ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସର ହାଥ ସେ ହାଥ୍ ଯୋଡୋ ଯାତ୍ରା। ଦଳ ସହ ଯୋଡି ହେବାକୁ କର୍ମୀ ଓ ସାଧାରଣ ଜନତାଙ୍କୁ ଆହ୍ୱାନ।

44

କନକ ବ୍ୟୁରୋ: କଂଗ୍ରେସ ସହ ଯୋଡି ହେବାକୁ ଆହ୍ୱାନ । ଏନେଇ ବିଭିନ ସ୍ଥାନରେ ଆରମ୍ଭ ହୋଇଛି ହାଥ ସେ ହାଥ୍ ଯୋଡୋ ଯାତ୍ରା । ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କଂଗ୍ରେସ ପକ୍ଷରୁ ଆଜି ଜାରକାଠାରେ ଏହି ଯାତ୍ରାର ଶୁଭାରମ୍ଭ କରାଯାଇଛି । ଧର୍ମଶାଳାର କଂଗ୍ରେସ ନେତାଙ୍କ ନେତୃତ୍ୱରେ ଆଜି ପଦଯାତ୍ରା କରାଯାଇଛି । ହାଥ ସେ ହାଥ୍ ଯୋଡୋ ଯାତ୍ରା ମାଧ୍ୟମରେ ଲୋକଙ୍କୁ କଂଗ୍ରେସ ସହ ଯୋଡିବା ସହିତ ୨୦୨୪ରେ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବା ଲକ୍ଷ୍ୟ ନେଇ ଏହି ଯାତ୍ରାର ଶୁଭାରମ୍ଭ କରାଯାଇଛି ।

ସେହିଭଳି ବାଲେଶ୍ୱର ବସ୍ତାର ଗାନ୍ଧି ଛକଠାରେ ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଏହି ଯାତ୍ରାର ଶୁଭାରମ୍ଭ ହୋଇଛି । ଏଥିରେ ବହୁ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ମାରଣ ନୀତି ଉପରେ ବର୍ଷିଛନ୍ତି । ଦଳ ପକ୍ଷରୁ ଏହି ଯାତ୍ରା ମାଧ୍ୟମରେ ଗାଁରୁ ସହର ସମସ୍ତ ଲୋକଙ୍କୁ କଂଗ୍ରେସର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୂଳପୋଛ କରିବାକୁ ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ନବରଙ୍ଗପୁରରେ ମଧ୍ୟ ହାଥ ସେ ହାଥ ଯୋଡୋ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ବହୁ ବରିଷ୍ଠ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିବା ବେଳେ ବର୍ତମାନଠୁ ଲଢେଇ ପାଇଁ ଆଗଭର ହେବାକୁ ଆହ୍ୱାନ କରିଥିଲେ । ଶତାଧିକ କଂଗ୍ରେସ କର୍ମୀ ପଦଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । କଂଗ୍ରେସ ଦଳ ଗାଁ ଗାଁରେ ପହଂଚି ଶୋଷଣ ଓ କେନ୍ଦ୍ର ଷଡଯନ୍ତ୍ର ନେଇ ଅବଗତ କରାଇବ । ଏନେଇ କଂଗ୍ରେସରେ ସାମିଲ ହେବାକୁ ଆହ୍ୱାନ କରିଛି ଦଳ ।