଦ୍ମ ଝଡିବା ପରେ ମୁଣ୍ଡ ଟେକିଛି ଜେଏମଏମ, କଂଗ୍ରେସ ଓ ଆରଜେଡି ମହାମେଣ୍ଟ । ଗଣତି ଶେଷ ହୋଇନଥିବା ବେଳେ ଝାଡଖଣ୍ଡରେ ମହାଗଠବନ୍ଧନ ମେଣ୍ଟ ବହୁମତ ହାସଲ କରିବା ସହ ସରକାର ଗଠନ ପାଇଁ ଆଗକୁ ବଢିଛି । ତେବେ ବିଜେପିର ଗଡରେ ବିପର୍ଯ୍ୟୟ ସୃଷ୍ଟି କରିବା ପଛର ସମସ୍ତ ଶ୍ରେୟ ହେମନ୍ତ ସୋରେନଙ୍କୁ ଦିଆଯାଉଛି । ଯାହାଙ୍କ ନେତୃତ୍ୱରେ ଝାଡଖଣ୍ଡରେ ମହାଗଠବନ୍ଧନ ମେଣ୍ଟ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା ।

ଗୋଟିଏ ପଟେ ମହାଗଠବନ୍ଧନ ମେଣ୍ଟ ସରକାର ଗଠନ କରିବାକୁ ଯାଉଥିବା ବେଳେ  ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହି ରେସରେ ହେମନ୍ତ ସବୁଠୁ ଆଗରେ ରହିଛନ୍ତି । ତେବେ ହେମନ୍ତ ଏହାପୂର୍ବରୁ ୨୦୧୩ରେ ଝାଡଖଣ୍ଡର ୫ମ ମୁଖ୍ୟମନ୍ତ୍ରୀ ଭାବେ ପଦ ଭାର ସମ୍ଭାଳିଛନ୍ତି । ତେବେ ଏହି ପଦରେ ଖୁବ କମ ଦିନ ରହିଥିଲେ ହେମନ୍ତ ।

ପ୍ରତ୍ୟକ୍ଷ ରାଜନୀତିରେ ହେମନ୍ତଙ୍କ ଏଣ୍ଟ୍ରି ବେଶ ଅପ୍ରତ୍ୟାଶିତ ଭାବେ ହୋଇଥିଲା ।  ଏହାପୂର୍ବରୁ ହେମନ୍ତ ସକ୍ରିୟ ରାଜନୀତିରେ ଥିଲେ ମଧ୍ୟ ପ୍ରତ୍ୟକ୍ଷ ରାଜନୀତିରେ ଏଣ୍ଟ୍ରି ମାରିନଥିଲେ । ତେବେ ୨୦୦୯ରେ ବଡ ଭାଇ ଦୁର୍ଗା ସୋରେନଙ୍କ ମୃତ୍ୟୁ ପରେ ହେମନ୍ତ ହାତକୁ ଆସିଥିଲା ଦଳର ପୂରା ଦାୟିତ୍ୱ । ବାପା ଶିବୁ ସୋରେନଙ୍କ ଅସୁସ୍ଥତା ଓ ବଡ ଭାଇ ଦୁର୍ଗା ସୋରେନଙ୍କ ମୃତ୍ୟୁ ଦଳୀୟ ରାଜନୀତିରେ ହେମନ୍ତଙ୍କୁ ବଡ ଚେହେରା ଭାବେ ସାମ୍ନାକୁ ଆଣିଥିଲା । ଆଉ ଏହି ଦାୟିତ୍ୱକୁ ବେଶ ପ୍ରଭାବୀ ଢଙ୍ଗରେ ତୁଲାଇଥିଲେ ହେମନ୍ତ ।

୨୦୦୯ରୁ ୨୦୧୦ ଯାଏଁ ରାଜ୍ୟସଭା ସଦସ୍ୟ ଭାବେ ରାଜନୀତି କ୍ୟାରିୟର ଆରମ୍ଭ କରିଥିବା ହେମନ୍ତ ୨୦୧୩ରେ କଂଗ୍ରେସ ଓ ଆରଜେଡି ସମର୍ଥନରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ତେବେ ୨୦୧୪ ବିଧାନସଭା ନିର୍ବାଚନରେ ଜେଏମଏମର ପରାଜୟ ହେମନ୍ତଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପଦ ଛଡାଇ ନେଇଥିଲା । ତେବେ ୨୦୧୯ରେ ପୂରା ରଣନୀତି ସହ ରଣଭୂମିକୁ ଓହ୍ଲାଇଥିଲା ଦଳ । କଂଗ୍ରେସ ଓ ଆରଜେଡି ସହ ମେଣ୍ଟ କରି ପୁଣିଥରେ କ୍ଷମତାକୁ ଫେରିବାକୁ ଅଙ୍କ କଷିଥିଲେ ହେମନ୍ତ । ତେବେ ହେମନ୍ତଙ୍କୁ ହରାଇବା ପାଇଁ ଦିଲ୍ଲୀରୁ ପ୍ରସ୍ତୁତ ହୋଇଥିଲା ବିଜେପିର ବ୍ଲୁ-ପ୍ରିଣ୍ଟ । ହେମନ୍ତଙ୍କ ନିର୍ବାଚନମଣ୍ଡଳୀରେ ମୋଦି ପ୍ରଚାର କରିବା ଠାରୁ ଆରମ୍ଭ କରି ଏହି ଆସନକୁ ଜିତିବା ପାଇଁ ବିଜେପି ଜି ଜାନ୍ ଲଗାଇ ଦେଇଥିଲା । ତେବେ ଏହାସତ୍ତେ୍ୱ ମଧ୍ୟ ମୋଦି ମ୍ୟାଜିକକୁ ମାତ୍ ଦେଇ ଏଠାରେ ହାତ  ସହାୟତାରେ ଧନୁ ତୀର ଉପରକୁ ଉଠାଇଥିଲେ ହେମନ୍ତ । କେବଳ ହେମନ୍ତ ନୁହଁନ୍ତି ଚଳିତ ନିର୍ବାଚନରେ ତାଙ୍କ ଦଳ ଜେଏମଏମ ମଧ୍ୟ ବେଶ ପ୍ରଭାବୀ ପ୍ରଦର୍ଶନ କରିଛି । ଆଉ ଏଥିପାଇଁ ମହାଗଠବନ୍ଧନ ମେଣ୍ଟରେ ହେମନ୍ତଙ୍କୁ ମିଳିପାରେ ମୁଖ୍ୟମନ୍ତ୍ରୀ ପଦ ।