ଖୋର୍ଦ୍ଧା ଭୁଷଣ୍ଡପୁର ଅଞ୍ଚଳରେ ଭୟଙ୍କର ବସ୍ଫୋରଣ । ବାଣ ତିଆରି ନେଇଗଲା ୪ ଜୀବନ, ଏକାଧିକ ଗୁରୁତର । କାନ୍ଦବୋବାଳିରେ ଫାଟୁଛି ଗାଁ

63

କନକ ବ୍ୟୁରୋ: ବାଣ ଭିଡିବାବେଳେ ଘଟିଛି ବଡ଼ ଅଘଟଣ । ବିସ୍ଫାରଣ ଘଟି ୪ ମୃତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ସହଦେହ ବେହେରା, ନିରଞ୍ଜନ ବେହେରା, ବରଜୁ ବେହେରା ଓ ବୃନ୍ଦାବନ ସାହୁ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଭୁଷଣ୍ଡପୁର ଗାଁରେ ଘଟିଛି ଏହି ଅଘଟଣ । ଆହତ ମାନଙ୍କୁ ଖୋର୍ଦ୍ଧା ମେଡିକାଲରେଭର୍ତ୍ତର୍ି କରାଯାଇଛି । ସେହିପରି ୪ ଜଣ ଗୁରୁତୁରଙ୍କୁ ଭୁବନେଶ୍ୱର ଏମ୍ସ ଏବଂ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

  • ସମୟ: ଦିନ ୧୦ଟାରୁ ସାଢ଼େ ୧୦ଟା
  • ସ୍ଥାନ: ଟାଙ୍ଗୀ ଥାନା ଭୁଷଣ୍ଡପୁର ଗାଁ

ଅଚାନକ୍ ଶୁଭିଥିଲା ବିସ୍ଫୋରଣର ଶବ୍ଦ । କ’ଣ ଘଟିଛି ବୁଝିବା ଆଗରୁ ସବୁ କିଛି ଛାରଖାର ହୋଇ ସାରିଥିଲା । ଘରର ଛାତ ଉଡ଼ିିଯାଇଥିଲା । ସବୁ କିଛି ଛିନଛତ୍ର ହୋଇପଡ଼ିଥିଲା । ଆଉ ଘର ଭିତରେ ବାଣ ଭିଡ଼ୁଥିବା ଲୋକ ଏଣେତେଣେ ବିଛାଡ଼ି ହୋଇପଡ଼ିଥିଲେ । ଶବ୍ଦ ଶୁଣି ସେଇ ସ୍ଥାନରେ ପହଞ୍ଚିଥିବା ବେଳକୁ ସାମ୍ନାକୁ ଆସିଥିଲା ବିଭତ୍ସ ଦୃଶ୍ୟ । ବିସ୍ଫୋରଣର ନିଆଁରେ କିଏ ଆଖି ବୁଜି ଦେଇଥିଲେ ତ ଆଉ କିଏ ଛଟପଟ ହେଉଥିଲେ ।

ବିସ୍ଫୋରଣ ସ୍ଥଳକୁ ସ୍ଥାନୀୟ ଲୋକ ପହଞ୍ଚି, ତୁରନ୍ତ ଆହତ ମାନଙ୍କୁ ଖୋର୍ଦ୍ଧା ମେଡ଼ିକାଲକୁ ନେଇଥିଲେ । ହେଲେ ସେତେବେଳକୁ ଏକାଧିକ ଲୋକଙ୍କ ଜୀବନଦୀପ ଲିଭି ସାରିଥିଲା । ଏହି ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତର ୪ ଜଣଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ୩ ଜଣଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତି କରାଯାଇଛି । ତେବେ ବିସ୍ଫୋରଣର ଖବର ଆସିବାରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଜିଲ୍ଳାପାଳ ଏବଂ ଏସପି । ଘଟଣାର ଅନୁଧ୍ୟାନ କରିବା ସହ କେମିତି ବିସ୍ଫୋରଣ ଘଟିଲା ଏବଂ ବାଣ ତିଆରି ପାଇଁ ପ୍ରସ୍ତୁତି ପାଇଁ ଅନୁମତି ଥିଲା ନା’ ନାହିଁ ସେ ଦିଗରେ ତଦନ୍ତ କରାଯିବ ବୋଲି ସୂଚନା ଦେଇଥିଲେ ।

ହେଲେ ପ୍ରଶ୍ନ ଉଠୁଛି…

  • ଯଦି ବାଣ ତିଆରି ପାଇଁ ଅନୁମତି ନଥିଲା ବାଣ ପ୍ରସ୍ତୁତ ହେଉଥିଲା କେମିତି?
  • ବେଆଇନ ବାଣ ପ୍ରସ୍ତୁତିକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କରୁଛି କ’ଣ?
  • ପ୍ରତିବର୍ଷ ଏଭଳି ଘଟଣା ଘଟୁିଥିଲେ ବି କାହିଁକି ଭାଙ୍ଗୁନି ପ୍ରଶାସନର ନିଦ?
  • ଦୋଳ ଉତ୍ସବ ସମୟରେ ଗାଁ ଗାଁରେ ବାଣ ପ୍ରତିଯୋଗତା ହେଉଛି,ପ୍ରଶାସନ ନଜର ରଖୁନି କାହିଁକି?

ଆପଣଙ୍କର ମନେ ଥିବ ଗତମାସ ୨୮ ତାରିଖରେ ଜଗତସିଂପୁର ଇଚ୍ଛାପୁର ଗାଁରେ ବି ସମାନ ଧରଣର ଏକ ବିସ୍ଫୋରଣ ଘଟିଥିଲା । ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି କେମିତି ପ୍ରଶାସନ ଅଚିନ୍ତାରେ ରହିପାରୁଛି ତାହା ସମସ୍ତଙ୍କୁ ବ୍ୟଥିତ କରୁଛି ।